କାମରେ ଲାଗୁନି ବିଧାନସଭା ଅତିଥି ଭବନ; ମାଡ଼ି ବସିଛନ୍ତି ଠିକାଦାର, ରାତି ଗଡ଼ିଲେ ଜମୁଛି ନିଶାଡ଼ିଙ୍କ ଆଡ଼ା

Advertisment
କାମରେ ଲାଗୁନି ବିଧାନସଭା ଅତିଥି ଭବନ; ମାଡ଼ି ବସିଛନ୍ତି ଠିକାଦାର, ରାତି ଗଡ଼ିଲେ ଜମୁଛି ନିଶାଡ଼ିଙ୍କ ଆଡ଼ା

ପୁରୀ : ଜବରଦଖଲରେ ପୁରୀର ବିଧାନସଭା ଅତିଥି ଭବନ। ଜୋର ଜବରଦସ୍ତ ଏହି ଭବନକୁ ମାଡ଼ି ବସିଛନ୍ତି ଠିକାଦାର। ଚାବି ବି ଠିକାଦାର ହାତରେ। ପରିସ୍ଥିତି ଏପରି ହୋଇଛି ଯେ ଠିକାଦାରଙ୍କ ଇଛା ହେଲେ ବିଧାନସଭା ଅତିଥି ଭବନ ଖୋଲୁଛି। ନ‌ଚେତ୍‌ ୨୪ ଘଣ୍ଟା ତାଲା ଝୁଲୁଛି। ପୁରୀ ଛାତି ଉପରେ ଥିବା ଏହି ବିଧାନସଭା ଅତିଥି ଭବନର ଏଭଳି ସ୍ଥିତି ଏବେ ସ୍ଥାନୀୟ ଜନସାଧାରଣଙ୍କୁ ବି ଆନ୍ଦୋଳିତ କରିଛି।

publive-image

ଅନ୍ୟପଟେ ଠିକାଦାର ବର୍ଷ ବର୍ଷ ଧରି ନିଜ ଦଖଲରେ ଏହି ଅତିଥି ଭବନକୁ ରଖିଥିବା ବେଳେ ପ୍ରଶାସନ ବି ଏ ଦିଗରେ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସେପଟେ ରାତି ଗଡ଼ିଲେ, ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ମଦର ଆସର ଜମୁଥିବା ଅଭିଯୋଗ ହୋଇଛି। ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବାରୁ ପୁରୀ ବୁଲି ଆସୁଥିବା ଅବା କୌଣସି ସଭାସମିତିରେ ଯୋଗଦେବାକୁ ଆସିବାବେଳେ ରାଜ୍ୟର ବିଧାୟକ, ମନ୍ତ୍ରୀମାନଙ୍କ ରହଣୀ ପାଇଁ ବିଧାନସଭା ଅତିଥି ଭବନର ପରିକଳ୍ପନା କରାଯାଇଥିଲା। ପେଣ୍ଠକଟାଠାରେ ଜାଗା ଚିହ୍ନଟ ପରେ ବିସ୍ତୃତ ଜାଗାରେ ବିଧାନସଭା ଅତିଥି ଭବନ ନିର୍ମାଣ ହେଲା ପରେ ରକ୍ଷଣାବେକ୍ଷଣ ଅଭାବରୁ ଚୋରମାନେ ପଶି ଏଠାରୁ ଦାମୀ ଏସି, ଫ୍ୟାନ୍‌ ଆଦି ଚୋରି କରିନେଲେ। କେହି କେହି ଅଭିଯୋଗ କଲେ ଠିକାଦାର ଟଙ୍କା ନ ପାଇବାରୁ ଏଭଳି ନାଟକ ରଚିଲେ।

publive-image

ସେ ଯାହା ବି ହେଉନା କାହିଁକି ୨୦୧୮ ମସିହାରେ ଏହା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଧାନସଭାରେ ତମ୍ବିତୋଫାନ ହେଲା। ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ରକ୍ଷଣାବେକ୍ଷଣ ଦାବି କଲେ। ପରେ ତିନିଟି ପର୍ଯ୍ୟାୟରେ ଏହି ଅତିଥି ଭବନ ପିଛା ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ କରାଗଲା। ଭଙ୍ଗା କୋଠାକୁ ନୂଆ ରୂପ ଦିଆଗଲା। ଅତିଥି ଭବନ ଭିତରେ ୪ଟି ରହଣୀ କକ୍ଷ ସହ ଖୋଲା ପଡ଼ିଆ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା। ପୁଣିଥରେ ଦାମୀ ଏସି, ଫ୍ୟାନ୍‌ ଆଦି ଲାଗିଲା।

publive-image

ଏ ଭିତରେ କୋଠା ନୂଆ ରୂପ ପାଇବା ବର୍ଷେ ବିତିଲାଣି। କିନ୍ତୁ ଏବେ ବି କୋଠାର ପୁନରୁଦ୍ଧାର ଟେଣ୍ଡର କାମ ନେଇଥିବା ଠିକାଦାର ଏହାକୁ ନିଜ ଦଖଲରେ ରଖିଛନ୍ତି। ଠିକାଦାର ବି ଠିକା କାର୍ଯ୍ୟ ଓ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଗାଡ଼ି, ଯନ୍ତ୍ରାଂଶ ଏହା ଭିତରେ ରଖିଛନ୍ତି। ଏ ସଂପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର କହିଛନ୍ତି, ମୋ ପୂର୍ବରୁ ଥିବା ନିର୍ବାହୀ ଯନ୍ତ୍ରୀ ଦୁଇଥର ଏହି କୋଠା ହସ୍ତାନ୍ତର ଉପରେ ବିଧାନସଭା କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। କିନ୍ତୁ କୌଣସି ଫଳ ମିଳିନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe