ବିଧାନସଭାକୁ ଅଚଳ କରିଦେଲେ; ସମସ୍ତେ ନିଜ ଜିଦ୍‌ରେ ଅଟଳ, ସର୍ବଦଳୀୟ ବୈଠକ ବିଫଳ

Advertisment

ସର୍ବଦଳୀୟ ବୈଠକ ଅଧାରୁ ଚାଲିଆସିଲେ କଂଗ୍ରେସ ଓ ସିପିଏମ୍‌

ସର୍ବଦଳୀୟ ବୈଠକ ଅଧାରୁ ଚାଲିଆସିଲେ କଂଗ୍ରେସ ଓ ସିପିଏମ୍‌

ବିବାଦରେ ଓଡ଼ିଶା ବିଧାନ ପରିଷଦ ଗଠନ, ପ୍ରସ୍ତାବ ଯାଇଥିବା ସ୍ପଷ୍ଟ କଲେ ବାଚସ୍ପତି

odishaassembly.nic.in

ଭୁବନେଶ୍ବର: ଚାଷୀଙ୍କ ଠାରୁ ଧାନ କିଣା ହେବ କି ନାହିଁ? ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେବଗଡ଼ ବିଧାୟକ କ୍ଷମା ମାଗିବେ ନା ନାହିଁ? ତୁଟି ପାରିଲାନି ଏ ବିବାଦ। ଏହାକୁ ନେଇ ୪ ଦିନ ହେଲା ବିଧାନସଭା ଅଚଳ। ଉଭୟ ଶାସକ-ବିରୋଧୀ କେହି ନିଜ ଜିଦରୁ ହଟୁନାହାନ୍ତି। ଫଳରେ ଗୁରୁତ୍ବପୂର୍ଣ୍ଣ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ୫ ଦିନ ବିତିଥିଲେ ବି ଦିନଟିଏ ପ୍ରଶ୍ନକାଳ ହୋଇପାରିଲାନି। ଜଙ୍ଗଲ ନିଆଁଠୁ ଆରମ୍ଭ କରି ରାଜ୍ୟରେ ଘୋର ଜଳ ସଂକଟ ଦେଖାଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତ ମୁଲତବୀ ଆଲୋଚନାଟିଏ ହୋଇପାରିନି। ଆଜି ବାରମ୍ବାର ଗୃହ ମୁଲତବୀ ହେଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦୁଇଥର ସର୍ବଦଳୀୟ ବୈଠକ ବସିଲା। କିନ୍ତୁ ବୈଠକରେ କିଛି ନିଷ୍କର୍ଷ ବାହାରିଲାନି।

ମଙ୍ଗଳବାର ଦିନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଚାଷୀଙ୍କ ଧାନ ସଂଗ୍ରହ ନେଇ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କଲେ। ସେପଟେ ସରକାରୀ ଦଳ ସଦସ୍ୟମାନେ ଦେବଗଡ଼ ବିଧାୟକଙ୍କ କ୍ଷମା ମାଗିବା ଦାବିରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କଲେ। ଫଳରେ ୮ଥର ଗୃହ ମୁଲତବୀ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ଅଚଳାବସ୍ଥା ଦେଖି ବାଚସ୍ପତି ଶ୍ରୀ ପାତ୍ର ମଧ୍ୟାହ୍ନ ୧୨ଟାରେ ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବୈଠକରେ ମୂଳ ପ୍ରସଙ୍ଗ ଧାନ ସଂଗ୍ରହ ବଦଳରେ ଗୃହ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ବାଚସ୍ପତି ଅଡ଼ି ବସିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ବୈଠକ ଛାଡ଼ି ପଳାଇଆସିଲେ। ପରେ ଅପରାହ୍ନରେ ପୁଣି ଥରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ। ଏଥର ଧାନ କିଣା ପ୍ରସଙ୍ଗରେ ପ୍ରଥମରୁ ଆଲୋଚନା ହେଲା। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଗତ ମାସ ୨୬ ତାରିଖରେ ଚାଷୀଙ୍କ ଧାନ କିଣା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନାହିଁ।

ଗତ ୧୨ ତାରିଖରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଯେପରି ବିବୃତି ରଖିଛନ୍ତି ସେଥିରେ ମୂଳ ସମସ୍ୟାର ସମାଧାନ ପାଇଁ କହିନାହାନ୍ତି। ସେଥିପାଇଁ ମନ୍ତ୍ରୀଙ୍କ ବିବୃତିକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ନିଜେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କର ସମସ୍ତ ଧାନ କିଣିବାକୁ ପ୍ରତିଶ୍ରୁତି ଦିଅନ୍ତୁ। ତାହେଲେ ଯାଇ ଗୃହ ଚାଲିବ। କିନ୍ତୁ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବରେ ସରକାରୀ ପକ୍ଷ ରାଜି ହେଲେନାହିଁ। ସିଧା ସିଧା କହିଲେ ମୁଖ୍ୟମନ୍ତ୍ରୀ ବିବୃତି ଦେବେନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ବିବୃତି ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ବିଜେପି ପ୍ରତିନିଧିମାନେ ଜିଦ୍‌ ଧରିଲେ। ବୈଠକରେ ନିଷ୍କର୍ଷ ବାହାରିପାରୁନଥିବା ଦେଖି ଶ୍ରୀ ମିଶ୍ର ପୁଣି ଥରେ ବିକଳ୍ପ ରାସ୍ତା ବାହାର କରି କହିଲେ, ଯଦି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବେନାହିଁ। ତାହେଲେ ଗତ ୨୬ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଯେପରି ଘୋଷଣା କରିଥିଲେ ସେହି ଅନୁଯାୟୀ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୃହରେ ପ୍ରତିଶ୍ରୁତି ଦିଅନ୍ତୁ। ବିଜେପି ଏହି ପ୍ରସ୍ତାବରେ ରାଜି ହେଲାନାହିଁ। ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ଅଡ଼ି ବସିବାରୁ ସର୍ବଦଳୀୟ ବୈଠକ ବିଫଳ ହେଲା।

ଗୃହ ବାହାରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି, ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଚାଷୀଙ୍କ ସମସ୍ତ ଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରକାର କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବନି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଦେବଗଡ଼ ବିଧାୟକ ତାଙ୍କ ଆଚରଣ ପାଇଁ ଗୃହରେ କ୍ଷମା ମାଗିପାରନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଚାଷୀଙ୍କର ଧାନକିଣା ସମସ୍ୟାକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ସରକାରୀ ଦଳ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ବିଜେଡିର ସଦସ୍ୟମାନେ ସଂଖ୍ୟାଗରିଷ୍ଠ ବଳରେ ଗୃହକୁ ଅଚଳ କରିବାର ପାରିବାପଣିଆ ଦେଖାଇଛନ୍ତି। ଏଥିରୁ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚୁଛି ଯେ ବାସ୍ତବରେ କିଏ ଚାଷୀ ବିରୋଧୀ। ଗତମାସ ୨୬ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଦେଇଥିବା ପ୍ରତିଶ୍ରୁତି ଓ ଗତ ୧୨ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କ ବିବୃତି ଭିତରେ ତାଳମେଳ ରହୁନାହିଁ। ଏବେ କେବଳ ସମୟ ଗଡ଼ାଇବା ପାଇଁ ସରକାର ଏପରି ସୁଆଙ୍ଗ ରଚନା କରୁଛନ୍ତି। ତାଙ୍କର ଦୁଇଜଣ ମନ୍ତ୍ରୀ ଗୃହରେ ଭିନ୍ନ ଭିନ୍ନ ବିବୃତି ରଖି ବିଭ୍ରାନ୍ତ କରୁଛନ୍ତି। ସେଥିପାଇଁ ଗୃହରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସର୍ବଦଳୀୟ ବୈଠକରେ ଦାବି କରାଯାଇଥିବା ଶ୍ରୀ ମିଶ୍ର କହିଥିଲେ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, ମନ୍ତ୍ରୀ ଅରୁଣ କୁମାର ସାହୁ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe