ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ: ଓଡ଼ିଆ ଅସ୍ମିତାକୁ ନେଇ ଘେରିଲେ ବିରୋଧୀ

Advertisment

ଶାସକ ଦଳର କିଛି ଲୋକ ସବୁ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି।  ଓଡ଼ିଆ ଅସ୍ମିତା କାହାର ନିଜସ୍ବ ଠିକାଦାରୀ ନୁହେଁ। ୬୬ ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ହାରିଛନ୍ତି। ସେଠି କ’ଣ ଓଡ଼ିଆ ଅସ୍ମିତା ଜନ୍ମ ନେଇ ନଥିଲା? ୬୦% ଲୋକ ବିଜେପିକୁ ଭୋଟ୍‌ ଦେଇନାହାନ୍ତି।

ଶାସକ ଦଳର କିଛି ଲୋକ ସବୁ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି।  ଓଡ଼ିଆ ଅସ୍ମିତା କାହାର ନିଜସ୍ବ ଠିକାଦାରୀ ନୁହେଁ। ୬୬ ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ହାରିଛନ୍ତି। ସେଠି କ’ଣ ଓଡ଼ିଆ ଅସ୍ମିତା ଜନ୍ମ ନେଇ ନଥିଲା? ୬୦% ଲୋକ ବିଜେପିକୁ ଭୋଟ୍‌ ଦେଇନାହାନ୍ତି।

assembly2

ଭୁବନେଶ୍ବର: ଶାସକ ଦଳର କିଛି ଲୋକ ସବୁ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି।  ଓଡ଼ିଆ ଅସ୍ମିତା କାହାର ନିଜସ୍ବ ଠିକାଦାରୀ ନୁହେଁ। ୬୬ ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ହାରିଛନ୍ତି। ସେଠି କ’ଣ ଓଡ଼ିଆ ଅସ୍ମିତା ଜନ୍ମ ନେଇ ନଥିଲା? ୬୦% ଲୋକ ବିଜେପିକୁ ଭୋଟ୍‌ ଦେଇନାହାନ୍ତି। ସେମାନେ କ’ଣ ଓଡ଼ିଆ ଅସ୍ମିତାର ବାହକ ନୁହନ୍ତି? ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା ଉଦ୍ରେକ ହେବ କି ନାହିଁ, ତାହାକୁ ଅପେକ୍ଷା କରିଛୁ। ଓଡ଼ିଶାର ସ୍ବାର୍ଥ ପୂରଣ ହେଲେ ହିଁ ଓଡ଼ିଆ ଅସ୍ମିତା ଆଗକୁ ଯିବ। ଆଜି ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ସରକାରଙ୍କୁ ଏମିତି ଟାର୍ଗେଟ୍‌ କରିଥିଲେ ବିଜେଡି ବିଧାୟକ ଅରୁଣ କୁମାର ସାହୁ। ଆଲୋଚନା ଆରମ୍ଭ କରି ଶ୍ରୀ ସାହୁ କହିଲେ, ଶାସକ ଦଳ ସଭ୍ୟମାନେ ସବୁବେଳେ ୨୪ ବର୍ଷ କଥା ଉଠାଉଛନ୍ତି। ୨୪ ବର୍ଷରେ କିଛି ହୋଇନି ବୋଲି  କହୁଛନ୍ତି। ୨୦୦୦ ମସିହାରେ ୧୧ ହଜାର କୋଟି ଟଙ୍କାର ବଜେଟ୍ ଓ ୧୮ ହଜାର କୋଟି ଟଙ୍କାର ଋଣ ଥିଲା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି-ବିଜେପି ସରକାର ଗଠନ ହୋଇଥିଲା। ୨୦୨୪ରେ ବଜେଟ୍‌ର ଆକାର ୨ ଲକ୍ଷ ୫୫ ହଜାର କୋଟିରେ ପହଞ୍ଚିଲା। ଋଣ ପରିମାଣ ୯୬ ହଜାର କୋଟି ଟଙ୍କା। ଦେଶରେ ପ୍ରଗତିଶୀଳ ରାଜ୍ୟ ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟମାନଙ୍କର ବଜେଟ ଠାରୁ ଋଣ ପରିମାଣ ଅଧିକ। ବିଜେଡି ସରକାର ସମୟରେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ। ଓଡ଼ିଶାରେ ଅର୍ଦ୍ଧାହାର, ଅନାହାର ନାହିଁ। କେନ୍ଦ୍ରରେ ବିଜେପି ସରକାର ଦେଇଥିବା ମାନଦଣ୍ଡ ଆଧାରରେ ପିଏମ୍ କିଷାନ ଯୋଜନାରେ ଓଡ଼ିଶାରୁ ୩୦ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହେଲେ। ଏବେ କେନ୍ଦ୍ର ସରକାରଙ୍କୁ କହି ମାନଦଣ୍ଡ ବଦଳାଇ ସବୁ ଚାଷୀଙ୍କୁ ସହାୟତା ଦିଅନ୍ତୁ। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ବଜେଟ୍‌ରେ ୫ ବର୍ଷକୁ ଲକ୍ଷ୍ୟ ରଖି ଯୋଜନା କରିବା କଥା। ହେଲେ ଏଥିରେ ବର୍ଷକ ପାଇଁ ଯୋଜନା ହେଲା ଭଳି ଲାଗୁଛି। ବିଜେଡି ପକ୍ଷରୁ ଗୌତମବୁଦ୍ଧ ଦାସ, ଗଣେଶ୍ବର ବେହେରା, ଅଶ୍ବିନୀ ପାତ୍ର ଓ ଅରବିନ୍ଦ ମହାପାତ୍ର ଏହାକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ରାଜ୍ୟରେ ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ସମ୍ବିଧାନ ପ୍ରଦତ୍ତ ସଂଖ୍ୟାନୁପାତିକ ସଂରକ୍ଷଣ ପ୍ରଦାନ କରାଗଲା ନାହିଁ। ମୁଣ୍ଡପିଛା ଆୟରେ ଆମେ ତଳେ ରହିଛୁ। ସ୍ବାସ୍ଥ୍ୟ ବିଭାଗର ସର୍ବାଧିକ ପଦବି ଖାଲି ପଡ଼ିବା ସରକାରଙ୍କ ଅପାରଗତାକୁ ଦର୍ଶାଉ ନାହିଁ କି? ଦିଲ୍ଲୀରେ ୩୦୦ ୟୁନିଟ୍ ବିଜୁଳି ଛାଡ଼ ହୋଇଥିଲା ବେଳେ ଓଡ଼ିଶାରେ ୧୦୦ ୟୁନିଟ୍ କାହିଁକି ଛାଡ଼ ହୋଇ ନାହିଁ। ସୁଭଦ୍ରା ଯୋଜନାରେ ଦିନକୁ ମାତ୍ର ୨୭ ଟଙ୍କା ଦିଆଯାଉଛି। ଏଥିରେ ମହିଳାମାନେ କି ପ୍ରକାର ସ୍ବାବଲମ୍ବୀ ହେବେ? ଖାଲି ନାଁ ଓ ରଙ୍ଗ ବଦଳାଇଲେ ହେବନି। କାମ କରିବା ଦରକାର। ଖଣିଜ ସମ୍ପଦ ଭରପୂର ଥିଲେ ବି ଖଣି ଅଞ୍ଚଳର ଲୋକଙ୍କର ଜୀବନ ଧାରଣ ମାନ ବଢ଼ୁନି। କୋଟିଆରେ ଆନ୍ଧ୍ରପ୍ରଦେଶ ସଭା କରୁଛି ଏବଂ ନାନା ଫନ୍ଦି ଫିକର କରି ଲୋକଙ୍କୁ ନିଜ ଆଡ଼କୁ ଟାଣୁଛି। ସେଠାରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା? 

ଶାସକ ଦଳ ସଭ୍ୟମାନଙ୍କ ଯୁକ୍ତି ଥିଲା, ପୂର୍ବ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ହାଇଜ୍ୟାକ୍ କରୁଥିଲେ। ନୂଆ ସରକାର ଆସିଲା ପରେ ୨୪ ଘଣ୍ଟା ଭିତରେ ପୁରୀରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଗଲା। ୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା। ସାଧାରଣ ଜନତା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇପାରିଲେ। ସୁଭଦ୍ରା ଯୋଜନା ପରି ଏକ ଐତିହାସିକ ଯୋଜନା ବି ଆରମ୍ଭ ହୋଇଛି। ବିଜେଡି କହୁଛି ଆମର ବଳକା ବଜେଟ୍। ହେଲେ ରାଜ୍ୟରେ ଏବେବି ୯୮,୬୨୦ ଶିଶୁ ଅପପୁଷ୍ଟିର ଶିକାର, ଜା‌ତୀୟ ପରିବାର ସ୍ବାସ୍ଥ୍ୟ ସେର୍ବକ୍ଷଣ କହୁଛି ୧୦.୭ଲକ୍ଷ ପିଲା ବୟସ ତୁଳନାରେ ଗେଡ଼ା, ୫.୧୩ଲକ୍ଷ ପିଲାଙ୍କର ଉଚ୍ଚତା ତୁଳନାରେ କମ୍‌ ଓଜନ, ୧୦.୮% ପିଲାଙ୍କର ଓଜନ କମ୍। ରାଜ୍ୟର ବଳକା ବଜେଟ୍ ହୋଇକି ଲାଭ କ’ଣ? ୨୦୩୬ ବେଳକୁ ଓଡ଼ିଶା ସବୁଠୁ ସମୃଦ୍ଧଶାଳୀ ରାଜ୍ୟ ହେବ। ବିଜେପି ପକ୍ଷରୁ ସନାତନ ବିଜୁଳି, ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂହ, ସ‌ନ୍ତୋଷ ଖଟୁଆ, ଆଶ୍ରିତ ପଟ୍ଟନାୟକ, ଅମର ନାୟକ, ଅଶୋକ ମହାନ୍ତି, ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ଏହି ବିନିଯୋଗ ବିଧେୟକକୁ ସମର୍ଥନ କରିଥିଲେ।

୫-ଟି ସ୍କୁଲ ରୂପାନ୍ତରର ହିସାବ କିତାବ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୦/୯(ଇମିସ): ଶିକ୍ଷାର ମୂଳଦୁଆ ଅର୍ଥାତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଉନ୍ନତ ନ ହେଲେ ଉଚ୍ଚଶିକ୍ଷା କେବେ ବି ଉନ୍ନତ ହୋଇପାରିବ ନାହିଁ। ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତର ନାଟକ ଚାଲିଲା ଏବଂ ଗଣମାଧ୍ୟମରେ ଯେଉଁ ପ୍ରଚାର ପ୍ରସାର ଚାଲିଲା ତାହାକୁ ଆମେ ସମସ୍ତେ ଦେଖିଛୁ। କିନ୍ତୁ ଏହି ସବୁ ସ୍କୁଲର ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳୁଛି। ମୋ ପାଖକୁ ଏ ବିଷୟରେ ଅନେକ ଅଭିଯୋଗ ଆସିଲାଣି। ଖୁବ୍‌ ଶୀଘ୍ର ୫-ଟି ସ୍କୁଲ ରୂପାନ୍ତରର ହିସାବ କିତାବ ହେବ। ସ୍କୁଲ ରୂପାନ୍ତର ନାଁରେ ଯେଉଁ ନାଟକ ଚାଲିଥିଲା ତା’ର ପର୍ଦ୍ଦାଫାସ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 

ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ କରିବା ନେଇ ହୋଇଥିବା ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷା ବ୍ୟବସ୍ଥାର ଉତ୍କଟ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ ବିଗତ କିଛି ବର୍ଷରେ ଆମ ରାଜ୍ୟରେ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନରେ  ଅହେତୁକ ଅବନତି ଘଟିଛି। ଅନେକ ସ୍ଥାନରେ ଦେଖା ଦେଉଛି ଯେ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ଦ୍ବିତୀୟ କିମ୍ବା ତୃତୀୟ ଶ୍ରେଣୀର ପାଠ, ମାନସାଙ୍କ କିମ୍ବା ସରଳ ଗଣିତ ସମାଧାନ କରିବାରେ ଅସମର୍ଥ ହେଉଛନ୍ତି। ଏହାର ଗୋଟିଏ ମୁଖ୍ୟ କାରଣ ହେଉଛି ଆଧୁନିକ ଭିତ୍ତିଭୂମି ତଥା ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘୋର ଅଭାବ। ହେଲେ ୨୪ବର୍ଷ ସରକାରରେ ଏକଥା ଚିନ୍ତା କରାଗଲାନି। ଶିକ୍ଷକ ଅଭାବ ଦୂର ନକରି ସ୍କୁଲ କୋଠାରେ ରଙ୍ଗ ବୋଳାଗଲା। କିନ୍ତୁ ଆମେ ଖୁବ୍‌ ଶୀଘ୍ର ୨୦ହଜାର ଶିକ୍ଷକ ପଦବି ପୂରଣ କରିବୁ। 

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବଜେଟରେ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ୱପ୍ନକୁ ସାକାର  କରିବା ପାଇଁ ଆମେ ପରିବର୍ତ୍ତନ, ବିକାଶ, ସୁଶାସନ ଏବଂ ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଇଛୁ। ଏହି ବଜେଟରେ ଆମେ ‘ବିକଶିତ ଭାରତ’ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ହାସଲ ପାଇଁ ମୂଳଦୁଆ ଉପସ୍ଥାପନ କରିଛୁ। ରାଜ୍ୟର ବିକାଶ ହେବ ଜନମତକୁ ନେଇ, ଶାସକଙ୍କ ମତକୁ ନେଇ ନୁହେଁ।  ଏହି ଅବସରରେ ବିରୋଧ ଦଳକୁ ସମାଲୋଚନା କରି ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସୋହେଲାରେ ଚାଷୀଙ୍କୁ ଧାନ ଏମ୍‌ଏସ୍‌ପି ଉପରେ ୧୦୦ଟଙ୍କା ବୋନସ୍ ଦେବେ ବୋଲି କହିଥିଲେ। ହେଲେ ଦେଇପାରିଲେନି। ଆମେ ସରକାର ଗଢ଼ିବାର ଘଣ୍ଟାକ ମଧ୍ୟରେ ଧାନ ଏମ୍‌ଏସ୍‌ପି ୩୧୦୦ଟଙ୍କା ଘୋଷଣା କଲୁ। ଏବେ ୮୦୦ଟଙ୍କା ବୋନସ୍ ଦେବୁ। କାଳିଆ ଯୋଜନାରେ ବର୍ଷକୁ ୧୦ହଜାର ଟଙ୍କା ଦେବେ ବୋଲି କହିଥିଲେ, କିନ୍ତୁ ବର୍ଷକୁ ୪ହଜାର ଟଙ୍କା ଦେଲେ କାହିଁକି? ଆମେ ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏ ଦେବୁ। ‌କଥାରେ ଅଛି, ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’। କିନ୍ତୁ ବିଗତ ସରକାର ମାତୃଭାଷାକୁ ତ ଉଚ୍ଚ କଲେ ନାହିଁ। ବରଂ ଶିକ୍ଷାକୁ ଅପବ୍ୟବହାର କରି ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇ କିଛି ନେତା ଓ ବ୍ୟକ୍ତି ନିଶ୍ଚିତ ଭାବେ କେଳେଙ୍କାରୀ କରି ଉଚ୍ଚା ହୋଇଯାଇଛନ୍ତି ବୋଲି ଭାବୁଛନ୍ତି। ଦେଖିବା କଥା କେତେ ଦିନ ଏ ଢଙ୍ଗ ରହିବ।

ଶ୍ରୀ ମାଝୀ କହିଥିଲେ, ଗତ ପାଞ୍ଚ ବର୍ଷରେ ବିଶ୍ବସ୍ତରୀୟ  ସ୍ୱାସ୍ଥ୍ୟସେବା ନାଁରେ ପ୍ରହସନ ଚାଲିଥିଲା। ସ୍ୱାସ୍ଥ୍ୟସେବା କେବଳ ଟିଭି ଓ ସାମାଜିକ ଗଣମାଧ୍ୟମରେ ସୀମିତ ଥିଲା। ଏବେ ସମସ୍ତ ହସ୍ପିଟାଲର ଭିତ୍ତିଭୂମି ବଢ଼ିବ। ଖୁବ୍‌ ଶୀଘ୍ର ରାଜ୍ୟରେ ୩ହଜାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ପାଇବେ। ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ସମୁଦାୟ ୨୧,୨୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ସମୁଦାୟ ରାଜ୍ୟ ବଜେଟର ୮%।  ଏହା ଦ୍ବାରା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟର ଆକାର ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ ସ୍ତରରେ ପହଞ୍ଚି ପାରିଛି। ମହିଳାଙ୍କ ବିରୋଧରେ ହିଂସା ଓ ଅତ୍ୟାଚାର ମାମଲା ସବୁକୁ ଯଥାଶୀଘ୍ର ବିଚାର ପ୍ରକ୍ରିୟାକୁ ନେଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ। ଆମ ସରକାର ମହିଳା ହିଂସା ଓ ଅତ୍ୟାଚାର ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଇଛି।

ସରକାର ଚାଷ ଓ ଚାଷୀଙ୍କୁ ଫୋକସ୍ କରୁଛନ୍ତି। ଏବେ ୫୮ଟି ଉପଖଣ୍ଡରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ୫ବର୍ଷରେ ସବୁ ବ୍ଲକ୍‌ରେ ଶୀତଳଭଣ୍ଡାର କରିବୁ। କୃଷି ପରି ଶିଳ୍ପକୁ ଫୋକସ୍ କରୁଛୁ। ୨୦୨୯ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ଆଣିବା ପାଇଁ ଯୋଜନା କରୁଛୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ‌ଯୋଜନା ବିଷୟରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe