ବିଧାନସଭା ଚାଲିପାରୁନି: ବାଚସ୍ପତିଙ୍କ ଉପରକୁ ବ୍ୟାନର, କାଗଜ ଫିଙ୍ଗିଲେ କଂଗ୍ରେସ ବିଧାୟକ

Advertisment

ଆଜି ବିଧାନସଭା ଚାଲିପାରିନି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଦିନତମାମ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦୁଇ ବିରୋଧୀ ଦଳର ପ୍ରସଙ୍ଗ ଥିଲା ଭିନ୍ନ ଭିନ୍ନ। ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍‌ ବୋଲି ଜୟନାରାୟଣ....

ଆଜି ବିଧାନସଭା ଚାଲିପାରିନି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଦିନତମାମ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦୁଇ ବିରୋଧୀ ଦଳର ପ୍ରସଙ୍ଗ ଥିଲା ଭିନ୍ନ ଭିନ୍ନ। ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍‌ ବୋଲି ଜୟନାରାୟଣ....

dsdsdcxxcd

ଭୁବନେଶ୍ବର: ଆଜି ବିଧାନସଭା ଚାଲିପାରିନି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଦିନତମାମ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦୁଇ ବିରୋଧୀ ଦଳର ପ୍ରସଙ୍ଗ ଥିଲା ଭିନ୍ନ ଭିନ୍ନ। ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍‌ ବୋଲି ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟ ପ୍ରତିବାଦ କରି ଅଖଣ୍ଡ ଓଡ଼ିଶାର ସ୍ଲୋଗାନ୍ ଦେଇଥିଲେ ବିଜେଡି ବିଧାୟକ। ‌ରାଜ୍ୟରେ ମହିଳା ନିର୍ଯାତନା ବଢ଼ୁଥିବାରୁ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ। ତେବେ ଉଲ୍ଲେଖନୀୟ ବିଷୟ ହେଉଛି ଯେ ବିଜେପିର ସଭ୍ୟମାନେ ବିରୋଧୀ ଦଳକୁ ଓଡ଼ିଆ ଅସ୍ମିତାର ପାଠ ପଢ଼ାଇଥିଲେ ବି ଜୟନାରାୟଣଙ୍କ ମନ୍ତବ୍ୟ ଠିକ୍ କି ଭୁଲ୍‌, ସେ ସମ୍ପର୍କରେ ପଦୁଟିଏ କହି ନଥିଲେ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଦେଖାଇ ‌ସ୍ଲୋଗାନ୍ ଦେଇ ଗୃହକୁ ପ୍ରବେଶ କରିଥିଲେ। 

ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅନନ୍ତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେଡି ସଭ୍ୟମାନେ ବି ଗୃହ ମଧ୍ୟ ଭାଗକୁ ଆସିଲେ। କଂଗ୍ରେସ ସଭ୍ୟଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା, ‘ମୋହନ ସରକାରରେ ମହିଳା ଅସୁରକ୍ଷିତ’, ‘ସ୍କୁଲ୍‌ ଛାତ୍ରୀ ଏଠି ହୁଅନ୍ତି ଗର୍ଭବତୀ, ସୁରକ୍ଷିତ ଏଠି ମହିଳା ଏମିତି’, ‘ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଆସିବାସୀ ମହିଳାଙ୍କୁ କେବେ ସୁରକ୍ଷା ଦେବେ’। ବିଜେଡି ସଭ୍ୟଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା, ‘ଓଡ଼ିଶାର ଏକତା, ଅଖଣ୍ଡତା ହେଉଛି ଓଡ଼ିଆ ଅସ୍ମିତା’, ‘ଆମେ ଓଡ଼ିଆ, ଓଡ଼ିଶା ଆମର ଅସ୍ମିତା’, ‘ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ’, ‘ବିଭାଜନକାରୀ ଶକ୍ତି ସାବଧାନ ହୁଅ’। କଂ‌ଗ୍ରେସ ଓ ବିଜେଡି ସଭ୍ୟମାନେ ନାରାବାଜି କରି ଗୃହ କମ୍ପାଇଥିଲେ। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ ବି କିଛି ଶୁଣାଯାଇ ନଥିଲା। ‌ବାଧ୍ୟ ହୋଇ ସେ ମଧ୍ୟାହ୍ନ ୧୨ଟା ୯ ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ। ଏହା ପରେ ବିଜେଡି ସଭ୍ୟମାନେ ବିଧାନସୌଧ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ବିଜେଡି ଉଠାଇଲା ଓଡ଼ିଆ ଅସ୍ମିତା ପ୍ରସଙ୍ଗ
ନାରୀ ନିର୍ଯାତନାର ପ୍ରତିବାଦ କଲା କଂଗ୍ରେସ
ଜୟନାରାୟଣଙ୍କ ମନ୍ତବ୍ୟ ଉପରେ କିଛି କହିଲେନି ବିଜେପି ବିଧାୟକ

୧୨ଟା ୯ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ତେବେ ଶାସକ ଦଳର ସଭ୍ୟ ଅମର ନାୟକ ଓ ଟଙ୍କଧର ତ୍ରିପାଠୀ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଥିଲେ। ଶ୍ରୀ ନାୟକ କହିଲେ, ୨୪ ବର୍ଷ ସରକାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରିଲେ ନାହିଁ। ପୂର୍ବ ସରକାରରେ ଓଡ଼ିଶା ସବୁଥିରୁ ବଞ୍ଚିତ ଥିଲେ। ଉତ୍ତରରୁ ଦକ୍ଷିଣ ଯାଏ ସବୁଠି ସୀମା ବିବାଦ। ଓଡ଼ିଆ ଅସ୍ମିତା କଥା କହୁଥିବା ଦଳର ଲୋକେ ତାମିଲ ଅଧିକାରୀଙ୍କ ପାଇଁ ଟେଣ୍ଟ୍‌ ବାନ୍ଧୁଥିଲେ। ‌ସେତେବେଳେ ଓଡ଼ିଆ ଅସ୍ମିତା କୁଆଡ଼େ ଯାଇଥିଲା? ଠିକା କାମ, ଶିକ୍ଷା ସବୁଥିରେ ଓଡ଼ିଆ ଉପେକ୍ଷିତ ହୋଇଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ, ବିଜୁ ବାବୁଙ୍କ ନାଁରେ ଯେଉଁ ଦଳ ଗଢ଼ାଯାଇଛି, ତାହାର ଅବସ୍ଥା ଦେଖି ତାଙ୍କ ଆତ୍ମା ଦୁଃଖୀ ହେଉଥିବ। ୨୪ ବର୍ଷର ଶାସନରେ ଏହି ଦଳ ଓଡ଼ିଆ ଅସ୍ମିତାକୁ ତଳିତଳାନ୍ତ କରିଛନ୍ତି। କିନ୍ତୁ ବିଜେପି ସରକାର ଓଡ଼ିଆ ଅସ୍ମିତା ପାଇଁ ପ୍ରତିଶ୍ରୁତିବଦ୍ଧ। ହଟ୍ଟଗୋଳ ନକମିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। 
୧ଟା ବେଳେ ପୁଣି ବିଜେଡି ଓ କଂଗ୍ରେସ ସଭ୍ୟମାନେ ‌ହୋହଲ୍ଲା କଲେ। ବିଧାୟକ ଶାରଦା ପ୍ରଧାନ କହିଥିଲେ, କଂଗ୍ରେସ ସରକାର ସମୟରେ ରାଜ୍ୟରେ ନାରୀ ନିର୍ଯାତନା କେତେ ବଢ଼ିଥିଲା ତାହା ସମସ୍ତେ ଜାଣନ୍ତି। ସେହି କଥା ଏବେ ବି ଲୋକଙ୍କ ମନରୁ ଲିଭିନି। ବିଜେଡି ଓଡ଼ିଆ ଅସ୍ମିତା କେଉଁଠୁ ଆଣିଲା। ୨୪ ବର୍ଷର ଶାସନରେ ପାରଳା ମହାରାଜା, ହରେକୃଷ୍ଣ ମହତାବଙ୍କୁ ଏହି ଦଳ ସମ୍ମାନ ଦେଇ ନଥିଲା।

ସେହି ଦଳର ସଭାପତି ଦୁଇ ଧାଡ଼ି ଓଡ଼ିଆରେ ଲେଖିପାରିବେନି କି କହିପାରିବେନି। ପୁଣି ସେହି ଦଳର ମାର୍ଗଦର୍ଶକ ମଧ୍ୟ ବାହାର ରାଜ୍ୟର। ପୂର୍ବ ସରକାରଙ୍କ ସବୁ ଉପଦେଷ୍ଟା ବି ଥିଲେ ଅଣଓଡ଼ିଆ। ବିଜେଡିର ନେତାମାନେ ତ ପୋଷ୍ଟରରୁ ବିଜୁ ବାବୁଙ୍କ ଫଟୋ କାଟି ଭି କେ ପାଣ୍ଡିଆନଙ୍କ ଫଟୋ ଲଗାଉଥିଲେ। ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୪ଟା ବେଳେ ବି ସ୍ଥିତିରେ କିଛି ପରିବର୍ତ୍ତନ ଆସି ନଥିଲା। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍ ଭାଙ୍ଗିବାକୁ ବାରମ୍ବାର ଉଦ୍ୟମ କରିଥିଲେ। ହେଲେ ବାଚସ୍ପତିଙ୍କ ମାର୍ଶଲ ଓ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇଥିଲେ। କଂଗ୍ରେସ ଓ ବିଜେଡି ବିଧାୟକମାନେ ହଟ୍ଟଗୋଳ କରୁଥିବାବେଳେ ବାଚସ୍ପତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ବେକରେ ପକାଇଥିବା ବ୍ୟାନର ଓ ହାତରେ ଧରିଥିବା କାଗଜକୁ ଚିରି ବାଚସ୍ପତିଙ୍କ ଉପ‌ରକୁ ଫୋପାଡ଼ିଥିଲେ। ଏହାପରେ ଆଉ ଦୁଇ ତିନି ଜଣ କଂଗ୍ରେସ ବିଧାୟକ ମଧ୍ୟ ହାତରେ ଧରିଥିବା ପୋଷ୍ଟରକୁ ଚିରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫୋପାଡ଼ିଥିଲେ। ଏହାପରେ କଂଗ୍ରେସ ବିଧାୟକମା‌ନେ ଗୃହ ତ୍ୟାଗ କରିଥିଲେ। ତେବେ ବିଜେଡି ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିଲେ। ଏହି ହଟ୍ଟଗୋଳ ଭିତରେ ଖର୍ଚ୍ଚଦାବି ପାରିତ ହୋଇଥିଲା ଏବଂ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe