ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌

ଜଣେ ଚାଷୀଙ୍କ ଜମିରେ ଅଗଭୀର ନଳକୂପ ଖନନରେ ସବସିଡି କରାଇଦେବା ନାମରେ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଛନ୍ତି ଉମରକୋଟ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ଟଙ୍କା ଜବତ କରିଛନ୍ତି।

vigilance raid

vigilance raid Photograph: (sambad.in)

ନବରଙ୍ଗପୁର/ଉମରକୋଟ: ଚାଷୀଙ୍କ ଜମିରେ ଅଗଭୀର ନଳକୂପ ଖନନରେ ସବସିଡି କରାଇଦେବା ନାମରେ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଉମରକୋଟ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତର ଜାମପଦର ଗାଁର ଚାଷୀ ଲଖିଧର ମାଝୀ ନିଜ ଜମିରେ ସରକାରଙ୍କ ଜଳନିଧୀ ଯୋଜନାରେ ଏକ ଅଗଭୀର ନଳକୂପ ଖନନ କରିଥିଲେ, ଯାହାର ସବସିଡି ରହିଥିଲା ୫୦ହଜାର ଟଙ୍କା। ଏଥି ପାଇଁ କୃଷି ବିଭାଗର ଏକ ଭେରିଫିକେସନ୍ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି। ଏହି ଭେରିଫିକେସନ୍ କରି ରିପୋର୍ଟ ଦେବା ପାଇଁ ସହକାରୀ କୃଷି ଅଧିକାରୀ ନିଳକଣ୍ଠ ପରିଡା ଓ ବିଟିଏମ ସୁରେନ୍ଦ୍ର ବୁନ୍ଦେଲା ଚାଷୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହି ୨ ଜଣ କର୍ମଚାରୀ କୁଆଡେ ଆଜି ତାଙ୍କ ଜମିକୁ ଯାଇ ଭେରିଫିକେସନ୍ କରାଯିବ ମାଗିଥିବା ଟଙ୍କା ରଖିଥାଅ ବୋଲି ଫୋନ୍‌ ଯୋଗେ କହିଥିଲେ। ସେ ଅନୁଯାୟୀ ଚାଷୀ ନବରଙ୍ଗପୁର ଭିଜିଲାନସ୍‌ର ସହାୟତା ନେଇଥିଲେ। ଆଜି ଏହି ୨ ଜଣ କର୍ମଚାରୀ ଚାଷୀଙ୍କ ଜମିକୁ ଯାଇ ଭେରିଫିକେସନ୍ କରିବା ସହ ସେମାନେ ମାଗିଥିବା ଅର୍ଥ ମାଗିଥିଲେ। ତେବେ ଚାଷୀ ଲଖିଧର ଘରେ ପଇସା ଅଛି ଘରକୁ ଗଲେ ଟଙ୍କା ଦେବି ବୋଲି କହିଥିଲେ। ଏହି ୨ ଜଣ କର୍ମଚାରୀ ଭେରିଫିକେସନ୍ ସରିବା ପରେ ପ୍ରାୟ ମଧ୍ୟାଇହ୍ନ ୧୨ ଘଣ୍ଟା ବେଳେ ଚାଷୀଙ୍କ ଘରକୁ ଯାଇଥିଲେ।

ଚାଷୀ ଲଖିରାମ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରସାୟନ ରଙ୍ଗ ମିଶା ୫ ହଜାର ଟଙ୍କାକୁ ଦେବା ବେଳେ ବିଟିଏମ୍ ସୁରେନ୍ଦ୍ର ବୁନ୍ଦେଲା ଗ୍ରହଣ କରିଥିଲେ। ପୂର୍ବରୁ ଜଗିରହିଥିବା ନବରଙ୍ଗପୁର ଭିଜିଲାନସ୍‌ର ଟିମ୍ ଏହି ୨ ଜଣ କର୍ମଚାରୀଙ୍କୁ କାବୁ କରିବା ସହ ସେମାନେ ଗ୍ରହଣ କରିଥିବା ଟଙ୍କାକୁ  ଜବତ କରିଥିଲେ। ଏହା ପରେ ଭିଜିଲାନସ୍ ଟିମ୍ ଉମରକୋଟ କୃଷି କାର୍ଯ୍ୟାଳୟକୁ ଆସି ଏହି ଯୋଜନା ସଂକ୍ରାନ୍ତୀୟ ଫାଇଲକୁ ଜବତ କରିଥିଲେ।

ପରେ ଟିମ୍ ବିଟିଏମ୍ କୃଷି କାର୍ଯ୍ୟାଳୟ ପରିସରରେ ରହୁଥିବା ସରକାରୀ କ୍ବାର୍ଟର ଏବଂ ସହକାରୀ କୃଷି ଅଧିକାରୀ ରହୁଥିବା ଧୋଡ୍ରା ଠାରେ ଭଡା ଘରେ ତଦନ୍ତ କରିଥିଲେ। ବିଟିଏମ୍‌ର ଘର ଗ୍ବାଲିଅର ଠାରେ ହୋଇଥିବା ବେଳେ ସହକାରୀ କୃଷି ଅଧିକାରୀଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି। ଏହିଚଢ଼ାଉରେ ଡିଏସପି ଜୟଶ୍ରୀ ପ୍ରଧାନ, ଅଜିତ ପାଢ଼ୀ, ଦିବ୍ୟ ନନ୍ଦନ ବେହେରା, ବସନ୍ତ ବାଗ, ବଳରାମ ମାଝୀ, ନାଗଭୁଷଣ ନାୟକ ପ୍ରମୁଖ ଭାଗ ନେଇଥିଲେ। ଉଭୟଙ୍କୁ ଜୟପୁର ସ୍ଥିତ ମୁଖ୍ୟାଳୟକୁ ପଠାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe