ସିଏମ୍‌ଓଙ୍କ ନିର୍ଦେଶ ପରେ ଜଳପରୀ ଅର୍ପିତାଙ୍କୁ ସହାୟତା: ସନ୍ତରଣ ପ୍ରଶିକ୍ଷଣ ସହ ପାଠପଢ଼ା ଦାୟିତ୍ୱ ନେଲେ ଜିଲ୍ଲାପାଳ

Advertisment
ସିଏମ୍‌ଓଙ୍କ ନିର୍ଦେଶ ପରେ ଜଳପରୀ ଅର୍ପିତାଙ୍କୁ ସହାୟତା: ସନ୍ତରଣ ପ୍ରଶିକ୍ଷଣ ସହ ପାଠପଢ଼ା ଦାୟିତ୍ୱ ନେଲେ ଜିଲ୍ଲାପାଳ

ଏସ୍‌. ରାମପୁର : ଜଳପରୀ ଭାବେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରଣୀ ରାଜେଶ୍ବରୀ ସେଠୀ ଓରଫ୍ ଅର୍ପିତାଙ୍କୁ ସହାୟତାର ହାତ ବଢ଼ାଇଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଅର୍ପିତାଙ୍କ ପ୍ରଶିକ୍ଷଣ ଓ ପାଠପଢ଼ା ଦାୟିତ୍ବ ନେଇଛନ୍ତି।

ପ୍ରକାଶ ଯେ ଅତି କମ୍‌ ବୟସରୁ ଅର୍ପିତାଙ୍କ ସନ୍ତରଣ ଦକ୍ଷତା ସ୍ପଷ୍ଟ ଜଣାପଡ଼ିଛି। ଏବେ ତାଙ୍କୁ ମାତ୍ର ୬ ବର୍ଷ ବ‌ୟସ ହେଉଥିଲେ ମଧ୍ୟ ସେ ୨୫୦ରୁ ୩୦୦ ମିଟର ପୋଖରୀର ଏମୁଣ୍ଡରୁ ସେମୁଣ୍ଡକୁ ଅକ୍ଳେଶରେ ପହଁରି ଅତିକ୍ରମ କରି ପାରୁଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଝିଅର ପ୍ରତିଭା ବିକଶିତ କରିବା ପାଇଁ ଅସମର୍ଥ। ଏ ସଂପର୍କରେ ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଅର୍ପିତା। ତାଙ୍କୁ ଜଳପରୀ ଭାବେ ନୂଆ ପରିଚୟ ମିଳିଥିଲା। ଏତେ ସବୁ ପରେ ବି ପ୍ରଶାସନ ପକ୍ଷରୁ ବିଶେଷ ସହାୟତା ମିଳିଲା ନାହିଁ। ସନ୍ତରଣ ପ୍ରଶିକ୍ଷଣ ପାଇଁ ପ୍ରଶାନ୍ତ ଝିଅକୁ ସମୟ ଦେଇ ପାରିଲେ ନାହିଁ।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଡେପୁଟି କଲେକ୍ଟର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଜରିଆରେ ଦୁଇଦିନ ତଳେ ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ୨ ତାରିଖ ଦିନ ଜିଲ୍ଲାପାଳଙ୍କୁ ଦେଖାକରିବାକୁ ତହସିଲଦାର କହିଥିଲେ। ପ୍ରଶାନ୍ତ ଏବଂ ଅର୍ପିତା ବୁଧବାର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରିଥିଲେ। ଜିଲ୍ଲାପାଳ ଅର୍ପିତାଙ୍କ ସନ୍ତରଣ ପ୍ରଶିକ୍ଷଣ ସକାଶେ ସୋନପୁର ବିଜୁପଟ୍ଟନାୟ ନୂତନ ସନ୍ତରଣାଗାରରେ ମାଗଣା ରେଜିଷ୍ଟ୍ରେସନ ସାଙ୍ଗକୁ ଦକ୍ଷ କୋଚଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ଯୋଗାଇ ଦେବା ସହ ମାଗଣାରେ ପାଠପଢ଼ାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe