ବଲାଙ୍ଗୀର ବନ୍ୟା କ୍ଷତିପୂରଣ ବଣ୍ଟନରେ ପାତରଅନ୍ତର! ଅର୍ଜି ପାଇଁ ମାତିଛନ୍ତି ଦଲାଲ

Advertisment
ବଲାଙ୍ଗୀର ବନ୍ୟା କ୍ଷତିପୂରଣ ବଣ୍ଟନରେ ପାତରଅନ୍ତର! ଅର୍ଜି ପାଇଁ ମାତିଛନ୍ତି ଦଲାଲ

odishanewsonline.com

ବଲାଙ୍ଗୀର : ୨୦୧୯ ବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଦେଖିଥିଲା ଭୟଙ୍କରୀ ବନ୍ୟା। ପ୍ରବଳ ବର୍ଷାରେ ସାରା ସହର ଜଳମଗ୍ନ ହୋଇଥିଲା। ହଜାରହଜାର ପରିବାର ବେଘର ହୋଇଯାଇଥିଲେ। ବଡ଼ବଡ଼ନେତାଙ୍କ ତୁମ୍ବିତୁଫାନ ବି କମ୍‌ ନଥିଲା। କ୍ଷତିପୂରଣ ନେଇ ତଳଠୁ ଉପର ସବୁ ନେତାଙ୍କ ବଡ଼ବଡ଼ ଭାଷଣ। ଦାବି ବି ଅନେକ। ହେଲେ କିଛି କାମ କଲାନି। ଯାହା ବି କ୍ଷତିପୂରଣ ଟଙ୍କା ଆସିଲା ତାହାକୁ ବଣ୍ଟନରେ ବି ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ଯାହା ଘର ଭାଙ୍ଗିଛି ସେ କ୍ଷତିପୂରଣ ପାଇ ନଥିବା ବେଳେ ଅନେକଙ୍କ ଘର ଭାଙ୍ଗି ନଥିଲେ ବି ଟଙ୍କା ପାଇଛନ୍ତି। ଗରିବ ବେସାହାରା ଅନେକ ପରିବାର ଏବେ କ୍ଷତିପୂରଣ ଟଙ୍କା ନପାଇ ଏପଟସେପଟ ହେଉଛନ୍ତି। ପାଖରେ ନେତା, ଅଫିସର କେହିନଥିବା ବେଳେ ଏବେ ଦଲାଲମାନଙ୍କ ହାବୁଡରେ ବନ୍ୟା କ୍ଷତିଗ୍ରସ୍ତ ପଡ଼ିଛନ୍ତି। ପ୍ରତି ଅର୍ଜି ପାଇଁ ଶହଶହ ଟଙ୍କା ଦେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷତିପୂରଣ ଟଙ୍କା ପାଇବାକୁ ଆବେଦନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହରରେ ଲକ୍ଷ୍ମୀଯୋର ଉଭୟ କଡ଼ରେ ବସବାସ କରୁଥିବା ବହୁ ଗରିବଗୁରୁବାଙ୍କ ଘର ଭାଙ୍ଗିଥିଲା। ବନ୍ୟା ପାଣିରେ ସମସ୍ତେ ପରଘରେ ଆଶ୍ରୟ ନେଇଥିଲେ। ସେ ସମୟରେ ନେତାଙ୍କ ପ୍ରତିଶ୍ରୁତି ଥିଲା ଯାହା ଘର ଭାଙ୍ଗିଛି ସେମାନେ ସବୁ କ୍ଷତିପୂରଣ ପାଇବେ। ହେଲେ ଏବେ କ୍ଷତିପୂରଣ ବଣ୍ଟନ ସମୟରେ ନେତାଙ୍କ ଦେଖା ନାହିଁ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟହ ମହିଳାମାନେ ଦୌଡୁଛନ୍ତି। ଇନ୍ଦିରାନଗର, ତୁଲସୀନଗର, ତାଲପାଲିପଡ଼ାର ଶତାଧିକ ମହିଳା ଏବେ କ୍ଷତିପୂରଣ ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଉଦ୍‌ବେଗର କଥା ଚିଠି ଲେଖି ଜାଣୁନଥିବା କେତେକ ମହିଳାଙ୍କ ନିକଟରୁ କେତେ ଜଣ ଦଲାଲ ଶହଶହ ଟଙ୍କା ଆଦାୟ ବି କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କହିବା କିନ୍ତୁ ବେଶ୍‌ ଅଲଗା। ଯାହାର ଘର ସବୁ ଭାଙ୍ଗିଥିଲା ପ୍ରାୟ ସମସ୍ତଙ୍କୁ କ୍ଷତିପୂରଣ ଟଙ୍କା ମିଳି ସାରିଛି। ଏବେ ଯେଉଁମାନେ ଆସୁଛନ୍ତି ସେମାନେ ଅର୍ଜି ଦେଉଥିବା ସେ କହିଛନ୍ତି। ତେବେ ବନ୍ୟା ପର କ୍ଷୟକ୍ଷତି ସର୍ଭେ କରିଥିବା ଅଧିକାରୀଙ୍କ କାମକୁ ନେଇ ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେଉଁମାନେ ଓ କେମିତି ସର୍ଭେ କରିଛନ୍ତି ତାହାର ଯାଞ୍ଚ କରାଯାଉ ବୋଲି ଦାବି ହେଉଛି।

ଶହଶହ ଲୋକଙ୍କ ନିକଟକୁ କ୍ଷତିପୂରଣ ଟଙ୍କା ପହଞ୍ଚିନଥିବା ବେଳେ କେମିତି ସର୍ଭେ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁସାରେ, ବଲାଙ୍ଗୀର ଜିଲ୍ଲାକୁ ବନ୍ୟା କ୍ଷତିପୂରଣ ପାଇଁ ୩୨କୋଟି ୬୨ ଲକ୍ଷ ଟଙ୍କା ଆସିଥିଲା। ସେଥିମଧ୍ୟରୁ ବଲାଙ୍ଗୀର ତହସିଲ ଅଧୀନରେ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଦେବାକୁ ୧୫କୋଟି ଟଙ୍କା ଆସିଥିଲା। ସେ ମଧ୍ୟରୁ ଏଯାଏ ପ୍ରାୟ ୧୩କୋଟି ଟଙ୍କା ବଣ୍ଟନ ସରିଲାଣି। ଆଉ କିଛି ମାତ୍ର ବାକିଆ ରହିଛି ବୋଲି କୁହାଯାଉଛି। ପ୍ରତ୍ୟହ ଜିଲ୍ଲାପାଳଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ଦେଖିଲେ ଏବେ ବି ବହୁ ଲୋକ କ୍ଷତିପୂରଣ ଟଙ୍କା ପାଇବାରୁ ବାଦ ପଡ଼ିଥିବା ଜଣାଯାଇଛି। ଏଣୁ କ୍ଷତିପୂରଣ ଟଙ୍କା ବଣ୍ଟନକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe