କର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା

Advertisment
କର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା

ମାଲକାନଗିରି : ଆଦିମ ଜନଜାତିର ଛାତ୍ରୀ କର୍ମା ମୁଦୁଲିଙ୍କୁ ପାଠପଢ଼ା ଓ ହଷ୍ଟେଲ ଖର୍ଚ୍ଚ ପାଇଁ ଆଉ କୁଲି କାମ କରିବାକୁ ପଡ଼ିବନି। ସରକାର ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରି‌‌ବେ। ଏଭଳି ପ୍ରତିଶ୍ରୁତି ମିଳିବାପରେ ଶିକ୍ଷୟିତ୍ରୀ ହେବା ଲକ୍ଷ୍ୟ ପରିବର୍ତ୍ତେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ମନସ୍ଥ କରିଛନ୍ତି କର୍ମା। କର୍ମା କୁଲି କାମ ଛାଡ଼ି ଏବେ ଗାଁକୁ ଯିବାପାଇଁ ବାହାରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟମନ୍ତ୍ରୀ ରିଲଫ୍ ପାଣ୍ଠିରୁ କର୍ମା ମୁଦୁଲିଙ୍କୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରିବାପରେ ତାଙ୍କ ମୁହଁରେ ହସ ଫୁଟିଛି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ପଡ଼େଇଗୁଡା ଗ୍ରାମର କର୍ମା ମୁଦୁଲି ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ୮୨.୬୬ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପର୍‌ ହୋଇଥିଲେ। ଗୋଟିଏ ଟ୍ରଷ୍ଟ ଆର୍ଥିକ ସହାୟତା ଯୋଗାଇ ଦେବାରୁ ସେ ଭୁ‌ବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତତିନି ବାଣିଜ୍ୟ ବିଭାଗରେ ନାମ ଲେଖାଇଥିଲେ। କିନ୍ତୁ, ଛାତ୍ରୀନିବାସରେ ରହୁଥିବାରୁ ହଷ୍ଟେଲ ସହ ପାଠପଢ଼ା ଖର୍ଚ୍ଚ ପାଇଁ ମାସକୁ ପ୍ରାୟ ୩ ହଜାର ଟଙ୍କା ଆବଶ୍ୟକ ପଡ଼ୁଥିଲା। କର୍ମାଙ୍କ ପରିବାର ଗରିବ ହୋଇଥିବାରୁ ଏହି ଟଙ୍କା ପଠାଇ ପାରୁନଥିଲେ। ଗତ କିଛିଦିନ ହେଲା କର୍ମା ଖରାଛୁଟିରେ ଗାଁକୁ ଆସିଥିବା ବେଳେ ମାଲକାନିଗିରିରେ କୁଲି କାମ କରୁଥିଲେ।

କିଛିମାସର ହଷ୍ଟେଲ ଖର୍ଚ୍ଚ ସହ ହାତଖର୍ଚ୍ଚ ବାହାରି କରିବାକୁ ଗତ ୧୦ ଦିନ ଧରି କର୍ମା ସିମେଣ୍ଟ, ବାଲି ଓ ପଥର ବୋହୁଥିଲେ। ପାଠ ପଢ଼ିବା ପାଇଁ କର୍ମାଙ୍କ ସଂଘ‌ର୍ଷ କାହାଣୀ ଗଣମାଧ୍ୟମରେ ପ୍ରକାଶ ପକାଇବା ପରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆଜି ତାଙ୍କୁ ୩୦ହଜାର ଟଙ୍କା ପଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe