ସହକାରୀ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ; ଗାଡ଼ି ଭାଙ୍ଗିଲେ, ମୋବାଇଲ୍‌ ଛଡ଼ାଇ ନେଲେ

Advertisment
ସହକାରୀ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ; ଗାଡ଼ି ଭାଙ୍ଗିଲେ, ମୋବାଇଲ୍‌ ଛଡ଼ାଇ ନେଲେ

ଭୁବନ/କାମାକ୍ଷାନଗର : କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କୁ ଗୁରୁବାର ଦିନ ବାଲିମାଫିଆ ଆକ୍ରମଣ କରିଛନ୍ତି। ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ମୋବାଇଲ୍‌ ବି ଛଡ଼ାଇ ନେଇଛନ୍ତି ମାଫିଆ। ଏହି ଘଟଣାର ତଦନ୍ତ କରି ପୁଲିସ ମୋବାଇଲ୍‌ ଫେରସ୍ତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଏଯାବତ୍‌ ଗିରଫ କରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୃଦଙ୍ଗା ଉଚ୍ଚ ବିଦ୍ୟାଳୟ ନିକଟରେ ବାଲି ବୋଝେଇ ଟ୍ରାକ୍ଟର ୨ଟିକୁ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଓ ତାଙ୍କ ଟିମ୍ ଅଟକାଇଥିଲେ। ଏ ନେଇ ସେ ମହୁଲପାଳ ରାଜସ୍ୱ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର, ଆର୍‌ଆଇଙ୍କ ଆସିବାରେ ବିଳମ୍ବ ହୋଇଥିଲା। ଅଟକ ରଖାଯାଇଥିବା ଟ୍ରାକ୍ଟର ୨ଟିର ନମ୍ବର ନଥିଲା। ବାଲି ମାଫିଆମାନେ ଜରିମାନାକୁ ଏଡ଼ାଇବା ପାଇଁ ଗାଡ଼ିରୁ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ସହକାରୀ ଜିଲ୍ଲାପାଳଙ୍କ ଟିମ୍‌ରେ ଯାଇଥିବା କର୍ମଚାରୀ ସୁବ୍ରତ କୁମାର ବେହେରା ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏତିକିରେ ବାଲି ମାଫିଆମାନେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସହକାରୀ ଜିଲ୍ଲାପାଳ ଶ୍ରୀ ଜେନାଙ୍କ ବଲେ‌ରୋ (ଓଡି-୩୩ଜେଡ୍-୨୦୩୧) କାଚ ଭାଙ୍ଗିବା ସହିତ ଶ୍ରୀ ଜେନା ଓ ଶ୍ରୀ ବେହେରାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏଥିରେ ଶ୍ରୀ ଜେନା ଆହତ ହୋଇଥିଲେ। ପରେ ଟ୍ରାକ୍ଟର ନେଇ ମାଫିଆମାନେ ଫେରାର ହୋଇଯାଇଥିଲେ। ଏ ନେଇ ସହକାରୀ ଜିଲ୍ଲାପାଳ ଶ୍ରୀ ଜେନା ଭୁବନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଭୁବନ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ଏ ସମ୍ପର୍କରେ ଭୁବନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ କହିଛନ୍ତି, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମାଫିଆମାନେ ନେଇଯାଇଥିବା ମୋବାଇଲ୍ ୨ଟିକୁ ଉଦ୍ଧାର କରି ସହକାରୀ ଜିଲ୍ଲାପାଳଙ୍କୁ ଫେରାଇ ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe