ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

Advertisment

ଢେଙ୍କାନାଳ ଓ ଭୁବନେଶ୍ବରରେ ରହିଛି ୨୮ଟି ପ୍ଲଟ୍, ସାଢ଼େ ୩ କୋଟିର ସମ୍ପତ୍ତି ଠାବ

ଢେଙ୍କାନାଳ ଓ ଭୁବନେଶ୍ବରରେ ରହିଛି ୨୮ଟି ପ୍ଲଟ୍, ସାଢ଼େ ୩ କୋଟିର ସମ୍ପତ୍ତି ଠାବ

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

ଢେଙ୍କାନାଳ/ନିମାପଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଳ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି। ଭିଜିଲାନ୍ସ ବିଭାଗ ମଙ୍ଗଳବାର ଏକକାଳୀନ ଢେଙ୍କାନାଳ ଜିଲ୍ଲାସ୍ଥିତ ତାଙ୍କ ପୈତୃକ ଘର ଏବଂ ସହରରେ ଥିବା ୪ଟି ସ୍ଥାନ ସମେତ ଭୁବନେଶ୍ବର ଏପରି ୭ଟି ସ୍ଥାନରେ ଚଢ଼ଉ କରି ୨୮ଟି ପ୍ଲଟ୍ ସମେତ ପ୍ରାୟ ସାଢ଼େ ୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି।

ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ କୋଟିପତି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହେବା ପରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ବର ଏବଂ ଢେଙ୍କାନାଳର ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଏକକାଳୀନ ଚଢ଼ଉ କରାଯାଇଥିଲା। ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଭଡ଼ାଘର, ଚନ୍ଦ୍ରଶେଖରପୁରଠାରେ ଥିବା ୩ ମହଲା କୋଠା, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣୁଦେଇ ସ୍ଥିତ ପୈତୃକ ଘର, ବଡ଼ଷାଠିଏ ବାଟିଆ ତଥା ଗାୟତ୍ରୀନଗର ସ୍ଥିତ ୧ ମହଲା ଘର, ଦକ୍ଷିଣକାଳୀ ରୋଡ୍‌ ସ୍ଥିତ ଶ୍ବଶୁର ଘର ଏବଂ ମଙ୍ଗଳପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସ୍‌ରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲେ। ଶ୍ରୀ ଦେହୁରୀଙ୍କ ଭୁବନେଶ୍ବର ଅଞ୍ଚଳରେ ଥିବା ୭ଟି ପ୍ଲଟ୍‌, ଢେଙ୍କାନାଳ ଅଞ୍ଚଳରେ ଥିବା ୨୧ଟି ପ୍ଲଟ୍‌ ଏପରି ୨୮ଟି ପ୍ଲଟ୍‌ ଥିବା ଜଣାଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁରଠାରେ ଥିବା ୩ମହଲା ବିଶିଷ୍ଟ କୋଠାର ମୂଲ୍ୟ ୯୨ ଲକ୍ଷ, ୧୨.୩୪ ଲକ୍ଷ ଟଙ୍କାର ଦୁଇଟି ନିର୍ମାଣାଧୀନ ଆଉଟ୍ ହାଉସ୍‌, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଣୁଦେଇରେ ଥିବା ୧ମହଲା କୋଠାର ମୂଲ୍ୟ ୧୨ ଲକ୍ଷ ଟଙ୍କା, ୪୭.୬୫ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା, କ୍ୟାସ୍‌ ୧ଲକ୍ଷ ୬୨ ହଜାର ୮୦୦ ଟଙ୍କା , ୧୧ ଲକ୍ଷ ଟଙ୍କାର ଚାରିଚକିଆ ଗାଡ଼ି, ୧୨.୧୮ ଲକ୍ଷ ଟଙ୍କାର ୨ଟି ଦୁଇଚକିଆ ଗାଡି ଏପରି ପ୍ରାୟ ୩.୫୪ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଜବତ ହୋଇଛି।

ଢେଙ୍କାନାଳ ସ୍ପେସାଲ୍ ଭିଜିଲାନ୍‌ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ୫ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟରଙ୍କ ସମେତ ୭ଟି ଟିମ୍ ଏହି ଚଢଉରେ ସାମିଲ୍ ହୋଇଥିଲେ। ଏହି ମାମଲାର ତଦନ୍ତ ଚାଲୁଥିବାରୁ ସମ୍ପତ୍ତିର ମୂଲ୍ୟ ଆହୁରି ଅଧିକ ବଢିପାରେ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe