କଟକ/ଡେରାବିଶ: କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନର ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କ ଆଖିଖୋସା ସଂପତ୍ତି ଆଜି ଠାବ କରିଛି ଭିଜିଲାନ୍ସ ବିଭାଗ। ଆଜି ସକାଳୁ ଆରମ୍ଭ ହୋଇଥିବା ଚଢଉରୁ ୨ ଲକ୍ଷ ୮୩ ହଜାର ଟଙ୍କାର ନଗଦ ଟଙ୍କା, ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ଟି ପ୍ଲଟ୍, ଭୁବନେଶ୍ବରରେ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଘର, ୭୦ ଲକ୍ଷ ୯ ହଜାର ଟଙ୍କାର ବ୍ୟାଙ୍କ ଜମା, ୩ଟି ଚାରି ଚକିଆ ଗାଡ଼ି ଏବଂ ଅନ୍ୟ ମୂଲ୍ୟବାନ ସଂପତ୍ତି ଠାବ କରାଯାଇଛି। ଭିଜିଲାନ୍ସର ୭ଟି ଟିମ୍ ଏକ ସମୟରେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଶ୍ରୀ ସାହୁଙ୍କ ସଂପତ୍ତିର ପରିମାଣ ଆହୁରି ବଢିବ ବୋଲି ଆକଳନ କରାଯାଉଛି।
ଭିଜିଲାନ୍ସର ତଥ୍ୟ ଅନୁଯାୟୀ ଭୁବନେଶ୍ବର ଖଣ୍ଡଗିରି ବିହାରରେ ଶ୍ରୀ ସାହୁଙ୍କର ୫ ହଜାର ବର୍ଗଫୁଟ ପ୍ଲଟରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁରରେ ୧୭୨୯ ବର୍ଗଫୁଟରେ ଗୋଟିଏ କେଠା ଘର, ୨୧୮ ଗ୍ରାମର ସୁନା ଅଳଙ୍କାର, ୪୧ ଲକ୍ଷ ଟଙ୍କାର ଘରୋଇ ଉପକରଣ ଇତ୍ୟାଦି ଠାବ କରାଯାଇଛି। ଏହି ବିପୁଳ ସଂପତ୍ତିର ଉତ୍ସ ଜାଣିବା ପାଇଁ ଶ୍ରୀ ସାହୁଙ୍କୁ ଜେରା କରାଯାଉଛି। ଆଜି ଭିଜିଲାନ୍ସର ୭ଟି ସ୍ବତନ୍ତ୍ର ଟିମ ଭୁବନେଶ୍ବର ଖଣ୍ଡଗିରି ବିହାର ଘର, କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁର ସ୍ଥିତ ଘର, ସାଲେପୁର ସ୍ଥିତ ସରକାରୀ କ୍ବାର୍ଟର, କେନ୍ଦ୍ରାପଡା ରାୟପୁରର ଶ୍ବଶୁର ଘର, କେନ୍ଦ୍ରାପଡା ବଡହାଟ ସ୍ଥିତ ସଂପର୍କୀୟଙ୍କ ଘର, କେନ୍ଦ୍ରାପଡା କୃଷି ଅଫିସ ନିକଟରେ ଥିବା ଜଣେ ସଂପର୍କୀୟଙ୍କ ଘର, ସାଲେପୁର ସ୍ଥିତ ଅଫିସରେ ଚଢଉ କରିଥିଲା। ଏହି ଚଢଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଛନ୍ତି।
Follow Us