new india express
କଟକ: ଅପଥାଲମୋଲୋଜି ଆସୋସିଏଟ ପ୍ରଫେସର ପଦ ପୂରଣ ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଡିଏମଇଟି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ଭିତରେ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏସସିବି ଡିନ୍ ତଥା ଅଧ୍ୟକ୍ଷଙ୍କ ପକ୍ଷରୁ ଜୁନ ୫ରେ ଆସୋସିଏଟ ପ୍ରଫେସର ପଦ ପୂରଣ ପାଇଁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଜୁନ୍ ୫ର ବିଜ୍ଞପ୍ତି ଆଧାରରେ ଚୟନ ପ୍ରକ୍ରିୟା ଜାରି ରହିବ କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଡାକ୍ତର ବି.କେ. ସାମନ୍ତରାୟ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
୨୦୨୧ର ନିୟମାବଳୀ ଅନୁସାରେ ଅପଥାଲମୋଲୋଜି ଆସୋସିଏଟ ପ୍ରଫେସର ପଦ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଇ ପାରିବ। ଡିଏମ୍ଇଟିଙ୍କ ତରଫରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷଙ୍କୁ ତଥ୍ୟ ଦାଖଲ ଲାଗି ଅନୁରୋଧ କରାଯାଇଥିଲା। କିନ୍ତୁ ହଠାତ୍ ଏସସିବି ଡିନ୍ ଆସୋସିଏଟ ପ୍ରଫେସର ପଦ ପୂରଣ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ, ଏପରି ବିଜ୍ଞପ୍ତି ପ୍ରକାଶ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।
Follow Us