ବୌଦ୍ଧ ଆର୍‌ଟିଓରୁ ବଡ଼ବିଲର ୧୧୭ ଗାଡ଼ିକୁ ଫିଟ୍‌ନେସ୍‌ ଦେବା ଘଟଣା: ସହକାରୀ ପ୍ରୋଗ୍ରାମର ଅଟକ

Advertisment
ବୌଦ୍ଧ ଆର୍‌ଟିଓରୁ ବଡ଼ବିଲର ୧୧୭ ଗାଡ଼ିକୁ ଫିଟ୍‌ନେସ୍‌ ଦେବା ଘଟଣା: ସହକାରୀ ପ୍ରୋଗ୍ରାମର ଅଟକ

ବୌଦ୍ଧ: ବୌଦ୍ଧ ଭାରପ୍ରାପ୍ତ ଏମ୍‌ଭିଆଇଙ୍କ ଆଇଡି ଓ ପାସ୍‌ୱାର୍ଡର ଅପବ୍ୟବହାର କରି ୧୧୭ଟି ଗାଡ଼ିକୁ ଫିଟ୍‌ନେସ୍‌ ପ୍ରଦାନ କରିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି। ପରିବହନ କମିସନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଏମ‌ଇଛଭିଆଇ ସାଲଖୁ ମୁର୍ମୁ ବୌଦ୍ଧା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସହକାରୀ ପ୍ରୋଗ୍ରାମର ରଞ୍ଜନ ଦାସଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି। ମାସକ ମଧ୍ୟରେ ଏତେ ସଂଖ୍ୟକ ଗାଡ଼ିକୁ ଫିଟ୍‌ନେସ୍‌ ପ୍ରଦାନ କରାଯିବା ପଛର କାହାଣୀ ଖୋଜୁଛି। ସମସ୍ତ ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ ବାହାର କରି ଜାଲିଆତିର ଖିଅ ଖୋଜୁଛି।
କୌଣସି ନିର୍ଦ୍ଦିଷ୍ଟ କମ୍ପାନି ବା ସଂସ୍ଥାର ଗାଡ଼ି ଏହି ତାଲିକାରେ ରହିଛି ନା ନାହିଁ। ଏହି କାରବାର ପଛରେ କୌଣସି ରାକେଟ ରହିଛି କି ତା’ର ମୂଳକୁ ପୁଲିସ ପହଞ୍ଚିବାକୁ ଚେଷ୍ଟା କରୁଛି। ଏତେ ବଡ଼ ଜାଲିଆତି କରିବାରେ ଅଭିଯୁକ୍ତ କର୍ମଚାରୀ କେତେ ଟଙ୍କାର କାରବାର କରିଛନ୍ତି? ଏହି କାରବାରରେ ଅଫିସ୍‌ର ଅନ୍ୟ କର୍ମଚାରୀ କି ଅଧିକାରୀ ସଂପୃକ୍ତ ଅଛନ୍ତି କି? ବୌଦ୍ଧ ଆର୍‌ଟିଓରେ ଫିଟ୍‌ନେସ୍‌ ପ୍ରଦାନ କରାଯାଇଥିବା ଗାଡ଼ିଗୁଡ଼ିକ ବୌଦ୍ଧ ଆର୍‌ଟିଓ ଅଞ୍ଚଳ ଅଧୀନରେ ରହିଛି ନା ନାହିଁ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ବୁଧବାର ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ଯୋଗୁଁ ତଦନ୍ତରେ ବାଧା ସୃଷ୍ଟି କରିଛି। ଜେନ୍‌ସେଟ୍‌ ଆଣି ବିଦ୍ୟୁତ ସଂଯୋଗ କରି ରିପୋର୍ଟ ବାହାର କରୁଥିବା ଦେଖାଯାଇଛି।
ସୂଚନା ଅନୁସାରେ ରଞ୍ଜନ ଜଣେ ଠିକା କର୍ମଚାରୀ। ପ୍ରାୟ ୩/୪ ବର୍ଷ ହେଲା ଚାକିରି କରୁଛନ୍ତି। ଗତ ୨ ମାସ‌ ହେଲା ସେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଆର୍‌ଟିଓରୁ ବଦଳି ହୋଇ ବୌଦ୍ଧ ଆର୍‌ଟିଓକୁ ଆସିଛନ୍ତି। ତେବେ ଆସୁ ଆସୁ ତାଙ୍କ କାରନାମା ଆରମ୍ଭ କରି ଦେଇଛନ୍ତି। ଏହି କାରବାରରେ ଅଯୋଗ୍ୟ ଗାଡ଼ିକୁ ଫିଟ୍‌ନେସ୍‌ ପ୍ରଦାନ କରି କୁଆଡ଼େ ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି। ବଡ଼ବିଲରେ ଥିବା ବେଳେ ତାଙ୍କ ଘରେ ଏକ ପ୍ରକାର ଅଫିସ୍‌ ଚାଲିଥିଲା। ରାତି ଅଧିଆ ଲାଇସେନ୍ସ ସ୍ଲଟ ଦେଉଥିବା ଆଦି ଅନେକ କଥା କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି। ସେପଟେ କୌଣସି ତଥ୍ୟ ନଦେଇ ଅଭିଯୋଗ କରାଯାଇଛି। ସେହି ଅନୁସାରେ ୨୮୬/୨୦୨୧ରେ ଧାରା ୪୧୯/୪୨୦/୪୬୫/ ୪୬୮/୪୭୦/୪୭୧ରେ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତ ଓ ଆର୍‌ଟିଓ ପକ୍ଷରୁ ସମସ୍ତ ତଥ୍ୟ ଆସିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ତପସ୍ବିନୀ କହଁର ପ୍ରକାଶ କରିଛନ୍ତି। ସେପଟେ ଘଟଣାଟି ସ୍ପର୍ଶକାତର ଥିବାରୁ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe