ଚିଟଫଣ୍ଡ୍‌ ସଂସ୍ଥା ଆସ୍ଥା କେଳେଙ୍କାରୀ : ସାରା ଦେଶରେ ସିବିଆଇର ଚଢ଼ଉ

Advertisment
ଦ୍ବିତୀୟ ଦିନରେ ସିବିଆଇ ତଦନ୍ତ, ଚିଟ୍‌ଫଣ୍ଡ ଏଜେଣ୍ଟମାନଙ୍କୁ ପଚରାଉଚରା

ଭୁବନେଶ୍ୱର : ଚିଟ୍‌ଫଣ୍ଡ୍‌ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ ଠକେଇ ଘଟଣାରେ ସିବିଆଇ ଆଜି ଦେଶର ୧୪ଟି ସ୍ଥାନରେ ଚଢ଼ଉ କରିଛି। ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାରେ ମଧ୍ୟ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ସିବିଆଇ ଟିମ୍‌ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର, ବ୍ୟାଙ୍କ ଡକ୍ୟୁମେଣ୍ଟ୍‌, ଆସ୍ଥାର ଓଡ଼ିଶା ମୁଖ୍ୟ ଶ୍ରୁଭାଂଶୁ ଲେଙ୍କାଙ୍କର କେତେକ ଯୁବତୀଙ୍କ ସହିତ ଫଟୋ ଆଦି ଜବତ କରିଛି।

ଏହି ଠକେଇ ମାମଲାରେ ଆଜି ସିବିଆଇ ପିଲାସ୍କି ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିଛି। ସେ କଟକର ଜଣେ ବିଧାୟକଙ୍କ ପ୍ରମୁଖ ସହଯୋଗୀ ଭାବେ ଜଣାଶୁଣା। ସଂପୃକ୍ତ ବିଧାୟକଙ୍କୁ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ ହୋଇଛି। ଆସ୍ଥା ଚିଟଫଣ୍ଡ୍‌ ମୁଖ୍ୟ ଶୁଭ୍ରାଂଶୁଙ୍କ ଦାମୀ ମର୍ସିଡିଜ୍‌ କାର ପିଲାସ୍କି କିଣିଥିଲେ। କାହିଁକି ସେ ଶୁଭ୍ରାଂଶୁଙ୍କ ଏହି ଦାମୀ କାରକୁ ଏତେ ଶସ୍ତାରେ କିଣିଥିଲେ? କେଉଁ ପରିସ୍ଥିତିରେ ଏତେ ଶସ୍ତାରେ ଏହି କାର୍‌ ବିକ୍ରି ହୋଇଥିଲା? ସେ ନେଇ ସିବିଆଇ ତାଙ୍କୁ ଆଜି ପଚରାଉଚରା କରିଛି। ଏ ନେଇ ସେ କେତେକ କାଗଜପତ୍ର ମଧ୍ୟ ସିବିଆଇର ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି।
ସିବିଆଇ ଦିଲ୍ଲୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସିବିଆଇର ୧୪ଟି ଟିମ୍‌ ଆସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସୁରଟ, ଗୋଆ, ଇନ୍ଦୋର, ଜବଲପୁରରେ ଚଢ଼ଉ କରିଥିଲା। ସେହିପରି ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀ ପ୍ଲଟ ନମ୍ବର ୩୬ରେ ଥିବା ଭଡ଼ା ଘର, ବ୍ରହ୍ମପୁରରେ ଥିବା ନିଜ ଘର, ସହିଦନଗର ଘର, ଜଗତସିଂହପୁର ରାହାମା, ଏରସମା, ଅନୁଗୁଳ ଆଦି ସ୍ଥାନରେ ଚଢ଼ଉ ହୋଇଥିଲା।

ନାଗେଶ୍ୱର ଟାଙ୍ଗୀ ଭଡ଼ା ଘରେ ଶୁଭ୍ରାଂଶୁଙ୍କ ପରିବାରଲୋକ ରହୁଥିଲେ। ସେହି ଘରୁ ଆସ୍ଥା ଇଣ୍ଟରନ୍ୟାସନାଲ ଗୋଟ୍‌ ଫାର୍ମିଂ ଓ ଜମିଜମା କାରବାର ସମ୍ପର୍କରେ କାଗଜପତ୍ର ମିଳିଛି। ସେହିପରି ସହିଦନଗର ଘରୁ ସିବିଆଇ ଶୁଭ୍ରାଂଶୁଙ୍କର ବ୍ୟାଙ୍କ ଡକ୍ୟୁମେଣ୍ଟ୍‌, କାଗଜପତ୍ର ଓ କେତେକ ଯୁବତୀଙ୍କ ସହିତ ଥିବା ଫଟୋ ଜବତ କରିଛି।

ଏଠାରେ ପ୍ରକାଶଥାଉକି, ଆସ୍ଥା ଇଣ୍ଟରନ୍ୟାସନାଲ କମ୍ପାନି ୨୦୦୯ ମସିହାରେ ଗୁଜୁରାଟ ସୁରଟରେ କାର୍ଯ୍ୟାଳୟ ଖୋଲିଥିଲା। ଶୁଭ୍ରାଂଶୁ ତାର ଓଡ଼ିଶା ମୁଖ୍ୟ ଥିଲେ। ସେ ୨୦୧୧ ମସିହାରେ ଓଡ଼ିଶା ଫେରି ଏଠାରେ ଶାଖା କାର୍ଯ୍ୟାଳୟଗୁଡ଼ିକ ଖୋଲିଥିଲେ। ବିଶେଷକରି ଗୁଜୁରାଟରେ ରହୁଥିବା ଗଞ୍ଜାମ ଲୋକଙ୍କୁ ଟାର୍ଗେଟ କରିଥିଲା ଆସ୍ଥା ଇଣ୍ଟରନ୍ୟାସନାଲ। ବ୍ରହ୍ମପୁର ସମେତ କେନ୍ଦୁଝର, ରାଉରକେଲା, ବାଲୁଗାଁ, ବାଲେଶ୍ୱର, ଟାଙ୍ଗୀଠାରେ କମ୍ପାନି ଶାଖା କାର୍ଯ୍ୟାଳୟ ଖୋଲିଥିଲା। ବିଭିନ୍ନ ଲୋଭନୀୟ ସ୍କିମ୍‌ ଓ ଜମି ଦେବାକୁ କହି ପାଖାପାଖି ୪ଶହ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା। ଏ ନେଇ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହେବା ପରେ ଶୁଭ୍ରାଂଶୁଙ୍କ ସମେତ ୩ ଜଣଙ୍କୁ ୨୦୧୩ ମସିହା ଜୁନ୍‌ ୮ ତାରିଖରେ ଗିରଫ କରାଯାଇଥିଲା।

ପରେ ପରେ ଆସ୍ଥା ଇଣ୍ଟରନ୍ୟାସନାଲ ଠକେଇ ଘଟଣାର ତଦନ୍ତଭାର ସିବିଆଇ ନେଇଥିଲା। ସିବିଆଇ ଏହି ଠକେଇ ଘଟଣାରେ ସଂସ୍ଥାର ମୁଖ୍ୟ ଚନ୍ଦ୍ର ସିଂହ ଚୌହାନ, ସନ୍ତୋଷ କେ ସ୍ପାକ୍‌ଲେଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ଫେବ୍ରୁଆରି ମାସରେ ଦୁଇ ଜଣଙ୍କୁ ଓଡ଼ିଶା ସିବିଆଇ ରିମାଣ୍ଡରେ ଗୁଜୁରାଟରୁ ଭୁବନେଶ୍ୱର ଆଣିଥିଲେ। ଏବେ ଦୁହେଁ ଝାରପଡ଼ା ଜେଲ୍‌ରେ। ସେମାନଙ୍କଠାରୁ ତଥ୍ୟ ପାଇବା ପରେ ସିବିଆଇ ଶୁଭ୍ରାଂଶୁଙ୍କ ଭାଇ ଚନ୍ଦ୍ରଶେଖର ଲେଙ୍କାଙ୍କୁ ମଧ୍ୟ ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe