ଅତାବିରା ନିର୍ବାଚନ, ଜମୁଛି ଭୋଜିଭାତ ଆସର

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ଅତାବିରା: ଅତାବିରା ଏନ୍ଏସି ନିର୍ବାଚନ ପାଇଁ ମାହୋଲ ସରଗରମ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସବୁ ଦଳ ଆରମ୍ଭ କରିଦେଲେଣି ପ୍ରଚାର। ଘରକୁ ଘର ବୁଲି ପ୍ରଚାର ଜାରି ରହିଛି। ପିକ୍ଅପ୍‌ରେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ଯୋଗୁଁ କାନ ଫାଟୁଛି। ଏଣେ ସବୁଠି ଜମିଛି ଭୋଜିଭାତ ଆସର। ପଡ଼ାକୁ ପଡ଼ା ଶହେ-ଦୁଇ ଶହ ଲୋକଙ୍କ ଭୋଜି ଚାଲୁଛି। କିନ୍ତୁ ଏଥର ଅନେକ ସ୍ଥାନରେ ଭାତ ଓ କୁକୁଡ଼ା ବଦଳରେ ବିରିୟାନି ଚାହିଦା ବେଶୀ ଦେଖିବାକୁ ମିଳୁଛି। ବିରିୟାନି ସାଂଗକୁ ଚିକେନ୍। ତା’ ସାଂଗୁକୁ ଦହି ରାଇତା। ବେଶ୍‌ ଜମୁଛି ମାହୋଲ। ନାଲି ପାଣିର ଭକ୍ତଙ୍କ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି।

ଅଦିନିଆ ବର୍ଷାଜନିତ ଥଣ୍ଡା ପାଗରେ ବିରିୟାନି, ଚିକେନ୍ ସାଂଗକୁ ସୋମରସ ଭକ୍ତ ନିଜ ମନ ପସନ୍ଦର ଖାନପାନ ପାଇ ଭୋଟର ବି ଖୁସ୍। ପଡ଼ାର ନେତା, କୁଜି ନେତା ଭୋଟରଙ୍କୁ ଖୁସ୍ କରିବା, ନିଜ ସପକ୍ଷରେ ଆଣିବାକୁ ଆପ୍ରାଣେ ଉଦ୍ୟମ କରୁଛି। ଭୋଟର ବି ହୁସିଆର୍। ଏହି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ କେହି ଚାହୁଁ ନାହାନ୍ତି। ଏ ଭିତରେ ନେତାଙ୍କୁ ବସ୍‌ କହିଲେ ବସିବେ, ଉଠ୍‌ କହିଲେ ଉଠିବେ। ପ୍ରତି ପଡ଼ାରେ ୪/୫ ଥର ଭୋଜି ସରିଗଲାଣି। ଆଉ କିଛି ଦିନ ଗଲେ ଗାଁ-ପଡ଼ା-ସାହିରେ ଭୋଜି ହେବ। ଏବେ ଦୋକାନୀମାନଙ୍କୁ ଚିକେନର ସଂକଟ ଦେଖା ଦେଇଛି। ଯେତେ ଆସିଲେ ସରିଯାଉଛି। ‌ନିର୍ବାଚନ ପର୍ବ ଯୋଗୁଁ କୁକୁଡ଼ା ଦୋକାନୀ ଭଲ ଦି ପଇସା ପାଉଛି। ଭୋଜିଭାତରେ ମହିଳାମାନେ ବାଦ ପଡ଼ି ନାହାନ୍ତି। କିଛି ମହିଳା, ଏସ୍‌ଏଚ୍‌ଜି ପାଇଁ ଭୋଜିରେ ଚିକେନ୍ ବଦଳରେ ମାଛର ବ୍ୟବସ୍ଥା କରାଯାଉଛି। ଏଥର ଦୁଇ ଦୁଇଟି ଭୋଟ୍‌ ପଡ଼ିବ। ଗୋଟିଏ ଅଧ୍ୟକ୍ଷଙ୍କୁ, ଅନ୍ୟଟି କାଉନସିଲରଙ୍କୁ। ଦୁଇଟି ଭୋଟକୁ ଦୁଇ ଗୁଣା ଟଙ୍କା ମିଳିବ ବୋଲି ଭୋଟର୍‌ ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe