Image Courtesy of The Indian Express
ବରଗଡ଼/ଅତାବିରା: ଅତାବିରା ଏନ୍ଏସି ନିର୍ବାଚନ ସବୁ ଦଳର ନେତୃତ୍ବର ଅଗ୍ନି ପରୀକ୍ଷା ନେବ। କାହାର ନେତୃତ୍ବରେ ଦଳ କିଭଳି ପ୍ରଦର୍ଶନ କଲା, ତାହା ଫଳାଫଳ କହିବ। ଗତଥର ଏଠାରେ ବିଜେଡି ୧୨ଟି ୱାର୍ଡରେ ମୂଳପୋଛ କରିଥିଲା। ସଫଳତା ଦୋହରାଇବା ପାଇଁ ଦଳ ସବୁ କସରତ ଚଳାଇଛି। ବିଧାୟିକା ସ୍ନେହାଂଗିନୀ ଛୁରିଆଙ୍କ ରଣନୀତିରେ ଦଳ କାମ କରୁଛି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟଙ୍କୁ ୱାର୍ଡର ପ୍ରଚାର ଦାୟିତ୍ବ ବଣ୍ଟାଯାଇଛି। ତେଣୁ ବିଜେଡିରେ ନେତୃତ୍ବ ନେଇ କିଛି ଊଣା ନାହିଁ।
କିନ୍ତୁ ନେତୃତ୍ବ ମାମଲାରେ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ପଛୁଆ ପଡ଼ିଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ତୃଣମୂଳସ୍ତରର କର୍ମୀମାନଙ୍କ ଆତ୍ମବିଶ୍ବାସରେ ଅଭାବ ଥିବା ଚର୍ଚ୍ଚା ହେଉଛି। ବିଜେଡିକୁ କଡ଼ା ଟକ୍କର୍ ଦେବା ପାଇଁ ବିଜେପି ଓ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଏଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ସ୍ଥାନୀୟ ନେତା ହିଁ ପ୍ରଚାର ଦାୟିତ୍ବ ମୁଣ୍ଡାଇଛନ୍ତି। କଂଗ୍ରେସ ନିଜ ଜିଲ୍ଳା ସଭାପତି ତଥା ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ନେତୃତ୍ବରେ ଲଢ଼ୁଛି। ନିହାର ସ୍ଥାନୀୟ ବାସିନ୍ଦା ଥିବାରୁ ରାଜ୍ୟସ୍ତରୀୟ ନେତାଙ୍କ ଅନୁପସ୍ଥିତିକୁ ତାଙ୍କରି ନେତୃତ୍ବରେ ଦଳ ଭରଣା କରିବାକୁ ଚେଷ୍ଟା କରୁଛି। ବିଜେପି ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଚଳାଇଛି। ଅତାବିରା ନିର୍ବାଚନମଣ୍ଡଳୀ ଗଠନ ପୂର୍ବରୁ ଅତାବିରା ବ୍ଳକ୍ର ୧୭ଟି ପଂଚାୟତ ସମ୍ବଲପୁର ନିର୍ବାଚନମଣ୍ଡଳୀରେ ଥିଲା।
ବ୍ଲକ୍ର ଅନ୍ୟ ୯ଟି ପଂଚାୟତ ଓ ଭେଡ଼େନ ବ୍ଲକ୍ ବରଗଡ଼ ନିର୍ବାଚନମଣ୍ଡଳୀରେ ଥିଲା। ଅତାବିରା ବିଧାନସଭା ନିର୍ବାଚନମଣ୍ଡଲୀ ପୁନର୍ଗଠନ ହୋଇ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହେଇଥିଲା। ନୂତନ କରି ପୁନର୍ଗଠନ ହେବା ପରେ ୨୦୦୯ ନିର୍ବାଚନରେ କଂଗ୍ରେସର ନିହାର ମହାନନ୍ଦ ପ୍ରଥମ ବିଧାୟକ, ୨୦୧୪ ଓ ୨୦୧୯ରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହୋଇ ନିଜ ନେତୃତ୍ବର ପରିଚୟ ଦେଉଛନ୍ତି। ଏଠାରେ ବିଜେପିର ଡଜନେ ପାଖାପାଖି ନେତା ଆଗାମୀ ବିଧାନସଭା ପାଇଁ ଟିକଟ୍ ଦାବିଦାର। ତେଣୁ ଦଳ କାହା ନେତୃତ୍ବରେ ଲଢ଼ିବ, ତାକୁ ନେଇ ଗୋଳମାଳିଆ ସ୍ଥିତିରେ ଥିବା କୁହାଯାଉଛି। ତେବେ ସ୍ଥାନୀୟ ନେତୃବୃନ୍ଦଙ୍କ ସମେତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ରେଂଗାଲି ବିଧାୟକ ନାଉରୀ ନାୟକଙ୍କୁ ଦଳ ପ୍ରଚାର ମଇଦାନରେ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛି। ତେଣୁ ଏହି ଏନ୍ଏସି ନିର୍ବାଚନ ନେତୃତ୍ବର ବି ପରୀକ୍ଷା ନେବ ବୋଲି ଚର୍ଚ୍ଚା ହେଉଛି।
Follow Us