Young African Leaders Initiative - Department of State
ଅତାବିରା: ଅତାବିରା ଏନ୍ଏସି ନିର୍ବାଚନ ପାଇଁ ଦ୍ବିତୀୟ ଦିନରେ କେହି ହେଲେ ନାମାଙ୍କନ ପତ୍ର ନେଇ ନାହାନ୍ତି କି ଦାଖଲ କରି ନାହାନ୍ତି। ଅନ୍ତିମ ଦୁଇ ଦିନରେ ନାମାଙ୍କନ ପତ୍ର ଦାଖଲ କରିବା ନେଇ ରାଜନୈତିକ ଦଳଗୁଡ଼ିକ ସଜବାଜ ହେଉଛନ୍ତି। ତେବେ ସବୁ ଦଳ ପାଇଁ ପ୍ରାର୍ଥୀ ଚୟନ ଚିନ୍ତା। ମୁଖ୍ୟତଃ, ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷିତ ଆସନରେ ରାଜନୈତିକ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ବିଧାର ଶିକାର ହେଉଛନ୍ତି।
ପ୍ରାର୍ଥୀ ଚୟନରେ ବିଜେଡି କିଛି ୱାର୍ଡର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ୁଥିବା ବେଳେ ଉକ୍ତ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏନ୍ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ ବିଜେଡି ଅଧ୍ୟକ୍ଷ ପଦ ପାଇଁ ୱାର୍ଡ ନଂ-୬ ଅତାବିରା ବସ୍ତିର ବନମାଳି ବରିହାଙ୍କୁ ଚୂଡ଼ାନ୍ତ କରିଦେଇଛି। ନିକଟରେ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ବିଜୁ ଜୟନ୍ତିରେ ଶ୍ରୀ ବରିହାଙ୍କୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଂଚ ଉପରେ ବସାଇଥିଲେ। ଯାହାକୁ ତାଙ୍କ ପ୍ରାର୍ଥୀତ୍ବକୁ ସୁନିଶ୍ଚିତ କରୁଥିବା ଆଲୋଚନା ହୋଇଥିଲା। ଅପରପକ୍ଷେ କଂଗ୍ରେସ ଦଳ ଅଳ୍ପ କିଛି ୱାର୍ଡ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ବିଜେପି କୌଣସି ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବା କୁହାଯାଉଛି। ସବୁ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ ଅଧିକାଂଶ ଆସନ ପାଇଁ ସ୍ପଷ୍ଟ ଚିତ୍ର ଆସି ନାହିଁ। ବିଜେଡି ୧୪ ତାରିଖ ନାମାଙ୍କନ ପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ଶେଷ ଦିବସ ୧୫ ତାରିଖ ନାମାଙ୍କନ ପତ୍ର ଦାଖଲ କରିବ। ବିଜେପି ମଧ୍ୟ ସେଭଳି ଚିନ୍ତା କରିଛି।
ସେମାନଙ୍କ ମୁହଁରୁ-
ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା: ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୪ ତାରିଖ ନାମାଙ୍କନ ପତ୍ର ଦାଖଲ କରିବୁ। ନିର୍ବାଚନ ପାଇଁ ବିଜେଡି ସବୁ ବେଳେ ପ୍ରସ୍ତୁତ। ଆମେ ଲୋକଙ୍କ ସହିତ ଅଛୁ, ଲୋକମାନେ ଦଳ ପ୍ରତି ଆସ୍ଥା ରଖିଛନ୍ତି। ଲୋକଙ୍କ ପାଇଁ କାମ କରୁଛୁ। ଅଂଚଳର ବିକାଶ କ୍ଷେତ୍ରରେ ସବୁ ପ୍ରକାର ଉଦ୍ୟମ କରିବୁ। ଏହି ନିର୍ବାଚନରେ ସବୁ ଆସନରେ ବିଜୟୀ ହେବୁ।
ନିହାର ମହାନନ୍ଦ, କଂଗ୍ରେସ, ପୂର୍ବତନ ବିଧାୟକ: ଆମର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ସରିଲାଣି। ଆସନ୍ତା ୧୫ ତାରିଖ ସମସ୍ତେ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରଚାର ଆରମ୍ଭ କରିଦେଲୁଣି। ଏହି ନିର୍ବାଚନରେ ଦଳର ଭଲ ପ୍ରଦର୍ଶନ କରିବ।
ଅଶ୍ବିନୀ ଷଡ଼ଙ୍ଗୀ, ଜିଲ୍ଲା ସଭାପତି, ବିଜେପି: ତୃଣମୂଳ ସ୍ତରରୁ ପ୍ରାର୍ଥୀଙ୍କ ନାମ ଆସି ସଟ୍ ତାଲିକା କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ। ଦଳର କର୍ମକର୍ତ୍ତା ବୈଠକରେ ନାମାଙ୍କନ ପତ୍ର ଦାଖଲ ଦିବସ ସ୍ଥିର କରଯିବ। ଏଥର ପୂରାଦମ୍ରେ ନିର୍ବାଚନ ଲଢ଼ିବୁ।
Follow Us