ଅତାବିରା ଏନ୍‌ଏସି ନିର୍ବାଚନ: ଜାଣନ୍ତୁ କେଉଁ ଦଳ କେଉଁ ପ୍ରସଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ

Advertisment
ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

The New Indian Express

ଅତାବିରା : ଏପ୍ରିଲ ୩ ତାରିଖ ଅତାବିରା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ନିର୍ବାଚନ ହେବ। ୧୨ଟି ୱାର୍ଡ ବିଶିଷ୍ଟ ଅତାବିରା ଏନ୍ଏସି ନିର୍ବାଚନ ପାଇଁ ଅଧ୍ୟକ୍ଷ ପଦ ପାଇଁ ୪ ଜଣ, କାଉନସିଲର ପାଇଁ ୪୦ ଜଣ ନାମାଙ୍କନ କରିଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପକ୍ଷରୁ ୧୨ଟି କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ଏଥିସହ ୫ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଧିକାଂଶ ସ୍ବାଧୀନ ପ୍ରାର୍ଥୀଙ୍କୁ ଆମ୍ ଆଦମୀ ପାର୍ଟି ସମର୍ଥନ ଜଣାଇଛି। ୨୦୧୩ ଏନ୍ଏସି ନିର୍ବାଚନରେ କଂଗ୍ରେସ ଓ ବିଜେଡି ୬ଟି ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ପଦ କଂଗ୍ରେସ ଓ ଉପାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥିଲା। ୨୦୧୮ ଦ୍ବିତୀୟ ପରିଷଦ ନିର୍ବାଚନରେ ଏକତରଫା ୧୨ଟି ଯାକ ୱାର୍ଡରେ ବିଜେଡି ବାଜିମାତ୍‌ କରିଥିଲା। ପାଖାପାଖି ୧୫ ଦିନ ପରେ ହେବାକୁ ଯାଉଛି ତୃତୀୟ ପରିଷଦ ନିର୍ବାଚନ। କେଉଁ ଦଳ କେଉଁ ପ୍ରସଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାକୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା: ଏହି ନିର୍ବାଚନ ଆନୁଷ୍ଠାନିକ ଲୋକ ପ୍ରତିନିଧି ବାଛିବାର ସମୟ। ବିଜେଡିର ଏକମାତ୍ର ପ୍ରସଙ୍ଗ ହେଲା ବିକାଶ ଓ ସେବା। ସମସ୍ତଙ୍କ ଉନ୍ନତି, ବିକାଶ କରିବା ସହ ଅବହେଳିତ, ଗରିବ, ନିମ୍ନବର୍ଗର ଲୋକଙ୍କ ଉନ୍ନତି ପାଇଁ କାମ କରିଥାଏ। ଆମେ ଲୋକଙ୍କ ସୁଖଦୁଃଖରେ ରହିଛୁ। ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ଅତାବିରା ଏନ୍ଏସି ଅଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ବଡ଼ ଯୋଜନା ରହିଛି। ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧.୨୬ କୋଟି ଟଙ୍କା ବ୍ୟୟରେ ମେଗା ଜଳ ପ୍ରକଳ୍ପ ଆରମ୍ଭ କରାଯାଇଛି। ବହୁ ଲୋକଙ୍କୁ ଜାଗା ମିସନରେ ପଟ୍ଟା ଦିଆଯାଇଛି। କାଣ୍ଡପାଲି ଦୁର୍ଗାନଗର, ଭୋଇପୁରା ଝାରବନ୍ଧେନଟିକ୍ରା, ଲାଦରପାଲି ମହୁଲଟିକ୍ରାକୁ ବିଜୁ ଆଦର୍ଶ ଗ୍ରାମୀଣ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହା ମଂଜୁରୀ ହୋଇଛି। ଏଭଳି ଗୋଡ଼ାଏ ଯୋଜନା ପାଇଁ ଏନ୍‌ଏସି ପାଇଁ ପ୍ରସ୍ତାବ ରହିଛି କିମ୍ବା କାର୍ଯ୍ୟକାରୀ ହୋଇଛି। ବିଜେଡି ପ୍ରତି ଲୋକଙ୍କ ଆଶୀର୍ବାଦ ରହିଲେ ଆହୁରି କାମ କରାଯିବ।

ଅଶ୍ବିନୀ ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି: ଏଥର ବିଜେପିକୁ ସୁଯୋଗ ଦିଅନ୍ତୁ। ଏନ୍ଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅତାବିରା ଗାଁ’ରେ ଗଣାଯାଉନି କି ସହରରେ ଗଣାଯାଉନି। ୧୦ ବର୍ଷ ମଧ୍ୟରେ ଆଶା ଅନୁଯାୟୀ ବିକାଶ ହୋଇପାରି ନାହିଁ। କେନ୍ଦ୍ରର ଯୋଜନା, କେନ୍ଦ୍ରୀୟ ଅର୍ଥର ବାଟମାରଣା ହେଉଛି। ବନ୍ଧକଣ୍ଟାର ପୁନରୁଦ୍ଧାର କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ଅନୁଦାନରେ ଜାତୀୟ ରାଜପଥକୁ ଛାଡ଼ି ଦେଲେ ଆଉ କିଛି ରାସ୍ତା ତିଆରି ହେଲା ନାହିଁ। ନାଳନର୍ଦ୍ଦମାର ଅବସ୍ଥା ଶୋଚନୀୟ। ଏହି ଏନ୍ଏସିରେ ଦୁର୍ନୀତି, ପିସି କାରବାର ଚାଲିଛି। ଏହି ସବୁ ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ, ସଚେତନ କରାଇବ।

ନିହାର ରଂଜନ ମହାନନ୍ଦ, ପୂର୍ବତନ ବିଧାୟକ, କଂଗ୍ରେସ: ଅତାବିରା ଏନ୍ଏସିରେ ପାନୀୟଜଳ ସମସ୍ୟା ଲାଗି ରହିଛି। ରାସ୍ତାଘାଟ, ଗମନାଗମନ, ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି। ଏନ୍ଏସିରେ ମହାଦୁର୍ନୀତି ଚାଲିଛି। ଗୋଟିଏ ପ୍ରକଳ୍ପକୁ ୨/୩ ଥର ଶିଳାନ୍ୟାସ କରାଯାଉଛି। ଅତାବିରାରେ ମଦର ବନ୍ୟା ବହୁଛି। ଲୋକମ‌ାନେ ଏନ୍ଏସିର ବିକାଶ ପାଇଁ ଭୋଟ ଦେଇଛନ୍ତି, କିନ୍ତୁ ବିକାଶର ନାମଗନ୍ଧ ନାହିଁ। ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାରକୁ ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe