ଆଠମଲ୍ଲିକ ବିଧାନସଭା କ୍ଷେତ୍ର : ନଳିନୀ ଓ ରମେଶଙ୍କ ରୋଡ୍ ସୋ’

ସେପଟେ ସଂଜୀବଙ୍କ ନେତୃତ୍ବରେ ନବୀନ ନିବାସରେ ମିଶ୍ରଣ ପର୍ବ

ଆଠମଲ୍ଲିକ ବିଧାନସଭା କ୍ଷେତ୍ର : ନଳିନୀ ଓ ରମେଶଙ୍କ ରୋଡ୍ ସୋ’

ଆଠମଲ୍ଲିକ/କିଶୋରନଗର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ଦେଖାଦେଇଛି। ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଆଶାୟୀ ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଆଜି ଏକ ବିଶାଳ ବାଇକ୍ ରୋଡ ସୋ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଆଜି ବିଧାୟକ ସଂଜୀବ ସାହୁଙ୍କ ନେତୃତ୍ବରେ ନବୀନ ନିବାସଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ନଳିନୀ ଓ ରମେଶ ଉଭୟେ ସରକାରୀ ଉଚ୍ଚ ପଦବିରୁ ଇସ୍ତଫା ଦେବା ପରେ ବିଜେଡିରେ କିଛି ଦିନ ତଳେ ଯୋଗ ଦେଇଥିଲେ। ଉଭୟେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକଟ କରିଥିଲେ। ଆଜି ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ସହିତ ଉଭୟେ ଏକ ବାଇକ୍ ଶୋଭାଯାତ୍ରାରେ ବଇଣ୍ଡାରୁ ବାହାରି ଠାକୁରଗଡ଼ ଦେଇ ଆଠମଲ୍ଲିକ ସହରସ୍ଥିତ ମା ମାହେଶ୍ୱରୀ ମନ୍ଦିର ନିକଟରେ ପହଞ୍ଚିଥିଲେ। ମା ମାହେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ନଅଗାଁ, ଅଏଡା, ଲୁହାସିଙ୍ଗା, ଜାମୁଡୋଲି ପଞ୍ଚାୟତ ଦେଇ ମା ବିନିକେୟୀ ପୀଠରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ପୂଜାର୍ଚ୍ଚନା କରି ମାଆଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ମାଧପୁର ଓ କିଆକଟା ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରକାଶ ଯେ, ସାଂସଦ ଓ ବିଧାୟକ ପ୍ରାର୍ଥୀ ପାଇଁ ବହୁ ନୂଆ ପ୍ରାର୍ଥୀ ଟିକେଟ୍ ପାଇଁ ଲମ୍ବା ଧାଡିରେ ଥିବା ବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ ନଳିନୀ ପ୍ରଧାନ ଏବଂ ଆଠମଲ୍ଲିକ ବିଧାନସଭା ପାଇଁ ରମେଶ ସାଏଙ୍କ ନାମ ଟିକେଟ୍ ପାଇବା ସମ୍ଭାବ୍ୟ ତାଲିକାରେ ଥିବା ମଧ୍ୟ ଚର୍ଚ୍ଚା ହୋଇ ଆସୁଛି ।

ହେଲେ ଆଜିର ଏହି ରୋଡ୍‌ ସୋ’ କୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେଡିର ନବାଗତ ଏହି ଦୁଇ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଛି ନା ଦଳୀୟ ମୁଖିଆଙ୍କ ପାଖରେ ନିଜର ପ୍ରତିଆରା ତଥା ଜନ ସମର୍ଥନ ପ୍ରମାଣ କରିବା ନିମନ୍ତେ ଏହି ଶୋଭାଯାତ୍ରା ଆୟୋଜନ ହୋଇଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ସଂଜୀବ ସାହୁ କର୍ମୀମାନଙ୍କୁ କହିଛନ୍ତି‌,‘ମୁଁ ଦଳ ଓ ଅଞ୍ଚଳ ପାଇଁ ଯଥେଷ୍ଟ କାମ କରିଛି। ଦଳର ଜଣେ ଓ ଶୃଙ୍ଖଳିତ ଓ ଆନୁଗତ୍ୟ ସଦସ୍ୟ ହୋଇଥିବାରୁ ଦଳୀୟ ଟିକେଟ୍ ମୁଁ ନିଶ୍ଚିତ ଭାବେ ପାଇବି’ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏଣୁ ଦଳୀୟ ଟିକେଟ୍ ରମେଶ ନା ସଂଜୀବ ପାଇବେ ସେ ନେଇ ବିଜେଡି କର୍ମୀମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଫଳସ୍ୱରୂପ ଆଜି ଏହି ରୋଡ ସୋ’ରେ ଆଠମଲ୍ଲିକ ବ୍ଲକର କଥାକଥିତ ଛାମୁଆ ନେତା, ଦଳୀୟ କର୍ମକର୍ତ୍ତା, ନିର୍ବାଚିତ ଜନ ପ୍ରତିନିଧି ଯୋଗ ଦେନଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ବରିଷ୍ଠ ଆଇନଜୀବି ଅସୀତ ରଞ୍ଜନ ଦେଓ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ କର୍ଣ୍ଣ, କିଶୋରନଗର ବ୍ଲକ ଯୁବ ସଭାପତି ଜିତେନ୍ଦ୍ର ବେହେରାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ‌ରୋଡ୍ ସୋ’ରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ବିଧାୟକ ସଂଜୀବ ସାହୁଙ୍କ ନେତୃତ୍ବରେ ବିଜେପି ନେତା ଆଇନଜୀବୀ ଅଞ୍ଜନ ପ୍ରଧାନ ତାଙ୍କ ସମର୍ଥକଙ୍କୁ ନେଇ ନବୀନ ନିବାସରେ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିବା ଜଣାଯାଇଛି। ଶ୍ରୀ ସାହୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ଦୁଇଥର ବିଜୟୀ ହୋଇଛନ୍ଥି। ଏଥିସହ ମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe