ବିପଦରେ ଅତିବଡ଼ୀଙ୍କ ପୀଠ : ସାତଲହଡ଼ି ମଠରେ ହେବ ୨ ମହଲା କୋଠା

ବିପଦରେ ଅତିବଡ଼ୀଙ୍କ ପୀଠ : ସାତଲହଡ଼ି ମଠରେ ହେବ ୨ ମହଲା କୋଠା

ପୁରୀ : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ହେଲେ ଅତିବଡ଼ୀ ଜଗନ୍ନାଥ ଦାସ। ସେ ପ୍ରସିଦ୍ଧ ଗ୍ରନ୍ଥ ଓଡ଼ିଆ ଭାଗବତର ରଚୟିତା। କୁହାଯାଏ ତାଙ୍କ ପ୍ରାର୍ଥନାରେ ସମୁଦ୍ର ୭ ଲହଡ଼ି ପଛକୁ ଘୁଞ୍ଚିଯାଇଥିଲା। ତାଙ୍କୁ ସମ୍ମାନ ଜଣାଇ ସାହିତ୍ୟ ସାଧକମାନଙ୍କୁ ମର୍ଯ୍ୟାଦାଜନକ ଅତିବଡ଼ୀ ପୁରସ୍କାରରେ ସମ୍ମାନିତ କରାଯାଉଛି। ହେଲେ ତାଙ୍କ ସ୍ମୃତିରକ୍ଷା ପାଇଁ କାହାରି ନିଘା ନାହିଁ। ସ୍ୱର୍ଗଦ୍ଵାର ଅଞ୍ଚଳରେ ରହିଥିବା ଏହି ମହାପୁରୁଷଙ୍କ ସାଧନା ପୀଠ ସାତଲହଡ଼ି ମଠ ତଥା ସମାଧିସ୍ଥଳର ସୁରକ୍ଷା ପାଇଁ ପୂର୍ବରୁ ଅନେକ ଯୋଜନା ହୋଇଥିବା ବେଳେ ଏବେ ସୁରକ୍ଷା ପରିବର୍ତ୍ତେ ଏହାର ନିଲାମ ହେବାକୁ ଯାଉଛି। ମଠ ସାମ୍ନାରେ ଦୁଇମହଲା କୋଠା ତିଆରି କରି ବ୍ୟବସାୟିକ କାର୍ଯ୍ୟରେ ଭଡ଼ାରେ ଲଗାଇବାକୁ ଯୋଜନା ହେଉଛି। ଏହି କୋଠା ତିଆରି ହେଲେ ଐତିହ୍ୟସଂପନ୍ନ ମଠ ନିଜ ଅସ୍ତିତ୍ଵ ହରାଇବାର ଯଥେଷ୍ଟ ଆଶଙ୍କା ଥିବାରୁ ପ୍ରସ୍ତାବିତ ଯୋଜନାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରୁଛନ୍ତି।

ପଞ୍ଚଦଶ ଶତାବ୍ଦୀରେ ଜଗନ୍ନାଥ ଦାସ ନିଜ ଗ୍ରାମ ପୁରୀ ସଦରଥାନା ଅଧୀନ କପିଳେଶ୍ୱରପୁର ଛାଡ଼ି ଚାଲି ଆସି ଏହି ପ୍ରସିଦ୍ଧ ସାତଲହଡ଼ି ମଠରେ ସାଧନା ଆରମ୍ଭ କରିଥିଲେ। ମୃତ୍ୟୁ ପରେ ତାଙ୍କୁ ଏଠାରେ ସମାଧି ଦିଆଯାଇଥିଲା। ଏଠାରେ କେବଳ ତାଙ୍କର ଆସ୍ଥାନ ବିଦ୍ୟମାନ ଥିଲା। ଯାହା ଏବେ ବି ରହିଛି। ଅତିବଡ଼ୀଙ୍କ ଐତିହ୍ୟସଂପନ୍ନ ଏହି ସନ୍ତକକୁ ସୁରକ୍ଷା ଦେବା ସହ ଏହାର ବିକାଶ ପାଇଁ ଗଠିତ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି କମିଟି ପୁଣ୍ୟ ପୀଠକୁ ସୁରକ୍ଷା ଦେବ କ’ଣ ଓଲଟା ବେପାର ଆରମ୍ଭ କରି ଦେଇଛି। କମିଟିର ଅଧ୍ୟକ୍ଷ ଖୋଦ୍‌ ଜିଲ୍ଲାପାଳ ଅଛନ୍ତି। ମହାପୁରୁଷଙ୍କ ସ୍ମୃତିପୀଠକୁ ବେପାରରେ ଲଗାଇବା ପାଇଁ ସେ ହିଁ ମୁଖ୍ୟ ପୁରୋଧା ସାଜିଛନ୍ତି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯିଏ ଦୋକାନ କରିବ ସେ ଘର ତିଆରି କରିବ। ଏହା ସିଆରଜେଡ୍‌ ଅଞ୍ଚଳରେ ଆସୁଥିବାରୁ ନିର୍ମାଣ ପାଇଁ ସେ ହିଁ ଦାୟିତ୍ଵ ନେବ। କମିଟି କେବଳ ଏହି ମଠର ମୂଲ୍ୟବାନ ଜମିକୁ ୧୦ ବର୍ଷ ପାଇଁ ଏମାନଙ୍କ ହାତରେ ଟେକିଦେବ। ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁର ତୀବ୍ର ବିରୋଧ ହୋଇଛି। ଏହି କମିଟିରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଡ. କୈଳାସଚନ୍ଦ୍ର ଟିକାୟତ ରାୟ, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ବର୍ତ୍ତମାନର ମଠ ମାର୍ଫତଦାର ପ୍ରମୁଖ ସଦସ୍ୟ ଅଛନ୍ତି। କିନ୍ତୁ ନିଷ୍ପତ୍ତି ଜିଲ୍ଲାପାଳଙ୍କର ହୋଇଥିବାରୁ ସମସ୍ତେ ନିରବ ରହିଛନ୍ତି। ଗୋଟିଏ ବର୍ଷ ଅସ୍ଥାୟୀ(କ୍ୟାବିନ) ଲାଇସେନ୍‌ସ୍‌ ଦେବାପରେ ସର୍ତ୍ତ ଖିଲାପ ହେଲେ ମଧ୍ୟ ପୌରସଂସ୍ଥା ଆଉ ସମ୍ପୃକ୍ତ ହିତାଧିକାରୀଙ୍କୁ ସେଠାରୁ ଉଠାଇ ପାରୁନାହିଁ। ଏଠାରେ ୧୦ ବର୍ଷ ପାଇଁ ଦିଆଯାଉଥିବାରୁ ଏହି ଜମି ସମ୍ପୃକ୍ତ ବ୍ୟବସାୟୀ ପିଢି ପରେ ପିଢି ବ୍ୟବହାର କରିବାର ଆଶଙ୍କ ଦେଖାଦେଇଛି।

ମୂଲ୍ୟବାନ ଜାଗା ହୋଇଥିବାରୁ ଏହାକୁ ନେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ପର୍ଦ୍ଦା ପଛରେ ବିଲ୍‌ଡରମାନେ ରହି ଷଡ଼ଯନ୍ତ୍ର ଚଳାଇଛନ୍ତି। ସରକାରୀ ଦର ପରେ ଟେବୁଲ ତଳେ ମୋଟା ଅଙ୍କର ଅର୍ଥ କାରବାର ହେବାକୁ ଯାଉଛି। ଅତିବଡ଼ୀଙ୍କ ସ୍ମୃତିକୁ ବେପାର କରିଦେବା ପାଇଁ ଏହା ଏକ ବିଧିବଦ୍ଧ ଷଡଯନ୍ତ୍ର ବୋଲି କୁହାଯାଉଛି। ଅଧିକ ଆୟ ପାଇଁ ଯୋଜନା କରି ଏଭଳି ହୋଇଥିବା କମିଟି ପକ୍ଷରୁ ସଫେଇ ଦିଆଯାଉଛି।

ଏହି ମଠର ଜମିକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ମଠର ଜମି କିଣିଥିବା କେତେକ କ୍ରେତା କିଣିଥିବା ଜମିରୁ କିଛି ଅତିରିକ୍ତ ଜମିର ନୋ ଅବ୍‌ଜେକ୍ସନ ହାସଲ କରିବା ସହ ମ୍ୟୁଟେସନ କରି ନେଇଛନ୍ତି। କେତେକ କ୍ରେତା ବିଳମ୍ବରେ ଦଖଲ ନେବାକୁ ଆସିବା ବେଳକୁ ସେଠାରେ ଜମି ନ ଥିବା ଦେଖାଦେଇଛି। ଫଳରେ ସମ୍ପୃକ୍ତ କ୍ରେତା କୋର୍ଟର ଆଶ୍ରୟ ନେଇଥିବା ବେଳେ କେତେକ କ୍ରେତା ସାତଲହଡ଼ି ମଠକୁ ଇଟାରେ ପାଚେରି କରି ନିକଟ ଅତୀତରେ ବନ୍ଦ କରିଦେଇଥିବା ନଜିର ରହିଛି। ଏହି ତାଲିକାରେ ବରିଷ୍ଠ ସେବାୟତ ବୀରକିଶୋର ମହାପାତ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ରହିଛନ୍ତି। ତାଙ୍କ ସହ ଶ୍ୟାମଳ ବାନାର୍ଜୀ ଓ ପୂର୍ବତନ ଜିଲ୍ଲାପାଳ ଅଶୋକ ମିଶ୍ର ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ ହୋଇଛନ୍ତି। ତା ଛଡ଼ା ୮୦ ଲକ୍ଷ ଟଙ୍କାରେ ଏହି ମଠର ପୁନରୁଦ୍ଧାର ପାଇଁ ଯୋଜନା ହୋଇଛି। ଏଥିରେ ଅତିବଡ଼ୀଙ୍କ ଜୀବନ ବୃତ୍ତାନ୍ତ ରହିବା ପାଇଁ ଏକ ପ୍ରାର୍ଥନା ଗୃହ ଓ କେତେକ ପିଣ୍ଡି ନିର୍ମାଣର କାର୍ଯ୍ୟକ୍ରମ ରହିଛି। ୬୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୪ ମସିହାରୁ ଏହା ଅଧପନ୍ତରିଆ ଭାବେ ପଡ଼ିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe