ଲୁଟେରାଙ୍କ ଟାର୍ଗେଟ୍‌‌‌‌‌‌ରେ ବ୍ୟାଙ୍କ୍‌ : ଏଟିଏମ୍‌ କାଟି ୨୮ଲକ୍ଷ ଲୁଟ୍‌

ଗ୍ୟାସ୍‌ କଟର୍‌ରେ ଏଟିଏମ୍‌ରୁ ଲୁଟ୍‌ ରାଜଧାନୀ‌‌ରେ ପ୍ରଥମ, ପୁଲିସର ତଦନ୍ତ ଆରମ୍ଭ

ବ୍ୟାଙ୍କ, ଏଟିଏମ୍ କାଉଣ୍ଟର ଲୁଟ୍ ପରେ ସୁରକ୍ଷା ବଢ଼ାଇବାକୁ ପ୍ରସ୍ତାବ

ଚନ୍ଦ୍ରଶେଖରପୁର : ବିପଦରେ ରାଜଧାନୀର ବ୍ୟାଙ୍କ। ଏବେ ଲୁଟେରାମାନଙ୍କ ପ୍ରଥମ ଟାର୍ଗେଟ୍‌ରେ ବ୍ୟାଙ୍କ। ଗତମାସ ମାତ୍ର କିଛି ଦିନ ଅନ୍ତରାଳରେ ଦୁଇ ଦୁଇଟି ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଦିନ ଦି’ପହରେ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ବେଳେ ଗତ ରାତିରେ ରାଜଧାନୀର ଆଉ ଏକ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲୁଟେରାମାନେ ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ତାଡ଼ି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଷ୍ଟେସନ୍ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏଟିଏମ୍‌ରେ ଏହି ଆପରାଧିକ ଘଟଣା ଘଟିଛି। ତେବ‌େ ଗ୍ୟାସ୍‌ କଟର୍‌ ସହାୟତାରେ ଏଟିଏମ୍‌ରୁ ଲୁଟ୍‌ ଘଟଣା ରାଜଧାନୀ‌ରେ ପ୍ରଥମ ବୋଲି କୁହାଯାଉଛି। ଆଗରୁ କେବେ ବି ରାଜଧାନୀରେ ଦୁର୍ବୃତ୍ତମାନେ ଏଭଳି ଢଙ୍ଗରେ ଏଟିଏମ୍‌ରୁ ଲୁଟ୍‌ କରିନଥିଲେ।

ଜଣେ ଗ୍ରାହକ ଆଜି ଉକ୍ତ ଏଟିଏମ୍‌କୁ ଟଙ୍କା ଉଠାଣ ପାଇଁ ଯାଇଥିବା ବେଳେ ଏହା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ସୂଚନା ଦେଇଥିଲେ। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ୍‌ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହଯୋଗ‌ରେ ତଦନ୍ତ କରିଛି। ଘଟଣାସ୍ଥଳରୁ ପୁଲିସ୍‌ ଏକ ଗ୍ୟାସ୍‌ କଟର୍‌ ମେସିନ୍‌ ଓ ଲୁଟ୍‌ରେ ବ୍ୟବହୃତ ଅନ୍ୟ କିଛି ଆନୁଷଙ୍ଗିକ ସାମଗ୍ରୀ ଜବତ କରିଛି। ଏହାସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି। ପୂର୍ବରୁ ଏପରି ଢଙ୍ଗରେ ଏଟିଏମ୍‌ରୁ ଲୁଟ୍‌ କରିଥିବା କିଛି ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। କିନ୍ତୁ ଶେଷ ଖବର ଲେଖା ହେବା ବେଳକୁ ଏହି ଘଟଣାରେ ପୁଲିସ୍‌ କାହାରିକୁ ଗିରଫ କରିପାରିନାହିଁ। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା କଥା, ଲୁଟେରାମାନେ ଏମିତି କିଛି ପ୍ରମାଣ ଛାଡ଼ି ଯାଇଛନ୍ତି, ଯାହାକୁ ଆଧାର କରି ପୁଲିସ୍ ସେମାନଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚିଯିବ। ଅପରପକ୍ଷେ ଏହି ଏଟିଏମ୍‌ ନିକଟରେ ଦୋକାନ କରିଥିବା ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ସୂଚନା ମୁତାବକ, ଗତକାଲି ବଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଯୁବକ ଏଟିଏମ୍‌ ନିକଟରେ ଏକ ଅଟୋ‌ରେ ବସି ଖଟି କରୁଥିଲେ। ସେମାନେ ଏଭଳି କାରନାମା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୭ ତାରିଖ‌ରେ ନନ୍ଦନବିହାର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ସେହିମାସ ୨୮ ତାରିଖରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପାଖାପାଖି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲା। କିଛି ଦିନ ଅନ୍ତରାଳରେ ଘଟିଥିବା ଏହି ଦୁଇ ଦୁଇଟି ଘଟଣା କମିସନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିଲା। ତେବ‌େ ଗତ ୫ ତାରିଖରେ ପୁଲିସ୍‌ ଏହି ଲୁଟ୍‌ଦ୍ବୟର ଅଭିଯୁକ୍ତ ଟାଙ୍ଗିବନ୍ତର ସ‌ୌମ୍ୟରଂଜନ ଜେନା ଓରଫ ଟୁଲୁ (୨୫)କୁ ଖୋର୍ଧାରୁ ଗିରଫ କରିବା ପରେ ଟିକିଏ ଆଶ୍ବସ୍ତ ହୋଇଥିଲା। କିନ୍ତୁ ଗତରାତିରେ ଘଟିଥିବା ଏହି ଏଟିଏମ୍‌ ଲୁଟ୍‌ ଘଟଣା ପୁଣିଥରେ ପୁଲିସ୍‌ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe