ରାସନ୍‌ ପାଇଁ ଖୁବ୍‌ଶୀଘ୍ର ଏଟିଏମ୍: ଚାଷୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ

Advertisment
ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା: ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

The Asian Age

ଭୁବନେଶ୍ବର: ଏଣିକି ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ମିଳିବ। ଏକ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ହାର ୨ ପ୍ରତିଶତ ରହିବ। ଆଜି ବିଧାନସଭାରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ନିଆଯାଉ ନ ଥିଲା। ଏହା ସହ ମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ସରକାର ଅଲ୍‌ଟାଇମ୍‌ ‌ଗ୍ରେନ୍ ବ୍ୟବସ୍ଥା କରୁଛନ୍ତି। ଏଟିଏମ୍‌ରୁ ଟଙ୍କା ବାହାରିଲା ପରି ଶସ୍ୟ ବାହାରିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ବତନ୍ତ୍ର କାର୍ଡ ଯୋଗାଇ ଦିଆଯିବ। ଯେ କୌଣସି ସମୟ‌ରେ ହିତାଧିକାରୀ ନିଜର କାର୍ଡରେ ଆବଶ୍ୟକତା ଅନୁଯାୟୀ ରାସନ୍ ନେଇପାରିବେ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ହେବ। ଭୁବନେଶ୍ବରରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ତେବେ ଏହି ସେବା କେବେ ଆରମ୍ଭ ହେବ, ସେ ସମ୍ପର୍କ‌ରେ ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀ ସୂଚନା ଦେଇନାହାନ୍ତି।

ମନ୍ତ୍ରୀ ସୂଚନା ଦେଇଥିଲେ ଯେ ରାଜ୍ୟର ପ୍ରାୟ ୫୭ ଲକ୍ଷ କୃଷକ ପରିବାର ୨୭୧୦ଟି ପ୍ରାଥମିକ କୃଷି ଋଣ ସମବାୟ ସମିତିରେ ସଭ୍ୟ ହୋଇଛନ୍ତି। ବର୍ତ୍ତମାନ ସମବାୟ ବ୍ୟାଙ୍କ ମାଧ୍ୟମରେ ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଫସଲ ଋଣ ଯୋଗାଇ ଦିଆଯାଉଛି। ୨୦୨୨-୨୩ରେ ସମବାୟ ବ୍ୟାଙ୍କ ଦ୍ବାରା ୧୬ ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ସମସ୍ତ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଜାତୀୟ କୃଷି ବଜାର ବା ଇ-ନାମ୍‌ ଯୋଜନାରେ ସଂଯୋଗ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୪ଟି ଆର୍‌ଏମ୍‌ସିକୁ ଇ-ନାମ୍‌ ପୋର୍ଟାଲ୍‌ରେ ସଂଯୋଗ କରାଯାଇଛି। ଏହି ବଜାର ମାଧ୍ୟମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୭୩୭.୯୬ କୋଟି ଟଙ୍କା ମୂଲ୍ୟର କୃଷିଜାତ ଦ୍ରବ୍ୟର କାରବାର ହୋଇଛି।

ଯୋଗାଣ ବିଭାଗର ସଫଳତା ବଖାଣି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି। କରୋନା ମହାମାରୀ ସମୟରେ ରାଜ୍ୟର ସମସ୍ତ ରାସନ୍ କାର୍ଡଧାରୀଙ୍କୁ ପରିବାର ପିଛା ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ରାଶି ଦୁଇ ଥର ବଣ୍ଟନ କରାଯାଇଛି। ରାଜ୍ୟର ଚାଷୀମାନଙ୍କ ଠାରୁ ସରକାରୀ ଘୋଷିତ ଦରରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିକ୍ରି ଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଛନ୍ତି। ଆଜି ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe