ମଦ ମାଫିଆଙ୍କ ଆକ୍ରମଣ ବିରୋଧରେ ବିଟ ହାଉସ୍‌ ଘେରିଲେ ମହିଳା

ମଦ ମାଫିଆଙ୍କ ଆକ୍ରମଣ ବିରୋଧରେ ବିଟ ହାଉସ୍‌ ଘେରିଲେ ମହିଳା

କନକତୋରା : ଗତ ୧୨ ତାରିଖ ରାତିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବଡ଼ଧରା ଗାଁ’ରେ ଗ୍ରାମବାସୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣା ନେଇ ଉତ୍ତେଜନା ଲାଗି ରହିଛି। ଶନିବାର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବେଆଇନ ମଦ କାରବାର ଓ ଆକ୍ରମଣ ଘଟଣାକୁ ବିରୋଧ କରି ଗାଁ’ରେ ଏକ ରାଲି କରିବା ପରେ କନକତୋରା ପୁଲିସ ବିଟ୍‌ ହାଉସ୍‌ ଘେରାଉ କରିଥିଲେ। ଆକ୍ରମଣ ଘଟଣା ପାଇଁ ପୁଲିସ୍‌ର ଅବହେଳାକୁ ଦାୟୀ କରିଥିଲେ। ବାଦିମାଲ ସରପଞ୍ଚ ବୈଦେହୀ ପଧାନ ଏହାର ନେତୃତ୍ବ ନେବା ସହ ବଡ଼ଧରା ଗାଁ’ ଖଜିରିଆ ପଡ଼ାର କିଛି ଲୋକ ବେଆଇନ ଭାବେ ଦେଶୀ ମଦ କାରବାର କରିବା ସହ ଅସାମାଜିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରିଥିଲେ। ବିଭିନ୍ନ ସମୟରେ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ସେମାନେ ତାକୁ ଖାତିର୍‌ କରୁ ନାହାନ୍ତି। ଏପରିକି ଅଭିଯୋଗ ପରେ ଅନେକ ଥର ପୁଲିସ୍‌ ଓ ଅବକାରୀ ବିଭାଗ ସେଠାରେ ଚଢ଼ଉ କରି ମଦ ଓ ପୋଚ ଆଦି ଜବତ କରିଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରୁ ନଥିବା ଶ୍ରୀମତୀ ପଧାନଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଥିଲେ। ସେହିପରି ମାଡ଼ପିଟ୍‌ ଘଟଣାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିଲା ବେଳେ ପୁଲିସ୍‌ ଗାଁ’ରେ କେବଳ ଦୁଇ ସେକ୍‌ସନ୍ ଫୋର୍ସ ମୁତୟନ କରି ଦାୟିତ୍ବ ସାରି ଦେଇଥିବା ଓ ଅନ୍ୟ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପ୍ରକାଶଥାଉ କି, ମଦ ମାଫିଆଙ୍କ ଠେଙ୍ଗା ମାଡ଼ରେ ସରପଂଚଙ୍କ ସ୍ବାମୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ।

ଏ ନେଇ ଅତିରିକ୍ତ ଏସ୍‌ପି ଏସ.କେ. ପାଣିଗ୍ରାହୀ, ରେଙ୍ଗାଲି ଥାନା ଆଇଆଇସି ଡାନିଏଲ କେର୍କେଟା, ବିଟ ହାଉସ୍‌ ଅଧିକାରୀ ଚୁଡାମଣି ମହାନନ୍ଦ ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଗ୍ରାମବାସୀ ବିଟ୍‌ ହାଉସ୍‌ ଘେରାଉ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe