Advertisment

ବାଇକ୍ ଦେଲେନି ବୋଲି ଭାଇ-ଭାଉଜଙ୍କୁ ହାଣିଲା ଯୁବକ

Advertisment
ବାଇକ୍ ଦେଲେନି ବୋଲି ଭାଇ-ଭାଉଜଙ୍କୁ ହାଣିଲା ଯୁବକ

ଭୋଗରାଇ: ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ ମୋଟରସାଇକେଲ୍‌ ପାଇଁ ଭାଇ-ଭାଉଜଙ୍କୁ ଦାଉଲିରେ ନିର୍ମମ ଭାବେ ହାଣିବା ସହିତ ପଥରରେ ମୁଣ୍ଡକୁ ଛେଚି ପକାଇଛି ଜଣେ ଯୁବକ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ପତିପତ୍ନୀଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଭଳି ଘଟଣା ଘଟିଛି ଭୋଗରାଇ ଥାନା ନିମାତପୁର ଗାଁରେ।

ଅଭିଯୋଗ ଅନୁଯାୟୀ, ସୋମବାର ଅପରାହ୍ନରେ ନିମାତପୁର ଗାଁର କ୍ଷିତୀଶ ଦଳାଇଙ୍କ ପୁଅ ଗୋପାଳ ଦଳାଇ କୌଣସି କାମ ପାଇଁ ସମ୍ପର୍କୀୟ ଭାଇ କାଳୀଚରଣଙ୍କୁ ତାଙ୍କ ମୋଟରସାଇକେଲ୍‌ ମାଗିଥିଲେ। ତେବେ କାଳୀଚରଣ ନିଜର କାମଥିବା କହି ଗୋପାଳକୁ ଗାଡ଼ି ଦେବାକୁ ମନା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋପାଳ, ତାଙ୍କ ଭାଇ ରିଣ୍ଟୁ ଦଳାଇ, ମାଆ ଗୌରୀ ଦଳାଇ କାଳୀଚରଣଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। କାଳୀଚରଣଙ୍କ କାନକୁ ଦାଉଲିରେ ହାଣିବା ସହିତ ତାଙ୍କୁ ଘୋଷାରି ଘୋଷାରି ଘର ପର୍ଯ୍ୟନ୍ତ ନେଇଥିଲେ। ଏହା ଦେଖି କାଳୀଚରଣଙ୍କ ପତ୍ନୀ ରୁନି ଦଳାଇ ଦୌଡ଼ି ଆସି ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବେଳେ ତାଙ୍କୁ ମଧ୍ୟ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବିଧା, ଗୋଇଠା ମାରି ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଉଭୟ ପତିପତ୍ନୀ ସେଠାରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିବା ବେଳେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ କାଳୀଚରଣଙ୍କ ବାପା ମଣ୍ଟୁ ଦଳାଇ ଭୋଗରାଇ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe