Image Courtesy of DT Next
ଖୋର୍ଦ୍ଧା: ଖୁଦୁରୁକୁଣି ଓ ଗଣେଶ ମୂର୍ତ୍ତି ମାଗଣା ଦେବାକୁ କେନ୍ଦ୍ର କରି କେତେକ ଯୁବକ ମୂର୍ତିକାରଙ୍କ ପରିବାରକୁ ଆକ୍ରମଣ କରିଛନ୍ତି। ଏଥିରେ ମୂର୍ତିକାର ପରିବାରର ଜଣେ ମହିଳାଙ୍କ ସମେତ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାରେ ସଦର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତୋଟାପଡ଼ା-କଦଳୀବାଡ଼ି ରାସ୍ତା କଡ଼ରେ ବିଶ୍ବମ୍ବର ମୁଦୁଲି (୮୦), ରମା ମୁଦୁଲିଙ୍କ ସହ ତାଙ୍କର ଦୁଇ ପୁଅ ରହନ୍ତି। ବିଶ୍ବମ୍ବର ମୂର୍ତି ନିର୍ମାଣ କରି ବିକ୍ରି କରନ୍ତି। କଦଳୀବାଡ଼ି ଗାଁରେ ଖୁଦୁରୁକୁଣି ଓ ଗଣେଶ ପୂଜା ପାଇଁ ଚାନ୍ଦା ଆଦାୟ କରିବାକୁ ଗାଁର ସତ୍ୟରଞ୍ଜନ ନରେନ୍ଦ୍ର ଓରଫ ବାପୁଜୀ ଓ ଅନ୍ୟ ତିନିଜଣ ତାଙ୍କ ଘରକୁ ଯାଇଥିଲେ। ଚାନ୍ଦା ଦେବାକୁ ମନା କରିବାରୁ ଏହାବଦଳରେ ମୂର୍ତି ମାଗଣା ଦେବାକୁ କହିଥିଲେ। ଏହାର ପ୍ରତିବାଦ କରିବାରୁ ବିଶ୍ବମ୍ବର ଓ ବାପୁଜୀ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଆଜି ଭୋର ପ୍ରାୟ ୩ଟା ବେଳେ ବାପୁଜୀ ଓ ତା’ର ଅନ୍ୟ ସାଥୀମାନେ ବିଶ୍ବମ୍ବରଙ୍କ ଘରର ଦାଣ୍ଡ କବାଟ ଭାଙ୍ଗି ଭିତରେ ପଶିବା ସହ ସେଠାରେଥିବା ମୂର୍ତି ଆଦି ଭାଙ୍ଗି ଦେଇଥିଲେ। ଏହାର ପ୍ରତିରୋଧ କରିବାକୁ ଆସିଥିବା ବିଶ୍ବମ୍ବର, ତାଙ୍କ ପତ୍ନୀ ଓ ସାନପୁଅକୁ ଆକ୍ରମଣ କରିଥିଲେ। ଏଥିରେ ତିନିହେଁ ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଆଜି ସକାଳେ ଏନେଇ ବିଶ୍ବମ୍ବରଙ୍କ ବଡ଼ପୁଅ ବିଜୟ ମୁଦୁଲି ସଦର ଥାନାରେ ଲିଖିତ ଏତଲା ଦେଇଥିଲେ। ମାମଲା ସମ୍ପର୍କରେ ସୂଚନା ଦେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି ଯେ ଅଭିଯୋଗ ଅନୁସାରେ ୨୫୦/୨୩ରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାପୁଜୀଙ୍କୁ ଗିରଫକରାଯାଇ କୋର୍ଟ ଚାଲାଣ କରାଯାଇଛି।
Follow Us