କରୋନା ସଚେତନତା ବେଳେ ଆକ୍ରମଣ : ଦଶପଲ୍ଲାରେ ଆଶାକର୍ମୀଙ୍କ ଉପରେ ଢାଳିଦେଲେ ତତଲା ପେଜ

Advertisment
କରୋନା ସଚେତନତା ବେଳେ ଆକ୍ରମଣ : ଦଶପଲ୍ଲାରେ ଆଶାକର୍ମୀଙ୍କ ଉପରେ ଢାଳିଦେଲେ ତତଲା ପେଜ

ଦଶପଲ୍ଲା : କରୋନା ସଂକ୍ରମଣ ରୋକିବାକୁ ସଚେତନତା ସମୟରେ କାର୍ଯ୍ୟରତ ଜଣେ ଆଶା କର୍ମୀଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ତତଲା ପେଜ ଢାଳି ଦେଇଛନ୍ତି। ଦଶପଲ୍ଲା ବ୍ଲକ୍‌ ଆଦିବାସୀ ବହୁଳ ନୂଆଗାଁ ପଞ୍ଚାୟତର ଗେନେଗେଣ୍ତା ଗ୍ରାମରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ବିଡିଓ ଦେବୀ ପ୍ରସାଦ ମହାନ୍ତି ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଛନ୍ତି। ତେବେ ଏଥିରେ ସଂପୃକ୍ତ ଆଉ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗେନେଗେଣ୍ତା ଗ୍ରାମର ଆଶା କର୍ମୀ ମାଧୁରୀ ନାୟକ ଓ ସେହି ଗ୍ରାମର ମନୁ ନାୟକଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ମାତ୍ର ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରେ ମାଧୁରୀ କରୋନା ସଂକ୍ରମଣ ସମ୍ପର୍କରେ ଗ୍ରାମରେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଏଥିରେ ଉକ୍ଷୀପ୍ତ ହୋଇ ମନୁ ନାୟକ ମାଧୁରୀଙ୍କ ଉପରକୁ ତତଲା ପେଜ ଢାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ମାଧୁରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସା ପରେ ଆଶାକର୍ମୀଙ୍କ ଅବସ୍ଥା ଭଲଥିବା ଜଣାପଡିଛି।

ଘଟଣା ପରେ ବାଣିଗୋଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମନୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି। ତେବେ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଥିବା କର୍ମୀଙ୍କ ଉପରେ ଏଭଳି ଆକ୍ରମଣକୁ ସାଧାରଣରେ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ୪ ଦିନ ତଳେ ସ୍ଥାନୀୟ କଉଡ଼ା ଗ୍ରାମରେ ହେଲଥ୍ ଟିମ୍‌ରେ ନିୟୋଜିତ ଆୟୁଷ ଡାକ୍ତର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe