ନାବାଳିକା ଅପହରଣ ମାମଲା ରଫାଦଫା କରିବାକୁ ଯାଇ ହଟହଟା : ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜୋତାମାଳ ପିନ୍ଧାଇଲେ

ନାବାଳିକା ଅପହରଣ ମାମଲା ରଫାଦଫା କରିବାକୁ ଯାଇ ହଟହଟା : ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜୋତାମାଳ ପିନ୍ଧାଇଲେ

ବାରିପଦା : ‘ତତେ କଣ ଆମେ ଭୋଟ ଦେଇ ଜିତେଇଥିଲୁ ଏଥିପାଇଁ। ଜଣେ ଆଦିବାସୀ ମହିଳା ହୋଇ ଆମ କଥା ବୁଝିବା ବଦଳରେ ହଇରାଣ କରୁଛୁ। ତୋ ପାଇଁ ଏହି ପୁରସ୍କାର ଠିକ୍‌।’ ଏହାପରେ ଚେୟାର୍‌ରେ ବସିଥିବା ମହିଳାଙ୍କ ବେକରେ ପଡ଼ିଥିଲା ଜୋତାମାଳ ଓ ପରେ ମାଡ଼ପିଟ୍‌। ମହିଳା ଜଣଙ୍କ ତଳେ ପଡ଼ିଯାଇ ହୀନସ୍ତା ହୋଇଥିଲେ। ଏପରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ମହିଳାଜଣଙ୍କ ହେଉଛନ୍ତି ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍‌। ଏକ ନାବାଳିକା ଅପହରଣ ମାମଲାର ରଫାଦଫା କରିବାକୁ ଯାଇଥିବା ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜୋତାମାଳ ପିନ୍ଧାଇଥିଲେ ନାବାଳିକାଙ୍କ ମା’। ଗତ ଗୁରୁବାର ଦିନ ଏହି ଘଟଣା ଘଟିଛି ବାରିପଦା ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତ ନୂଆଡ଼ିହି ଗାଁରେ। ମହିଳାଙ୍କ ସହିତ ସାଧାରଣ ଗ୍ରାମବାସୀମାନେ ମଧ୍ୟ ଏହି ଘଟଣାରେ ଅଧ୍ୟକ୍ଷାଙ୍କୁ ବେଶ୍‌ ହଲାପଟା କରିଥିଲେ। ଅଧ୍ୟକ୍ଷା ମହିଳାଙ୍କୁ ମାଡ଼ ମାରିଥିବା ବେଳେ ମହିଳା ଜଣଙ୍କ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କିନ୍ତୁ ଜଣେ ଜନପ୍ରତିନିଧି ଭାବରେ ଶ୍ରୀମତୀ ହେମ୍ବ୍ରମ୍‌ ଉକ୍ତ ଗ୍ରାମରୁ ଅତ୍ୟନ୍ତ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ବାରିପଦା ସଦର ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ଗତ ମାର୍ଚ୍ଚ ମାସରେ ତାଙ୍କ ନାବାଳିକା କନ୍ୟାକୁ ଶଙ୍ଖାଭଙ୍ଗା ପଞ୍ଚାୟତ ରାଣିଭୋଳ ଗାଁର ଜଣେ ଯୁବକ ଅପହରଣ କରିନେଇଥିବା ଶାନ୍ତି ସଦର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଘଟଣା ଆରମ୍ଭରୁ ହିଁ ଶ୍ରୀମତୀ ହେମ୍ବ୍ରମ୍‌ ଉକ୍ତ ଯୁବକଙ୍କ ପକ୍ଷ ନେଇ ନାବାଳିକାଙ୍କ ପରିବାରକୁ ବାରମ୍ବାର ଚାପ ପକେଇ ଆସୁଥିବା ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଛି। ତେବେ ପୁଲିସ ନାବାଳିକାଙ୍କୁ ପାଲବଣିରେ ଥିବା ସ୍ୱଧାର ଗୃହରେ ରଖିଥିଲେ। ମାତ୍ର ସ୍ୱଧାର ଗୃହରେ ଉକ୍ତ ନାବାଳିକାଙ୍କୁ ଅତ୍ୟାଚାର କରାଯିବାରୁ ସେ ସେଠାରୁ ଖସିପଳେଇଥିଲେ। ପରେ ବିଜେପି ନେତ୍ରୀ କୌଶଲ୍ୟା ନାୟକ ଓ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ନାବାଳିକାଙ୍କୁ ନେଇ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଘଟଣା ଦିନ ନିଜେ ଅଧ୍ୟକ୍ଷା ତାଙ୍କର କିଛି ସମର୍ଥକଙ୍କ ସହିତ ନାବାଳିକାଙ୍କ ଘରକୁ ଯାଇ ମାମଲାର ରଫାଦଫା କରିବାକୁ ପ୍ରବର୍ତ୍ତାଉଥିଲେ। ଏପରିକି ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କ ସହିତ ବିବାହ କରେଇଦେବାକୁ ମଧ୍ୟ ଚାପ ପକଉଥିଲେ। ମାତ୍ର ଏଥିରେ ନାବାଳିକାଙ୍କ ମା’ ଅରାଜି ହୋଇ ଅଧ୍ୟକ୍ଷାଙ୍କୁ ପ୍ରଥମେ ଜୋତାମାଳ ପିନ୍ଧାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe