tamil.oneindia.com
ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବଡ଼ବଜାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ୭୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଗତକାଲି ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ପରେ ଘଟଣାସ୍ଥଳରୁ ୨ ଶହ ମିଟର ଦୂର କୁଶଭଦ୍ରା ନଦୀପଠାରେ ତାଙ୍କୁ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଆଜି ଭୋରରୁ ପରିବାର ଲୋକେ ନଦୀପଠାରୁ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ବ୍ୟବସାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ ବଜାରରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ଏକ ଚୁଡ଼ି ଦୋକାନ ଅଛି। ଗତକାଲି ରାତିରେ ସେ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ରାତି ପ୍ରାୟ ୧୦ଟାରେ ଅଣ୍ଢିଆସାହି ନିକଟରେ ଥିବା ପିଙ୍ଗଳାକ୍ଷୀ କଲୋନିସ୍ଥିତ ବାସଭବନକୁ ବାହାରିଥିଲେ। ପୂର୍ଣ୍ଣଚନ୍ଦ୍ର ପୁଅକୁ ଆଗରେ ପଠାଇଦେଇ ପରେ ସାଇକେଲ୍ରେ ଘରକୁ ଫେରୁଥିଲେ। କିନ୍ତୁ ରାତି ୩ଟା ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ର ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ସାଙ୍ଗସାଥୀଙ୍କୁ ଫୋନ୍ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ। ଏ ନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ବହୁ ଖୋଜାଖୋଜି ପରେ ଆଜି ଭୋର ସମୟରେ କୁଶଭଦ୍ରା ନଦୀ ବନ୍ଧରୁ ତାଙ୍କ ସାଇକେଲ ମିଳିଥିଲା। ପରେ ପରିବାର ଲୋକ ନଦୀବନ୍ଧ ତଳୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଦୁର୍ବୃତ୍ତମାନେ ଲୁଟ୍ ପରେ ତାଙ୍କୁ ନଦୀ ପଠାରେ ପକାଇ ଦେଇଥିଲେ। ସେଠାରୁ ସେ ବହୁ କଷ୍ଟରେ ନଦୀପଠାରୁ ବନ୍ଧ ପର୍ଯ୍ୟନ୍ତ ଘୁଷୁରି ଘୁଷୁରି ଆସିଥିଲେ। ପରିବାର ଲୋକେ ତାଙ୍କୁ ଖୋଜୁଥିବା ବେଳେ କଥା କହି ପାରୁନଥିବା ପୂର୍ଣ୍ଣଚନ୍ଦ୍ର ତାଳି ମାରି ନିଜ ଅବସ୍ଥିତି ସଂପର୍କରେ ଆଭାସ ଦେଇଥିଲେ। ଅବସ୍ଥା ସଂକଟାପନ୍ନ ରହିଛି।
Follow Us