ବିରଜା ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କୁ ମାଡ଼

Advertisment

ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ: ମନ୍ଦିର ପ୍ରଶାସନ

ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ: ମନ୍ଦିର ପ୍ରଶାସନ

ବିରଜା ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କୁ ମାଡ଼

ଯାଜପୁର ଟାଉନ୍‌/ସଦର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ଜିଲ୍ଲାରୁ ଆସିଥିବା ଜଣେ ଦିବ୍ୟାଙ୍ଗଙ୍କୁ ମନ୍ଦିରର ଚାରି ପାଞ୍ଚ ଜଣ ସେବାୟତ ମାଡ଼ ମାରି ତଡ଼ି ଦେଇଥିବା ଯାଜପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ମା’ ବିରଜାଙ୍କ ରଥ ଉତ୍ସବ ଓ ଷୋଡ଼ଶ ଉପଚାର ପୂଜା ଚାଲିଥିବାବେଳେ ଦୈନିକ ହଜାର ହଜାର ଭକ୍ତଙ୍କ ଭିଡ଼ ହେଉଛି। ଗତକାଲି ରାତିରେ ପ‌ଡ଼ୋଶୀ ଭଦ୍ରକ ଜିଲ୍ଲା ଦୋବଲ ଅଞ୍ଚଳର ଜଣେ ଦିବ୍ୟାଙ୍ଗ କରୁଣାକର ସାହୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ। ରାତିରେ ପ୍ରବଳ ବର୍ଷା ଯୋଗୁଁ ସେ ଦର୍ଶନ କରି ନପାରି ମନ୍ଦିର ସିଂହଦ୍ବାର ନିକଟରେ ରାତି କାଟିଥିଲେ। ଭୋର୍‌ ୪ଟାରୁ ଦର୍ଶନ ଆରମ୍ଭ ହେବ ଜାଣିବାକୁ ପାଇ ସେ ମନ୍ଦିର ଦୁଆରରେ ରାତିସାରା ବସି ରହିଥିଲେ।

ଭୋର୍‌ ସମୟରେ କିଛି ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ତାଙ୍କ ପଛେ ପଛେ କରୁଣାକର ଗୁରୁଣ୍ଡି ଗୁରୁଣ୍ଡି ପ୍ରବେଶ କରିଥିଲେ। କିନ୍ତୁ ସେହି ସମୟରେ ସେବାୟତ ହଠାତ୍‌ କବାଟ ବନ୍ଦ କରି ଦେବାରୁ କରୁଣାକରଙ୍କ ଗୋଡ଼ ଚାପି ହୋଇ ଯାଇଥିଲା। ସେ ଏହାର ପ୍ରତିବାଦ କରିବାରୁ କିଛି ସେବାୟତ ସଂଘବଦ୍ଧ ଭାବେ ଦିବ୍ୟାଙ୍ଗ ଭକ୍ତଙ୍କୁ ଗୋଇଠା ମାରିବା ସହ ଚୁଟିକୁ ଘୋଷାରି ବାହାର କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରିକି ମନ୍ଦିର ଭିତରେ ଖରାପ ଭାଷାରେ ଗାଳି ଗୁଲଜ କରି ଟଙ୍କା ନ ଦେଲେ ବାହାରେ ଫୋପାଡ଼ି ଦେବୁ ବୋଲି କହିଥିବା ଅଭିଯୋଗରୁ ଜଣାପଡ଼ିଛି।

ଏହି ସମୟରେ ଉପସ୍ଥିତ ଲୋକେ ସେବାୟତଙ୍କୁ ବିରୋଧ କରିଥିଲେ। ପରେ ଲୋକଙ୍କ ସହଯୋଗରେ କରୁଣାକର ପୁଲିସ ସହାୟତା ନଂ ୧୦୦କୁ ଡାଏଲ କରିଥିଲେ। ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ନିର୍ଦେଶକ୍ରମେ ଟାଉନଥାନା ପୁଲିସ ପହଞ୍ଚି ଅସହାୟ ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରିଥିଲା। ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଦିବ୍ୟାଙ୍ଗଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇ ଗାଡ଼ିରେ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।ଦିବ୍ୟାଙ୍ଗ ଭକ୍ତଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ କେସ ନମ୍ବର ୨୯୦/୧୯ରେ ମାମଲା ରୁଜୁ କରାଯାଇଛି। ଟାଉନ୍‌ ଥାନା ଏସଆଇ ଡି.କେ କାଣ୍ଡି ଏହାର ତଦନ୍ତ କରୁଛନ୍ତି।

ବିରଜା ମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଥିବାବେଳେ ବହୁ ସମୟରେ ଦିବ୍ୟାଙ୍ଗଙ୍କୁ ହଟହଟା ହେବାକୁ ପଡୁଥିବା ଅଭିଯୋଗ ହେଉଛି। ଦିବ୍ୟାଙ୍ଗ କରୁଣାକର ଏନେଇ ଆସନ୍ତାକାଲି ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଭେଟି ମନ୍ଦିରରେ ଚାଲିଥିବା ଅବ୍ୟବସ୍ଥା ଓ ଦାଦାଗିରି ସଂପର୍କରେ ଅବଗତ କରିବେ ବୋଲି କହିଛନ୍ତି।

ଏ ସଂପର୍କରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି ଯେ, ପୁଲିସ୍‌ ପାଖରେ ଅଭିଯୋଗ ହୋଇଛି। ପୁଲିସ୍‌ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ। ଥାନାଧିକାରୀ ଆଶିଷ କୁମାର ସାହୁ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe