DNA India
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ବେଳେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ଜଣେ ମହିଳାଙ୍କ ଆକ୍ରମଣରେ ବାରକୋଟ ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର ଗୁରୁତର ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଅବକାରୀ ବିଭାଗ ପକ୍ଷରୁ ଆଜି ସବଇନ୍ସପେକ୍ଟର ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ କତରାପାଲି ଗ୍ରାମର କୁମୁଦ କିଷାନଙ୍କ ଘରେ ଚଢ଼ଉ କରିଥିଲେ। ତେବେ ଘରେ କୁମୁଦ ନ ଥିବାବେଳେ ତାଙ୍କ ସ୍ତ୍ରୀ ପାର୍ବତୀ କିସାନ(୩୭) ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ପାଟିତୁଣ୍ଡ କରିବା ସହ ଘର ଭିତରକୁ ଯିବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ପାର୍ବତୀ ଏକ ବାଡ଼ିରେ ଶ୍ରୀ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଶ୍ରୀ ସାହୁଙ୍କ ବାମହାତ ହାଡ଼ ଭାଙ୍ଗି ଯାଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଶ୍ରୀ ସାହୁ ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ପାର୍ବତୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
Follow Us