ତାତିଲେ ଆଦିବାସୀ: ଅବକାରୀ ଟିମ୍‌ ଉପରେ ଆକ୍ରମଣ

Advertisment

ତହସିଲଦାର ଗୁରୁତର, ୧୨ ପୁଲିସ, ଅବକାରୀ କର୍ମଚାରୀ ଆହତ

ତହସିଲଦାର ଗୁରୁତର, ୧୨ ପୁଲିସ, ଅବକାରୀ କର୍ମଚାରୀ ଆହତ

ତାତିଲେ ଆଦିବାସୀ: ଅବକାରୀ ଟିମ୍‌ ଉପରେ ଆକ୍ରମଣ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ମନ୍ଦରଡ଼ା ପଞ୍ଚାୟତର ଆଦିବାସୀ ଇଲାକା ବୁଢ଼ୀଘାଟିରେ ମଦ ଧରପଗଡ଼ରେ ଯାଇ ଥିବା ଅବକାରୀ, ପୁଲିସ ଓ ପ୍ରାଶାସନିକ ଟିମ୍‌ ଉପରେ ଆଦିବାସୀମାନେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଶତାଧିକ ଆଦିବାସୀ ମହିଳା, ପୁରୁଷ ଠେଙ୍ଗା ଓ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ତହସିଲଦାର ଅମିତ କୁମାର ନାୟକଙ୍କ ସମେତ ସମୁଦାୟ ୧୨ ଜଣ ପୁଲିସ ଓ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି। କେବ‌ଳ ଏତିକି ନୁହେଁ, ଆଦିବାସୀମାନେ ମାରପିଟ୍ କରିବା ପରେ ଗଛ ହାଣି ରାସ୍ତା ଅବରୋଧ କରିବା ସହ ୩ଟି ସରକାରୀ ବୋଲେରୋ ଓ ପୁଲିସ, ଅବକାରୀ ବାହିନୀ ଆସିଥିବା ମିନିବସ୍‌କୁ ଅଟକ ରଖିଥିଲେ।

ତହସିଲଦାରଙ୍କ ସମେତ ପୁଲିସ ଓ ଅବକାରୀ କର୍ମଚାରୀମାନେ ସେଠାରୁ ପ୍ରାଣ ବିକଳରେ ଗାଡ଼ିଛାଡ଼ି ଦୌଡ଼ି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ସକାଳ ୯ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଧାଁଦଉଡ଼, ଛକାପଞ୍ଝା ଫଳରେ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା। ଜରଡ଼ା ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୁରଙ୍ଗି ଡାକ୍ତରଖାନାକୁ ଆଣିଥିଲେ। ତହସିଲଦାର ଶ୍ରୀ ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମଦ ଭେଣ୍ଡର୍‌ଙ୍କ ସହ ପ୍ରଶାସନର ସଲାସୁତୁରା ଅଭିଯୋଗ

ମିଳିଥିବା ସୂଚନାନୁସାରେ, ସୁରଙ୍ଗି ଇଲାକାରେ ଥିବା ମଦ ଭେଣ୍ଡର୍ ଓ ଆଦିବାସୀଙ୍କ ମଧ୍ୟରେ ମଦ ବ୍ୟବସାୟକୁ ନେଇ ବହୁବର୍ଷ ହେଲା ତିକ୍ତତା ଲାଗି ରହିଛି। ଆଦିବାସୀମାନେ ନିଜ ଜୀବନଜୀବିକା ଓ ପୂଜାର୍ଚ୍ଚନା ପାଇଁ ଘରେ ଘରେ ମଦ ପ୍ରସ୍ତୁତ କରୁଛନ୍ତି।

ଆଜି ବୁଢ଼ୀଘାଟିର ଜଣେ ଗ୍ରାମବାସୀଙ୍କୁ କିଛି ଭେଣ୍ଡର୍ ଆକ୍ରମଣ କରିବାରୁ ଉତ୍ତେଜନା ଆରମ୍ଭ ହୋଇ ଯାଇଥିଲା। ଠିକ୍ ଏହି ସମୟରେ ପାତ୍ରପୁର ତହସିଲଦାର ଶ୍ରୀ ନାୟକଙ୍କ ସମେତ ଅବକାରୀ ଓ ପୁଲିସ କର୍ମଚାରୀମାନେ ଗାଡ଼ିରେ ମିଳିତ ଧରପଗଡ଼ ପାଇଁ ବୁଢ଼ୀଘାଟି ଓ ଲିମିଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଆଦିବାସୀ ହଠାତ୍ ସେମାନଙ୍କୁ ଦେଖି ମେଳି ବାନ୍ଧିବା ସହ ମଦ ଭେଣ୍ଡର୍‌ଙ୍କ ପ୍ରରୋଚନାରେ ସେମାନେ ଚଢ଼ଉ କରିବାକୁ ଆସିଥିବା ଅଭିଯୋଗ ଆଣି ସମସ୍ତଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଶତାଧିକ ମହିଳା ଓ ପୁରୁଷ ଠେଙ୍ଗା ସହ ବିଭିନ୍ନ ମାରଣାସ୍ତ୍ରରେ ତହସିଲଦାର ଶ୍ରୀ ନାୟକଙ୍କ ସମେତ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା।

ଅନ୍ୟପକ୍ଷରେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖରେ ଖାରିଆଗୁଡ଼ା ଫାଣ୍ଡିରେ ପୁଲିସ, ଆଦିବାସୀ, ଅବକାରୀ ବିଭାଗ କର୍ମଚାରୀ ଓ ମଦ ଭେଣ୍ଡର୍‌ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସେଠାରେ ଆପୋସ ବୁଝାମଣା ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆଦିବାସୀମାନେ ରାସ୍ତାରୁ ଗଛ ଉଠାଇବା ସହ ଗାଡ଼ି ଗୁଡ଼ିକୁ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe