ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଥାନା ଆଗରେ ଧାରଣା, ସାମିଲ ହେଲେ ବିଧାୟକ,୮ ଗିରଫ

Advertisment
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଥାନା ଆଗରେ ଧାରଣା, ସାମିଲ ହେଲେ ବିଧାୟକ,୮ ଗିରଫ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ ପାଇଁ ଗୁରୁବାର ରାତିରେ ସାମ୍ବାଦିକ ରବି ଠେଲା ଯାଇଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ମାଡ଼ ମାରିଥିଲେ। ନୂଆପଡ଼ା ସାମ୍ବାଦିକ ମହଲ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ ପୁଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶୁକ୍ରବାର ଖଡ଼ିଆଳ ଥାନା ସମ୍ମୁଖରେ ଜିଲ୍ଲାର ବହୁ ସାମ୍ବାଦିକ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାରଣା ଦେଇ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହା ପରେ ପୁଲିସ୍ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛି।

ସୂଚନାମତେ, ଖଡ଼ିଆଳ ଥାନା ତୁକୁଲା ଗ୍ରାମର ରମେଶ ତାଣ୍ଡି ଓ ତାଙ୍କ ପତ୍ନୀ କ୍ଷୀରମଣିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରମେଶ ରାଗିଯାଇ କ୍ଷୀରମଣିଙ୍କୁ ମାଡ଼ ମାରିଥିବା ବେଳେ ସେ ଅଚେତ ହୋଇ ପଡ଼ିଥିଲେ। ଖଡ଼ିଆଳ ମିସନ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କ୍ଷୀରମଣିଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପୁଲିସ୍ ଖବର ପାଇବା ପରେ ଅଭିଯୁକ୍ତ ରମେଶକୁ ଥାନାରେ ଅଟକ ରଖିଥିଲା। ଖବର ସଂଗ୍ରହ ପାଇଁ ରବି ଠେଲା ଥାନା ପରିସରରେ ଉପସ୍ଥିତ ଥିଲେ। ମୃତ କ୍ଷୀରମଣିଙ୍କ ଫଟୋ ନେଉଥିବା ସମୟରେ କିଛି ବ୍ୟକ୍ତି ରବିଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରବି ଗୁରୁତର ଆହତ ହୋଇଥିଲେ। ଆକ୍ରମଣ କରିଥିବା ବ୍ୟକ୍ତିମାନେ ମୃତକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଥାନା ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଧାରଣାରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଏନ୍‌ଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, କିଷାନ ମଜଦୁର ସଂଘ ସଭାପତି ଯଦୁମଣି ପାଣିଗ୍ରାହୀ, ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ସମେତ ନୂଆପଡ଼ା ଜିଲ୍ଲାର ବହୁ ସାମ୍ବାଦିକ ସାମିଲ ହୋଇଥିଲେ। ଜିଲ୍ଲା ଓକିଲ ସଂଘ ଏହାକୁ ସମର୍ଥନ ଜଣାଇ ଅଭିଯୁକ୍ତଙ୍କ ପକ୍ଷରୁ ମାମଲାରେ ଜିଲ୍ଲାର କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କୁ ପଚାରିବାରୁ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ବର୍ତ୍ତମାନ ୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe