ଖଣି ଅଧିକାରୀଙ୍କୁ ଆକ୍ରମଣ: ଗାଡ଼ି ଅଟକାଇ ନିସ୍ତୁକ ମାଡ଼ ମାରିଲେ, ଡ୍ରାଇଭରଙ୍କୁ ବି ଛାଡ଼ିଲେନି

ବାଲେଶ୍ବର ଜିଲ୍ଲାର ବିଭିନ୍ନ ଖଣିଖାଦାନ ଅଞ୍ଚଳରେ ଆତଙ୍କ ଖେଳାଇ ଆସୁଥିବା ଖଣିମାଫିଆ ଏଥର ସମସ୍ତ ସୀମା ଟପିଛନ୍ତି। ଜିଲ୍ଲା ଅନ୍ତର୍ଗତ ନୀଳଗିରିଠାରେ ପଥରଖାଦାନରେ ଚଢ଼ଉ କରି ଫେରୁଥିବା ବେଳେ ଗାଡ଼ି ଅଟକାଇ ଜଣେ ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି।

attack

ନୀଳଗିରି: ବାଲେଶ୍ବର ଜିଲ୍ଲାର ବିଭିନ୍ନ ଖଣିଖାଦାନ ଅଞ୍ଚଳରେ ଆତଙ୍କ ଖେଳାଇ ଆସୁଥିବା ଖଣିମାଫିଆ ଏଥର ସମସ୍ତ ସୀମା ଟପିଛନ୍ତି। ଜିଲ୍ଲା ଅନ୍ତର୍ଗତ ନୀଳଗିରିଠାରେ ପଥରଖାଦାନରେ ଚଢ଼ଉ କରି ଫେରୁଥିବା ବେଳେ ଗାଡ଼ି ଅଟକାଇ ଜଣେ ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଗାଡ଼ି ଡ୍ରାଇଭର ବି ବାଦ୍‌ ପଡ଼ିନାହାନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯାହାଫଳରେ ଆଜି ଏହାର ପୁନରାବୃତ୍ତି ହୋଇଥିବା କୁହାଯାଉଛି। 

ସୂଚନା ଅନୁସାରେ; କନିଷ୍ଠ ଖଣି ଅଧିକାରୀ ସମ୍ବିତ ମଣି ଆଜି ନୀଳଗିରି ଗସ୍ତରେ ଯାଇଥିଲେ। ସେ ନୀଳଗିରି ପୁଲିସ ସହାୟତାରେ ମିତ୍ରପୁର, ବେଗୁନିଆ, ମହିଷାପଟା ଓ ବାଘମରା ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନଗୁଡ଼ିକରେ ଚଢ଼ଉ କରିଥିଲେ। ପରେ ରାତି ୮ଟା ସମୟରେ ବାଲେଶ୍ବରସ୍ଥିତ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟରେ ୬ ଜଣ ପଥର ମାଫିଆ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଗାଡ଼ି ଛିଡ଼ା ହେବା ମାତ୍ରେ ସେମାନେ ଖଣି ଅଧିକାରୀ ଶ୍ରୀ ମଣିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମିଳିମିଶି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ମଣିଙ୍କ ହାତ ସହ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସେହିପରି, ମାଫିଆମାନେ ଗାଡ଼ି ଡ୍ରାଇଭର୍‌ ଏସ୍‌କେ ଖାଲିଦଙ୍କୁ ମଧ୍ୟ ପିଟିଥିବା ଜଣାପଡ଼ିଛି। ଏହି କାଣ୍ଡ ଘଟାଇବା ପରେ ଆକ୍ରମଣକାରୀମାନେ ଗୋଟିଏ ବୋଲେରୋ ଏବଂ ୩ଟି ବାଇକ୍‌ରେ ଚମ୍ପଟ ମାରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ନୀଳଗିରି ପୁଲିସ ପହଞ୍ଚିଥିଲା। ଉଭୟ କନିଷ୍ଠ ଖଣି ଅଧିକାରୀ ଶ୍ରୀ ମଣି ଏବଂ ଡ୍ରାଇଭର୍‌ ଶ୍ରୀ ଖାଲିଦଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନେଇଥିଲା। ସେଠାରେ ଉଭୟଙ୍କର ଚିକିତ୍ସା କରାଯାଇଛି। ଅନ୍ୟପଟେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ମଣି ଏ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ମାଫିଆମାନଙ୍କୁ ଧରିବା ପାଇଁ ପୁଲିସ ଘଟଣାସ୍ଥଳ ଏବଂ ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକର ଫୁଟେଜ୍‌ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe