ଆଇଆଇସିଙ୍କୁ ଗୋଡ଼ାଇ ପିଟିଲେ

Advertisment
ଆଇଆଇସିଙ୍କୁ ଗୋଡ଼ାଇ ପିଟିଲେ

ଡାବୁଗାଁ: ବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଥିବା ଅଭିଯୋଗ ଆଣି ପୁଲିସ ଉପରେ ସବୁତକ ରାଗ ଶୁଝାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଡାବୁଗଁା ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଅତର୍କିତ ଆକ୍ରମଣରୁ ସହକର୍ମୀ ବି ବାଦ୍‌ ପଡ଼ିନାହାନ୍ତି। ପୁଲିସ ଏକପ୍ରକାର ଅସହାୟ ହୋଇଯାଇଥିଲାବେଳେ ଜୀବନ ବଞ୍ଚାଇବା ପାଇଁ ହାତଯୋଡ଼ି ନେହୁରା ହେବାକୁ ବି ପଛାଇ ନାହାନ୍ତି।

ମୃତ ମହିଳା ‌େହଲେ, ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମର ସୁଶୀଳ ନାଗଙ୍କ ପତ୍ନୀ ବଦ୍ରିକା ପନକା। ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲ। କିନ୍ତୁ ବିବାହର କିଛିଦିନ ପରେ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ପ୍ରାୟ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଅଶାନ୍ତିରେ ରହିଥିଲେ। ତେବେ ଗତକାଲି ସଂଧ୍ୟା ପ୍ରାୟ ୫ଟାରେ ଘରେ କେହି ନଥିବା ସମୟରେ ବଦ୍ରିକା ଆତ୍ମହତ୍ୟା କରିଥିଲେ।

ଖବର ପାଇ ବଦ୍ରିକାଙ୍କ ପରିବାର ଏବଂ ଗାଁ ଲୋକ ଝରିଗୁଡ଼ାରେ ପହଞ୍ଚିଥିଲେ। ରାତିରେ ଏତଲା ଦିଆଯିବାରୁ ଡାବୁଗାଁ ପୁଲିସ ଗାଁକୁ ଯାଇଥିଲା। କିନ୍ତୁ ରାତି ହୋଇଯାଇଥିବାରୁ ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି କହି ପୁଲିସ ଚାଲି ଆସିଥିଲା। ତେଣୁ ବଦ୍ରିକାଙ୍କ ପରିବାର ଲୋକ ସାରାରାତି ଶବ ଜଗି ରହିଥିଲେ। ରାତିରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ବାମୀ ସୁଶୀଳ ଭୟଭୀତ ହୋଇ ରୋଷେଇ ଘର ଭିତରେ ଲୁଚି ରହିଥିଲେ। ଆଜି ସକାଳେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ପୁଣି ଗାଁକୁ ଯାଇଥିଲା। ହେଲେ, ବଦ୍ରିକାଙ୍କ ପରିବାର ଶବ ନେବାକୁ ଦେଇ ନଥିଲେ। ସ୍ବାମୀ ସୁଶୀଳଙ୍କୁ ପୁଲିସ ଗିରଫ କରିବା ପରେ ହିଁ ଶବ ବ୍ୟବଚ୍ଛେଦ କରିବାକୁ ଦେବେ ବୋଲି ଅଡ଼ି ବସିଥିଲେ। ଶେଷରେ ପୁଲିସ ଲୁଚିଥିବା ସୁଶୀଳଙ୍କୁ ରୋଷଇ ଘରୁ ବାହାର କରି ଥାନା ଗାଡ଼ିରେ ନେଇ ବସାଇଥିଲା। ଲୋକଙ୍କୁ ବୁଝାସୁଝା କରି ପୁଲିସ ଟିମ୍‌ ଗାଡ଼ି ପର୍ଯ୍ୟନ୍ତ ଯିବା ସମୟରେ ହଠାତ୍‌ ଲୋକେ ପୁଲିସକୁ ଗୋଡ଼ାଇଥିଲେ। କିଛି ବୁଝିବା ପୂର୍ବରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe