ମନରେଗା ଦୁର୍ନୀତିକୁ ବିରୋଧ କରିବାରୁ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଟେକିନେଲେ: ଉଲଗ୍ନ କରି ପିଟିଲେ, ମୁଣ୍ଡରେ ମାଟି ବୁହାଇଲେ

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

ବିଂଝାରପୁର : ବିଂଝାରପୁର ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମେସିନ କାମକୁ ବିରୋଧ କରିବାରୁ ଜଣେ ସୂଚନା ଅଧିକାର କର୍ମୀଙ୍କୁ ନିସ୍ତୁକ ମାଡ଼ ହୋଇଛି। ତାଙ୍କୁ ଘରୁ ଉଠାଇ ନେଇ ଉଲଗ୍ନ କରି ମାଡ଼ ମାରିବା ସହ ଜବରଦସ୍ତ ତାଙ୍କ ମୁଣ୍ଡରେ ମାଟି ବୁହାଇଛନ୍ତି। ମାଡ଼ ଖାଇଥିବା ସୂଚନା ଅଧିକାର କର୍ମୀ ହେଉଛନ୍ତି ବିଂଝାରପୁର ବ୍ଲକ ଫତେପୁର ପଞ୍ଚାୟତ ମଲିଆ ଗ୍ରାମର ସୀମାନ୍ତ କୁମାର ପାତ୍ର। ସେ ଶନିବାର ସକାଳେ ନିଜ ଘରେ ଥିଲାବେଳେ ନିଟକସ୍ଥ ନାଉପାଳ ଗ୍ରାମର ୨୦ରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଘରେ ପଶିଯାଇଥିଲେ। ଗାଳିଗୁଲଜ କରି ତାଙ୍କୁ ଘୋଷାରି ନାଉପାଳ ନେଇଯାଇଥିଲେ। ସେଠାରେ ତାଙ୍କୁ ଉଲଗ୍ନକରି ନିସ୍ତୁକ ମାଡ଼ ମାରିଥିଲେ। ମୋବାଇଲ ଛଡ଼ାଇନେଇ ତାଙ୍କ ମୁଣ୍ଡରେ ଝୁଡ଼ି ଲଦି ମାଟି ବୁହାଇଥିଲେ। ଧମକଚମକ ଦେବା ସହ ଏକ ସାଦା କାଗଜରେ ଦସ୍ତଖତ କରାଇ ନେଇଥିଲେ। ‘ଯଦି ଆମର ବିଲ୍‌ ନମିଳେ ତେବେ ତୋଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରିବୁ କହି ଧମକାଇଥିଲେ। ଖବରପାଇ ବିଂଝାରପୁର ପୁଲିସ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା।

ଅନ୍ୟପଟେ ନାଉପାଳ ଗାଁର ରବୀନ୍ଦ୍ର ମଲିକ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଶ୍ରୀ ପାତ୍ର ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନଦେବାରୁ ଖୋଳାଯାଉଥିବା ପୋଖରୀ ନିକଟକୁ ଯାଇ ଫଟୋ ଉଠାଇଥିଲେ। ବାରଣ କରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ବୋଲି ରବୀନ୍ଦ୍ର ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ବିଂଝାରପୁର ଆଇଆଇସି ରଞ୍ଜିତ ମହାନ୍ତି ଦୁଇଟି ମାମଲା ୨୪୪ ଓ ୨୦୫/୨୩ ରୁଜୁ କରିବାସହ ନାଉପାଳ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି।

ପ୍ରକାଶ ଥାଉକି ୧୦ ଲକ୍ଷ ଟଙ୍କା ବ୍ୟୟବରାଦରେ ନାଉପାଳ ସାହୁସାହି ନାଳକୁ ପଞ୍ଚାୟତର କେତେକ ଲୋକ ମନରେଗା ଯୋଜନାରେ ପୋଖରୀ ଖୋଳୁଛନ୍ତି। ଶ୍ରମିକଙ୍କ ଦ୍ୱାରା କାମ ନକରି ମେସିନ ମାଧ୍ୟମରେ ଖୋଳାଯାଉଛି। ଶ୍ରୀ ପାତ୍ର ଗତକାଲି ରାତିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ତ୍ରିପାଠୀ ଓ ଜିଆରଏସ ପ୍ରତିମା ବେହେରାଙ୍କୁ ଏହା ଜଣାଇଥିଲେ। ଏହାପରେ କାମ କରୁଥିବା ଲୋକମାନେ ଉତ୍‌କ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଗ୍ରାମବାସୀ କହିଛନ୍ତି। କନିଷ୍ଠ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଓ ଜିଆର୍‌ଏସ ଏହି ଗଣ୍ଡଗୋଳର ମୁଖ୍ୟ ପୁରୋଧା ବୋଲି ସମାଜସେବୀ ଭୁବନାନନ୍ଦ ସାମଲ, କୃଷକ ନେତା ରବୀନ୍ଦ୍ର ଜେନା, ସନାତନ ସାହୁ, ବଳରାମ ବଳ ଦାବି କରିଛନ୍ତି।

ପ୍ରକାଶ ଥାଉକି କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ତ୍ରିପାଠୀ ୨୦୨୨ରେ ଓଲେଇଚନ୍ଦନପୁର ପଞ୍ଚାୟତରେ ଦୁର୍ନୀତି କରିଥିବା ଜଣାପଡ଼ିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେ ୨୮ ହଜାର ୯୬ ଟଙ୍କା ଜରିମାନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe