Sambad English
ଯାଜପୁରସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ରାଜନୈତିକ ଶତ୍ରୁତାରୁ କିଛିଲୋକ ବିଜେଡି ନେତା ତଥା ଜିଲ୍ଲାପରିଷଦ ସଭ୍ୟଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜିଲ୍ଲାପରିଷଦ ସଭ୍ୟଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଗ୍ରାମରକ୍ଷୀ ଓ ଆକ୍ରମଣକାରୀ ଗୋଷ୍ଠୀରୁ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରାଜନୈତିକ ଶତ୍ରୁତାକୁ ନେଇ ଯାଜପୁର ୩୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ମାଝିଙ୍କ ସହ ଗତକାଲି ଦିନବେଳେ କିଛିଲୋକଙ୍କର ବଚସା ହୋଇଥିଲା। ଏନେଇ ଶ୍ରୀ ମାଝୀ ସଦର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଜଣେ ଗ୍ରାମରକ୍ଷୀ ଅଭିଯୋଗ ସମ୍ପର୍କରେ ବୁଝାସୁଝା କରିବା ପାଇଁ ଗ୍ରାମରେ ପହଞ୍ଚିଥିଲେ। ଏଥିରେ ଉଦ୍କ୍ଷିପ୍ତ ହୋଇ ବିରୋଧୀ ଗୋଷ୍ଠୀର ଲୋକମାନେ ଶ୍ରୀ ମାଝୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖଣ୍ଡା, ଭୁଜାଲି ଇତ୍ୟାଦି ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ଶ୍ରୀ ମାଝୀଙ୍କ ପରିବାରର ୩ ଜଣ ଓ ଗ୍ରାମରକ୍ଷୀ ଗୁରୁତର ଆହତ ହୋଇଥିଲେ। ଆହତମାନେ ହେଲେ ଶ୍ରୀ ମାଝୀଙ୍କ ସାନଭାଇ ପ୍ରଶାନ୍ତ(୨୮), ତାଙ୍କ ବାପା ବୀରକିଶୋର(୫୩) ଓ ବଡ଼ବାପା ନାରାୟଣ(୫୬) ଓ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲିକ(୫୦)। ଏହି ଘଟଣାରେ ଅନ୍ୟ ଗୋଷ୍ଠୀର ବ୍ରଜକିଶୋର ମଲିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ଯାଜପୁର ସଦର ଥାନାଧିକାରୀ ମାନସ ରଂଜନ ଚକ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗ୍ରାମରକ୍ଷୀଙ୍କ ଅଭିଯୋଗରେ ଗୋଟିଏ ଏବଂ ଅନ୍ୟପକ୍ଷର ବ୍ରଜକିଶୋରଙ୍କ ଅଭିଯୋଗରେ ଆଉ ଗୋଟିଏ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ହେଲେ କାହାରିକୁ ଗିରଫ କରାଯାଇନାହିଁ।
Follow Us