DNA India
ବୋଲଗଡ଼ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳର ସାନକୁମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଜଣା ଆତତାୟୀ ଦୁଇଭାଇଙ୍କୁ ନୃଶଂସଭାବେ ହାଣି ଦେଇଛନ୍ତି। ଏଥିରେ ସାନଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଅବସ୍ଥାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।
ଦୁଇଭାଇ ହେଲେ, ପଞ୍ଚୁ ରାଉତଙ୍କ ବଡ଼ପୁଅ ବିକ୍ରମ ରାଉତ (୩୦) ଓ ସାନପୁଅ ବିପିନ ରାଉତ (୨୮)। ଆଜି ଅପରାହ୍ନରେ ସାନକୁମାରୀଠାରୁ ରାଜସୁନାଖଳା କୁମାରୀ ଛକ ମଧ୍ୟରେ ଥିବା ପୂର୍ତ୍ତ ରାସ୍ତାର ପାର୍ଶ୍ୱରେ ଦୁଇଭାଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ।। ଖବରପାଇ ବାଙ୍କୋଇ ଫାଣ୍ଡି ପୁଲିସ ସେଠାରେ ପହଂଚି ପ୍ରଥମେ ବିପିନଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କିଛିଦୂରରେ ବିପିନଙ୍କ ବଡ଼ଭାଇ ବିକ୍ରମ ରାଉତ ରକ୍ତାକ୍ତ ଅବସ୍ଥାରେ ଗାଁର ମଙ୍ଗଳା ମନ୍ଦିର ନିକଟସ୍ଥ ଏକ ଗଛମୂଳରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଛି।
ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ, ଏଭଳି ଏକ ଅମାନୁଷିକ ଘଟଣାର କାରଣ ପୂର୍ବ ଶତ୍ରୁତା ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏହି ଘଟଣା ପରେ ସାନକୁମାରୀ ଗାଁରେ ଭୟ ଓ ଉତ୍ତେଜନାର ବାତାବରଣ ଥିଲା ବେଳେ ଯେକୌଣସିପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଗ୍ରାମରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Follow Us