ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଇଆଇସିଙ୍କୁ ଆକ୍ରମଣ, ୨ ଯୁବକ ଗିରଫ

Advertisment
ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଇଆଇସିଙ୍କୁ ଆକ୍ରମଣ, ୨ ଯୁବକ ଗିରଫ

Times of India

କଣ୍ଟାବଣିଆ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ବଜାର ଅଞ୍ଚଳରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୁଲିସ ଉପରେ ପ୍ରାଣାନ୍ତକ  ଆକ୍ରମଣ ହୋଇଛି। ଏପରିକି କଣ୍ଟାବଣିଆ  ଆଇଆଇସି ମଧ୍ୟ ଆକ୍ରମଣକୁ ବର୍ତ୍ତିନାହାନ୍ତି। ଏ ସଂପର୍କରେ ଆଇଆଇସିଙ୍କ ଏତଲା  ପରେ  ୨ ଯୁବକଙ୍କୁ  ଗିରଫ କରାଯାଇଛି। ପ୍ରକାଶ ଯେ, କଣ୍ଟାବଣିଆ ଥାନା ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଦାଶରଥି ସାହୁ ତାଙ୍କ ଅଟୋରେ ଆଜି ପୂର୍ବାହ୍ଣରେ  କଣ୍ଟାବଣିଆ ବଜାରରେ ଲକ୍ଷ୍ମୀ ପୂଜା ପାଇଁ ଟେଣ୍ଟ ମାରିବା ପାଇଁ  ଯାଇଥିଲେ।

ସେଠାରୁ ଫେରିବା ବେଳେ କଣ୍ଟାବଣିଆ ଗ୍ରାମର  ଭଗବାନ ରାଉତ   (୨୩) ଓ ଢେଙ୍କାନାଳ ସହର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର  ମନୋଜ ବେହେରା (୨୬) ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଅଟୋର କାଚକୁ ବାଡେଇ ଭାଙ୍ଗି ଦେଇଥିଲେ। ଦାଶରଥି ଗୁରୁତର ଆହତ ହୋଇ ବଅଁରପାଳ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ।  ଏ ସଂପର୍କରେ ସେ  କଣ୍ଟାବଣିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଇ ଯୁବକକୁ କାବୁ କରିବା ବେଳେ ସେମାନେ କାର୍ଯ୍ୟରତ ଏସ୍‌ଆଇ ସୁର ସିଂହବାଲ୍ଲାଙ୍କୁ ଲୁହା ହାମରରେ ତାଙ୍କ ବେକ ଓ ମୁଣ୍ଡକୁ ପିଟି ଦେଇଥିଲେ। ଏହା ଜାଣିବା ପରେ କଣ୍ଟାବଣିଆ ଥାନା ଆଇଆଇସି ସବିତା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ।

ଏଥିରେ ଦୁଇ ଯୁବକ ଉତ୍ତ୍ୟକ୍ତ ହୋଇ ଆଇଆଇସି ଶ୍ରୀମତୀ ପାତ୍ରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ମୁହଁ ଓ ମୁଣ୍ଡକୁ ବାଡେଇବା ସହ ମୁଣ୍ଡ ବାଳ ଚୁଟିକୁ ଧରି ଟାଣିଥିଲେ। ଉକ୍ତ ଦୁଇ ଯୁବକଙ୍କୁ ଶେଷରେ ପୁଲିସ କାବୁ କରି ପୁଲିସ ଗାଡ଼ିରେ ବସାଇ ଥାନା ନେଇ ଯାଇଥିଲେ। ଆଇଆଇସି ସବିତା ପାତ୍ର ଦୁଇ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରି ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଉକ୍ତ ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଧରାଯିବ ବୋଲି  ଆଇଆଇସି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe