ଯୋଡ଼ା: ଯୋଡ଼ା ପୌରପାଳିକାର ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ ରବୀନ୍ଦ୍ର କୁମାର ଦାସଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ତିନିଜଣ ଦୁର୍ବୃତ୍ତ ଏକ ନାନୋ କାର୍ରେ ଆସି ଶ୍ରୀ ଦାସଙ୍କ ଇଷ୍ଟ ଯୋଡ଼ାସ୍ଥିତ କ୍ବାର୍ଟର୍ସରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଶ୍ରୀ ଦାସଙ୍କ ଘରେ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ବାହାରେ ଥିବା କିଛି ଲୋକ ତାଙ୍କୁ କାବୁ କରିଥିଲେ। ଜଣେ ଦୁର୍ବୃତ୍ତ ଖସି ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।
ପୁଲିସ ଦୁର୍ବୃତ୍ତଙ୍କ ପାଖରୁ ଗୋଟିଏ ଭୁଜାଲି ଓ ନାନୋ କାର୍ (ଓଆର୍-୦୫-ଏଏସ୍-୩୭୬୬)କୁ ଜବତ କରିଛି। ଶ୍ରୀ ଦାସ ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଏହି କାରଣ ପାଇଁ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରୀ ଦାସଙ୍କ ସୁରକ୍ଷା ପାଇଁ ତାଙ୍କ କ୍ବାର୍ଟର୍ସ ଆଗରେ ପୁଲିସ ମୁତୟନ କରାଯାଇଛି।
Follow Us