ପୁଲିସକୁ ଆକ୍ରମଣ କରି ବନ୍ଧା ହେଲେ ୪

Advertisment
ପୁଲିସକୁ ଆକ୍ରମଣ କରି ବନ୍ଧା ହେଲେ ୪

ବିଂଝାରପୁର : ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ବିଂଝାରପୁର ପୁଲିକୁ ଆକ୍ରମଣ କରି ୪ଜଣ ବନ୍ଧା ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଅଳକୁଣ୍ଡ ଥାନା ଉତ୍ତଙ୍ଗରା ପଞ୍ଚାୟତ ବାରିକୂଳ(ଦଧିବାମନପୁର) ଗ୍ରାମର ଚକ୍ରଧର ଯେନାଙ୍କ ପୁଅ ସୌମ୍ୟରଂଜନ ଯେନା (ବୁଲୁ) ଗତ ୨୦୨୨ ମେ ୧୩ତାରିଖ ବିଳମ୍ବିତ ରାତିରେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ନେଇ ନାବାଳିକାର ବାପା ମେ ୨୭ତାରିଖରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ରଞ୍ଜିତ ମହାନ୍ତି କେସ ନମ୍ବର ୨୪୨/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ବୁଲୁ ଗ୍ରାମକୁ ଆସିଥିବା ଖବରପାଇ ଆଜି ଅପରାହ୍ଣରେ ଏଏସ୍‌ଆଇ ବିଜୟ କୁମାର ମଲିକ ଓ କନେଷ୍ଟବଳ ଅଜିତ କୁମାର ସିଂହ ଦଧିବାମନପୁର ଗ୍ରାମକୁ ଯାଇଥିଲେ।

publive-image

ଦଧିବାମନପୁର ଗ୍ରାମରେ ସରସ୍ବତୀ ଭସାଣି ଶୋଭାଯାତ୍ରାରେ ବୁଲୁ ଉପସ୍ଥିତ ଥିବା ବେଳେ ତାକୁ ଧରିବାକୁ ଉଦ୍ୟମ ହୋଇଥିଲା। ଏହି ସମୟରେ କିଛିଲୋକ ସଂଘବଦ୍ଧଭାବେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୨ପୁଲିସ କର୍ମୀ ଆହତ ହୋଇଥିଲେ। ଖବରପାଇ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଆଇଆଇସି ପ୍ରଶାନ୍ତ କୁମର ଦାଶ,ଏସ୍‌ଆଇ ଅସିତ କୁମାର ବଳବନ୍ତରାୟ, ଏସ୍‌ଆଇ ସୁଶାନ୍ତ କୁମାର ସେଠୀଙ୍କ ସମେତ ବିଂଝାରପୁର ଓ ଅଳକୁଣ୍ଡ ପୁଲିସ ଦଧିବାମନପୁର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ଅକ୍ଷୟ ଯେନା, ବିଷ୍ଣୁ ଯେନା, ସୌମ୍ୟରଂଜନ ଯେନା ଓ ବଳରାମ ଯେନାଙ୍କୁ ବିଲରେ ଗୋଡ଼ାଇ ଧରିବା ପରେ ଅଳକୁଣ୍ଡ ଥାନାକୁ ନେଇଛନ୍ତି। ଏ ସମ୍ପର୍କରେ ଅଳକୁଣ୍ଡ ଆଇଆଇସି ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରୁ କେସ ନମ୍ବର ୭/୨୩ରେ ଏକ ମାମଲା ରୁଜୁ ହୋଇଛି । ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ସାଧା ପୋଷାକରେ ଦଧିବାମନପୁର ଗ୍ରାମକୁ ଯାଇ ବୁଲୁକୁ ଟଣାଓଟରା କରିଥିଲା। ଗ୍ରାମର ଯୁବକମାନେ ପୁଲିସ କର୍ମଚାରୀଙ୍କୁ ଜାଣିନପାରି ଆକ୍ରମଣ କରିଥିବା ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe