କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ ମାମଲା: ଜେଲ୍‌ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Advertisment
କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ ମାମଲା: ଜେଲ୍‌ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ବିଜେପି କର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜେଲ୍‌ ଯିବାକୁ ପଡ଼ିଛି। ରାତି ପ୍ରାୟ ୧୨ଟାରେ ବିଧାୟକଙ୍କ ଜାମିନ ଆବେଦନକୁ ବାଣପୁର କୋର୍ଟ ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନି‌ର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କୁ ବାଣପୁର ଜେଲ୍‌କୁ ପଠାଇ ଦିଆଯାଇଛି। ଗତ ୧୨ ତାରିଖରେ ବାଣପୁର ପଞ୍ଚାୟତ ସମିତି ନିର୍ବାଚନ ପାଇଁ ବିଜେପି ସମିତି ସଭ୍ୟ ଓ କର୍ମୀମାନେ ବ୍ଲକ୍‌ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବାବେଳେ ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କ ରେଞ୍ଜ ରୋଭର୍‌ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ତାଙ୍କୁ ବିଜେପି କର୍ମୀମାନେ ବିରୋଧ କରିବାରୁ ବିଧାୟକ ଶ୍ରୀ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏଥିରେ ୧୫ ବିଜେପି କର୍ମୀ ଓ ୭ ପୁଲିସ ଆହତ ହୋଇଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ତାଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ବିଧାୟକଙ୍କୁ ଉଦ୍ଧାର କରି ଡାକ୍ତଖାନାରେ ଭର୍ତ୍ତି କରିଥିଲା। ପରେ ବିଧାୟକ ଶ୍ରୀ ଜଗଦ୍ଦେବ ଭୁବନେଶ୍ବରର ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ବାଣପୁର ଥାନା ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲା।

ଆଜି ବିଧାୟକ ଶ୍ରୀ ଜଗଦ୍ଦେବ ଅପରାହ୍ନରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାପରେ ବାଣପୁର ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ବରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଜର କରାଇଥିଲା। ପରେ ତାଙ୍କୁ ରାତି ପ୍ରାୟ ୯ଟା ୧୦ ମିନିଟ୍‌ରେ ବାଣପୁର କୋର୍ଟରେ ହାଜର କରାଯାଇଥିଲା। ପୁଲିସ ପକ୍ଷରୁ ୧୮୮ ପୃଷ୍ଠାର କେସ୍‌ ଡାଏରି କୋର୍ଟରେ ଦାଖଲ କରାଯାଇଥିଲା। ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ସହ ତାଙ୍କ ଓକିଲ ଅରୂପଚାନ୍ଦ ଉପସ୍ଥିତ ଥିଲେ। ଏହି ସମୟରେ କୋର୍ଟ ବାହାରେ ଶତାଧିକ ବିଧାୟକଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିଲା। ଏପରିକି ଅପରାହ୍ନରେ ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ ବିଧାୟକ ପ୍ରଶାନ୍ତଙ୍କ ସମର୍ଥନରେ ନାରାବାଜି କରାଯାଇଥିଲା। କୋର୍ଟ ପରିସରକୁ ଗାଡ଼ି ପ୍ରବେଶ କରିବା କ୍ଷଣି ପୁଲିସ ବାହାର ଫାଟକ ବନ୍ଦ କରିଦେବା ସହ ଭିତରକୁ କାହାରିକି ଛାଡ଼ିନଥିଲେ। କୋର୍ଟରେ ପ୍ରଶାନ୍ତଙ୍କ ପକ୍ଷରୁ ତାଙ୍କର ପୂର୍ବ ସ୍ବାସ୍ଥ୍ୟଗତ ସମସ୍ୟା ଓ ଚିକିତ୍ସାକୁ ଉପସ୍ଥାପିତ କରାଯାଇ ଜାମିନ ପାଇଁ ଅନୁରୋଧ କରାଯାଇଥିଲା। ତେବେ, ସରକାରୀ ଓକିଲଙ୍କ ପକ୍ଷରୁ ପ୍ରଶାନ୍ତଙ୍କ ପୂର୍ବ ଅପରାଧିକ ମାମଲାର ବିବରଣୀ ସହ ଜାମିନ ନଦେବା ପାଇଁ ଯୁକ୍ତି କରାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାତି ପ୍ରାୟ ୧୨ଟାରେ ବିଧାୟକଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କୁ ବାଣପୁର ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe