Image Courtesy of East Coast Daily English
ଅତାବିରା: ୫୩ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଆର୍ଏମ୍ସି ସମ୍ମୁଖରେ ଥିବା ଡିସିବି ବ୍ୟାଙ୍କ ଏଟିଏମ୍କୁ ତାଡ଼ି ଚୋରି ଉଦ୍ୟମ କରୁଥିବା ବେଳେ ପୁଲିସ୍ ରେଂଗାଲିକେମ୍ପ ଇନ୍ଦ୍ରାପଡ଼ାର କ୍ଷିରୋଜ ନାଏକ(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରିରେ ବ୍ୟବହୃତ କୋଦାଳ, ଶାବଳ, ପ୍ଲାସ, ଏକ ବାଇକ (ଓଡି୧୭-ଟି-୨୩୪୨), ହେଲମେଟ ଜବତ କରିଛି।
ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୧୨ଟା ସମୟରେ କ୍ଷିରୋଜ ପ୍ରଥମେ ଏଟିଏମ୍କୁ ଯାଇ କ୍ୟାମେରା, ସେନ୍ସର୍ ଆଦି ତାର କାଟିଥିଲା। ଏଟିଏମ୍ର ସୁରକ୍ଷା ଏକ ବ୍ୟାଙ୍କର ଆଭ୍ୟନ୍ତରୀଣ ନିରୀକ୍ଷଣ ଟିମ୍ ଦ୍ବାରା ଅନ୍ୟତ୍ରରୁ ୨୪ ଘଣ୍ଟା ନିରୀକ୍ଷଣ ହୋଇଥାଏ। ଜଣେ ଦୁର୍ବୃତ୍ତ ଚୋରି କରୁଥିବା ଦେଖିବା ପରେ ବ୍ୟାଙ୍କର କର୍ମଚାରୀ, ମ୍ୟାନେଜର ପୁୁଲିସ୍କୁ ଫୋନ୍ କରିଥିଲେ। ସୂଚନା ପାଇବା ପରେ ମାତ୍ର ୨ ମିନିଟ୍ରେ ଥାନାଧିକାରୀ ଅନିଲ ପ୍ରଧାନ, ଏସ୍ଆଇ ଯାଦବ ବାଗ, ହାବିଲଦାର ଚତୁର୍ଭୁଜ ବଗର୍ତ୍ତୀ, ମଧୁ ନାୟକ, ଫକିଲ ବେହେରା ଘଟଣାସ୍ଥଳରେ ପହଂଚି ଯାଇଥିଲେ। ଏତିକି ବେଳକୁ ଦୁର୍ବୃତ୍ତ ଜଣକ ଏଟିଏମ୍ର ଉପର ଟିଣ କଭର ତାଡ଼ି ସାରିଥିଲା। କିନ୍ତୁ ଟଙ୍କା ଥିବା ସ୍ଥାନକୁ ଫଟାଇବା ପାଇଁ ଉଦ୍ୟମ କରୁଥିଲା। ପୁଲିସ୍କୁ ଦେଖି ଦୁର୍ବୃତ୍ତ ଜଣକ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଟିମ୍ ଦଉଡ଼ାଇ ତାକୁ କାବୁ କରିଥିଲେ। ପୁଲିସ୍ର ତ୍ବରିତ ପଦକ୍ଷେପ ଯୋଗୁଁ ଏଟିଏମ୍ରେ ଥିବା ୭ ଲକ୍ଷ ୭୯ ହଜାର ୬ ଶହ ଟଙ୍କା ଲୁଟ୍ ହେବାରୁ ବର୍ତ୍ତି ଯାଇଥିଲା।
Follow Us