ବିଧାୟକଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ ହେଉଛି: ନରସିଂହ

Advertisment

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ନ ଉଠାଇବାକୁ ଚାପ ପ୍ରୟୋଗ କରାଯାଉଛି, ହତ୍ୟାକାଣ୍ଡର ସନ୍ଦିଗ୍ଧ କିଏ

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ନ ଉଠାଇବାକୁ ଚାପ ପ୍ରୟୋଗ କରାଯାଉଛି, ହତ୍ୟାକାଣ୍ଡର ସନ୍ଦିଗ୍ଧ କିଏ

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବିନି: ନରସିଂହ

ଭୁବନେଶ୍ବର : ସୋମବାର ଦିନ ବିଧାନସଭା ଶୂନ୍ୟକାଳରେ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପୁଣି ଭର୍ତ୍ସନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଧାନସଭାରେ ଏହି ପ୍ରସଙ୍ଗ ନ ଉଠାଇବାକୁ ବିଧାୟକଙ୍କୁ ବାହାରେ ଭୟଭୀତ କରାଯିବା ସହ ଚାପ ପ୍ରୟୋଗ କରାଯାଉଛି ବୋଲି ସେ ଆରୋପ ଲଗାଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତର ବିଶ୍ବସନୀୟତାକୁ ବି ସେ ସନ୍ଦେହ ଭିତରକୁ ଆଣିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା କହିଲେ, ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦିନ ଦ୍ବିପହରରେ ହତ୍ୟା କରାଗଲା। ସାରା ଦେଶରେ ଏହା ଏକ ବିରଳ ଘଟଣା। ଜଣେ ପୁଲିସ୍‌ ଅଧିକାରୀ ସରକାରୀ ପିସ୍ତଲ ବ୍ୟବହାର କରି ମନ୍ତ୍ରୀଙ୍କୁ ମାରିଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ଯେଉଁ ବିବୃତି ରଖିଲେ ସେଥିରେ ଷଡ଼ଯନ୍ତ୍ର ସମ୍ପର୍କରେ କିଛି ଉଲ୍ଳେଖ ନଥିଲା। ଏହା ପରେ ଆଲୋଚନା ପାଇଁ ମୋସନ୍ ଆସିଥିଲା। ସେହି ଆଲୋଚନାରେ ଗୃହ ମନ୍ତ୍ରୀ ଯେଉଁ ଉତ୍ତର ରଖିଲେ, ସେଥିରେ ମଧ୍ୟ ଷଡ଼ଯନ୍ତ୍ର ବିଷୟ ଦର୍ଶାଯାଇ ନଥିଲା। କିନ୍ତୁ ପରେ ମୋର ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଲେ ଯେ ଷଡ଼ଯନ୍ତ୍ର ଦିଗକୁ ଅନୁସନ୍ଧାନ କରାଯାଉଛି। ଯଦି ଅନୁସନ୍ଧାନ କରାଯାଉଛି, ତେବେ ସନ୍ଦିଗ୍ଧ କିଏ? ସେ କ’ଣ ପାଇଁ ଷଡ଼ଯନ୍ତ୍ର ରଚିଲା? ଏହି ଗୃହରେ ଓ ବାହାରେ ଏକାଧିକ ନାମ ହତ୍ୟାକାଣ୍ଡ ସହ ଯୋଡ଼ାଯାଇଛି। ସେମାନଙ୍କ ମଧ୍ୟରୁ କାହା ବିରୋଧରେ ଅନୁସନ୍ଧାନ କରାଯାଉଛି? ହତ୍ୟାକାଣ୍ଡ ତଦନ୍ତ ବେଳେ ୫ ଜଣିଆ ବି‌ଶେଷଜ୍ଞ ଦଳ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ଗୋପାଳ ପାଗଳ ନୁହେଁ। କିନ୍ତୁ ସରକାର ଏଥିରେ ସନ୍ତୁଷ୍ଟ ହେଲେନି। ଗୋପାଳକୁ ବେଙ୍ଗାଲୁରୁ ପଠାଇବାକୁ କୋର୍ଟରେ ଆବେଦନ କଲେ। ଯଦି ଗୋପାଳ ପାଗଳ ନୁହେଁ, ତେବେ ବେଙ୍ଗାଲୁରୁ ଯିବା କାହିଁକି ଦରକାର ପଡ଼ିଲା? ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ, ଏ ଯାଏ ଜଣାପଡ଼ିଲାନି। ହତ୍ୟାକାଣ୍ଡର ତଦନ୍ତରେ କ’ଣ ଅଗ୍ରଗତି ହୋଇଛି, ତାହା ଜାଣିବାର ଅଧିକାର ଗୃହର ଅଛି। ଯେହେତୁ ଅଧିବେଶନ ଚାଲିଛି, ତେଣୁ ସରକାର ନିୟମିତ ବ୍ୟବଧାନରେ ଗୃହକୁ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଣାନ୍ତୁ। ଏ ସମ୍ପର୍କରେ ବାଚସ୍ପତି ରୁଲିଂ ଦିଅନ୍ତୁ।

ଶ୍ରୀ ମିଶ୍ର ଆହୁରି କହିଲେ, ବିଧାନସଭାରେ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି। କିନ୍ତୁ ବାହାରେ ବିଭିନ୍ନ ବାଟରେ ବିଧାୟକଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରାଯାଉଛି। ଗୃହ ଭିତରେ ଏହି ପ୍ରସଙ୍ଗ ନ ଉଠାଇବାକୁ ଚାପ ପ୍ରୟୋଗ କରାଯାଉଛି। ଗୃହ ଭିତରେ ଓ ବାହାରେ କହିବାକୁ ବିଧାୟକଙ୍କ ସମସ୍ତ ଅଧିକାର ଅଛି। ତେଣୁ ବିଧାୟକଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ କରା ନଯାଉ। ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ସେ ଆଣିଥିବା ସ୍ବାଧିକାର ଭଙ୍ଗ ନୋଟିସ୍‌ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ।

ଦଳ ବିଧାୟକ ଅମର ଶତପଥୀ କହିଲେ, ଯିଏ ଗୃହ ବାହାରେ ଧମକ ଦେଉଛି ତାଙ୍କର ନାମ ନିର୍ଦ୍ଦିଷ୍ଟ ଭାବେ କଂଗ୍ରେସ ବିଧାୟକ ଦଳ ନେତା କୁହନ୍ତୁ। ଏମିତି ସାଧାରଣ ଭାବେ କହିଦେଲେ ତାହାର କିଛି ମୂଲ୍ୟ ନାହିଁ। ଏହି ହତ୍ୟାକାଣ୍ଡ ମାମଲାର ସବୁ ଦିଗକୁ ତଦନ୍ତ କରାଯାଉଛି। ଗୃହ ଭିତରେ ଥରେ ଗୋଟିଏ ପ୍ରସଙ୍ଗରେ ଆଲୋଚନା ହେଲା ପରେ ଆଉ ଥରେ ଆଲୋଚନା ନ ହେବାକୁ ନିୟମ ଅଛି। କିନ୍ତୁ ବିରୋଧୀ ଦଳ ତାହାକୁ ମାନୁ ନାହାନ୍ତି।

ଶୂନ୍ୟକାଳ‌ରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ ଏ ଯାଏ ଜଣାପଡ଼ିଲାନି। କ୍ରାଇମ୍‌ବ୍ରାଞ୍ଚର ବିଶ୍ବସନୀୟତା ନାହିଁ। ତେଣୁ ତୁରନ୍ତ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe