ଜାତୀୟତାବାଦ ଓ ଦେଶପ୍ରୀତି ଅଗଷ୍ଟ କ୍ରାନ୍ତିର ମୂଳମନ୍ତ୍ର ଥିଲା: ମନ୍ତ୍ରୀ

Advertisment

ରାଜ୍ୟ ଅଭିଲେଖାଗାରରେ ‘ଅଗଷ୍ଟ କ୍ରାନ୍ତି ଦିବସ

ରାଜ୍ୟ ଅଭିଲେଖାଗାରରେ ‘ଅଗଷ୍ଟ କ୍ରାନ୍ତି ଦିବସ

ଜାତୀୟତାବାଦ ଓ ଦେଶପ୍ରୀତି ଅଗଷ୍ଟ କ୍ରାନ୍ତିର ମୂଳମନ୍ତ୍ର ଥିଲା: ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ବିପ୍ଳବ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନରେ କୋଟି କୋଟି ଦେଶବାସୀ କ୍ରାନ୍ତି ଆନ୍ଦୋଳନକୁ ସଶକ୍ତ କରିଥିଲେ। ଓଡ଼ିଶା ଇତିହାସରେ ଅଗଷ୍ଟ କ୍ରାନ୍ତିର ବିସ୍ତୃତ ଅଧ୍ୟାୟ ସ୍ମରଣୀୟ ହୋଇରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆଜି ଏହା କହିଛନ୍ତି। ଜାତୀୟତାବାଦ ଓ ଦେଶପ୍ରୀତି ଅଗଷ୍ଟ କ୍ରାନ୍ତିର ମୂଳମନ୍ତ୍ର ଥିଲା ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ। ଅଗଷ୍ଟ କ୍ରାନ୍ତିର ଗୁରୁତ୍ୱ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ପ୍ରଫେସର୍‌ ନିହାର ରଞ୍ଜନ ପଟ୍ଟନାୟକ ‘ଅଗଷ୍ଟ ବିପ୍ଳବର ପ୍ରତିଧ୍ୱନି’ ପ୍ରସଙ୍ଗ ଉପରେ ଆଲୋକପାତ କରି କହିଥିଲେ ଯେ ୧୯୪୨ ଅଗଷ୍ଟ ୯ ତାରିଖରେ ଗାନ୍ଧୀଙ୍କ ସମେତ ଏକାଧିକ ତୁଙ୍ଗ ନେତା ଗିରଫ ହୋଇଥିଲେ ମଧ୍ୟ ଭାରତବାସୀ ଗାନ୍ଧୀଜୀଙ୍କ ‘କର ବା ମର’ ଆହ୍ୱାନରେ ଆନ୍ଦୋଳନରେ ଝାସ ଦେଇଥିଲେ। ଆମ ରାଜ୍ୟର ଭଦ୍ରକ, ବାଲେଶ୍ୱର, ପୁରୀ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ମଧ୍ୟ ଏହି ଆନ୍ଦୋଳନ ବ୍ୟାପି ଯାଇଥିଲା ଏବଂ ସଂଗ୍ରାମୀମାନେ ପୁଲିସ ଗୁଳିର ଶିକାର ହୋଇଥିଲେ। ପ୍ରସଙ୍ଗକ୍ରମେ ପ୍ରଫେସର୍‌ ପଟ୍ଟନାୟକ ନିମାପଡ଼ା, ଇରମ୍‌ ସମେତ ବିଭିନ୍ନ ଗଡ଼ଜାତରେ ଅଗଷ୍ଟ କ୍ରାନ୍ତି ବିପ୍ଳବ ସାଧାରଣ ଜନତାଙ୍କୁ ଉତ୍‌ପ୍ରେରିତ କରିଥିଲା ବୋଲି କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସ୍ୱାଧୀନତାପ୍ରାପ୍ତି ପରେ ମଧ୍ୟ ସ୍ୱାଧୀନତାର ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ସେ ପ୍ରତି ଘରେ ତ୍ରିରଙ୍ଗା ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପ୍ରସଙ୍ଗରେ ଉଲ୍ଲେଖ କରି ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କୁ ସ୍ମରଣ କରିବା ଅଗଷ୍ଟ କ୍ରାନ୍ତି ଦିବସର ଉଦ୍ଦେଶ୍ୟ ବୋଲି କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶେଖ୍‌ ସୋଲେମାନ୍‌ ଅଲ୍ଲୀ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe