ଓଡ଼ିଶାର ପ୍ରଥମ ପ୍ଲାଜମା ଦାତା ମନୋଜଙ୍କୁ ଆଳି ବିଧାୟକଙ୍କ ସମ୍ବର୍ଦ୍ଧନା

Advertisment
ଓଡ଼ିଶାର ପ୍ରଥମ ପ୍ଲାଜମା ଦାତା ମନୋଜଙ୍କୁ ଆଳି ବିଧାୟକଙ୍କ ସମ୍ବର୍ଦ୍ଧନା

ଆଳି: ମହାମାରୀ କରୋନା ରୋଗରୁ ମୁକ୍ତ ହୋଇ ନିଜର ପ୍ଲାଜମା ଦାନ କରି ଅନ୍ୟ ୨ ଜଣ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା କରୋନା ବିଜୟୀ ତଥା ଓଡ଼ିଶାର ପ୍ରଥମ ପ୍ଲାଜମା ଦାତା ମନୋଜ ବରାଳଙ୍କୁ ଆଜି ଆଳି ବିଧାୟକ ପ୍ରତାପ କେଶରୀ ଦେବ ସମ୍ବର୍ଦ୍ଧିତ କରିଛନ୍ତି।

ବିଧାୟକ ଆଜି ପୂର୍ବାହ୍ନରେ ମନୋଜଙ୍କ ନିଆଳ ପଞ୍ଚାୟତ ରାଧାନଗରସ୍ଥିତ ବାସଭବନରେ ପହଞ୍ଚି ମନୋଜଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମନୋଜଙ୍କ ମହାନ ଦାନ କେବଳ ୨ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇନାହିଁ, ତାଙ୍କର ଦାନ ଅନ୍ୟ କରୋନାମୁକ୍ତମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରେରଣା ଯୋଗାଇବା ସହିତ ମନୋଜ ଆଳି ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି କହିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ଦେବଙ୍କ ସହିତ ବିଜେଡି ନେତା ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ନିଆଳ ସରପଞ୍ଚ ପ୍ରତିନିଧି ଅଶୋକ ମଲ୍ଲିକ, ଦେମାଳ ସରପଞ୍ଚ ମନୋରଞ୍ଜନ ସାମଲ ପ୍ରମୁଖ ରୋଗମୁକ୍ତ ପ୍ଲାଜମା ଦାନକାରୀ ମନୋଜଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରି ସାଧୁବାଦ ଜଣାଇଥିଲେ।
ପ୍ରକାଶ ଯୋଗ୍ୟ ଯେ, ଦୁବାଇ ଫେରନ୍ତା ପ୍ରବାସୀ ମନୋଜ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇ ଚିକିତ୍ସିତ ହୋଇ କରୋନା ରୋଗମୁକ୍ତ ହୋଇଛନ୍ତି। ସମ୍ବର୍ଦ୍ଧନାରେ ରାଧାନଗର ଗ୍ରାମବାସୀ ଉପସ୍ଥିତ ରହି ମନୋଜଙ୍କ ପ୍ଲାଜମା ଦାନ ଗାଁ ପାଇଁ ଗୌରବ ଆଣିଦେଇଛି ବୋଲି କହିବା ସହିତ ସମ୍ବର୍ଦ୍ଧନା ପାଇଁ ବିଧାୟକ ଶ୍ରୀ ଦେବଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe