ଅବସରପ୍ରାପ୍ତ ଶିକ୍ଷକ ଭାସ୍କରଙ୍କ ହତ୍ୟା ମାମଲା: ୪ ମାସ ପରେ ହତ୍ୟାକାରୀ ଅଟୋ ଚାଳକକୁ ବାନ୍ଧିଲା ପୁଲିସ

Advertisment
ଅବସରପ୍ରାପ୍ତ ଶିକ୍ଷକ ଭାସ୍କରଙ୍କ ହତ୍ୟା ମାମଲା: ୪ ମାସ ପରେ ହତ୍ୟାକାରୀ ଅଟୋ ଚାଳକକୁ ବାନ୍ଧିଲା ପୁଲିସ

ଜୟପୁର: ଜୟପୁର ଟାଉନଥାନା ଅର୍ନ୍ତଗତ ବାଲିପଟ୍ଟା ସାହିର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ(୬୧)ଙ୍କ ନିଖୋଜ ଥିବା ମାମଲାରେ ୪ମାସ ପରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି  ବଡ଼ ସଫଳତା। ସେ ନିଖୋଜ ହୋଇ ନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବାକୁ ନେଇ ସ୍ପଷ୍ଟ କରିଛି ପୁଲିସ।  ବୋରିଗୁମ୍ମା ଥାନା ପୁଲିସ ଏହି ମାମଲା‌ରେ ଜୟପୁର ଗଙ୍ଗାନଗର ଅଂଚଳର ହାଇଦ୍ରାବାଦ ଲାଇନର ଅଟୋଚାଳକ ସେକ ଫାରୁକ (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହାର ହୋଇଥିବା ଅଟୋକୁ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୬ତାରିଖରେ  ଜୟପୁର ଟାଉନଥାନାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ ନିଖୋଜକୁ ନେଇ ତାଙ୍କ ସାନଭାଇ ଏତଲା ଦେଇଥିଲେ। ମାର୍ଚ୍ଚ ଶେଷ ସପ୍ତାହରେ ମୁଖ୍ୟ କେନାଲରେ ଭାସୁଥିବା ଏକ ଗଳିତ ଶବକୁ କୋଟପାଡ଼ ପୁଲିସ ଉଦ୍ଧାର କରିଥିଲେ। କୋଟପାଡ଼ ପୁଲିସ ଜୟପୁର ଟାଉନ ଥାନା ପୁଲିସକୁ ଏ ନେଇ ସୂଚନା ଦେଇଥିଲେ। ପରିବାରବର୍ଗଙ୍କୁ ଜୟପୁର ଟାଉନଥାନା ପୁଲିସ ଫଟୋଚିତ୍ର ଦେଖାଇଥିଲେ।  ପରିବାରବର୍ଗ ମୃତକଙ୍କ ଶବର ଅବସ୍ଥା ଭଲ ନଥିବାରୁ ଚିହ୍ନି ପାରି ନଥିଲେ। ପରେ ଟାଉନ ପୁଲିସ ଏହି ଗଳିତ ଶବର ଡିଏନଏ ପରୀକ୍ଷା ପାଇଁ ବି ପଠାଇଥିଲେ। ଏହି ରିପୋର୍ଟ ଟାଉନ ପୁଲିସକୁ ମିଳିବା ସହ କେନାଲରେ ମିଳିଥିବା ଗଳିତ ଶବ ଭାସ୍କରଙ୍କର ଏବଂ  ଶବବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ବୋଲି ଜଣାପଡ଼ିଥିଲା।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ସାହୁ ସବୁ ବେଳେ ଅଭିଯୁକ୍ତଙ୍କ ଅଟୋରେ ଯିବା ଆସିବା କରୁଥିଲେ। ଗତ ପେବ୍ରୁଆରି ମାସରେ ମୃତକଙ୍କ ଏଟିଏମ୍ କାର୍ଡ ଗାଏବ ହେବା ସହ  ଜମାଖାତାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୪ ଲକ୍ଷ ଟଙ୍କା  ଉଠିଥିଲା। ଏହାକୁ   ନେଇ ଗତ ମାର୍ଚ୍ଚ ୧ ତାରିଖରେ ଟାଉନ ଥାନାରେ ମୃତକ ନିଜେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ହିଁ ତାଙ୍କ ଟଙ୍କା ଗାଏବ କରିଛନ୍ତି ଏସଂପର୍କରେ ଜାଣି ନଥିବା ଭାସ୍କର ଅଭିଯୁକ୍ତଙ୍କ ଅଟୋରେ ଉମରକୋଟ ଯାଇଥିଲେ। ସେଠାରୁ ମାର୍ଚ୍ଚ ୨୯ତାରିଖ ଦିନ ଜୟପୁର ଫେରୁଥିବା ବେଳେ ବାଟରେ ମୃତ ଭାସ୍କର ତାଙ୍କ ଟଙ୍କା ଗାୟବ ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିବା କହିଥିଲେ।  ଏହାପରେ ଅଭିଯୁକ୍ତ ଜଣକ କାଳେ ଧରାପଡ଼ିଯିବ ଏହି ଭୟରେ ଭାସ୍କରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଜୟନ୍ତଗିରୀ ମୁଖ୍ୟକେନାଲ ନିକଟ‌ରେ ଶୌଚ କରିବାକୁ  ଅଭିଯୁକ୍ତ କହିଥିଲା। ସୁଯୋଗ ଦେଖିକି  ଭାସ୍କରଙ୍କୁ କେନାଲ ମଧ୍ୟକୁ ଠେଲି ଦେଇଥିଲେ। କେନାଲରେ ବେଶି ପାଣି ଆସୁଥିବାରୁ ପାଣିରେ ବୁଡ଼ି ଭାସ୍କରଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀର କୋଟପାଡ଼ ଅଂଚଳରୁ ଉଦ୍ଧାର ହୋଇଥିଲା। ନ‌ିଖୋଜ ମାମଲା ରୁଜୁ ହେବା ପର ଠାରୁ ଟାଉନଥାନା ଅଧିକାରୀ ସମ୍ବିତ ବେହେରା , ବୋରିଗୁମ୍ମା ଓ କୋଟପାଡ ଥାନା ଅଧିକାରୀଙ୍କ ସହ ସମନ୍ବୟ ରଖି ମାମଲାର ଛାନଭିନ୍ନ କରି ଆସୁଥିଲେ। ଅଭିଯୁକ୍ତ ଜଣକ ଭାସ୍କରଙ୍କୁ ନେଇ ଯାଇଥିବା ପୁରୁଣା ଅଟୋକୁ ଲମତାପୁଟ ଅଂଚଳରେ ବିକ୍ରି କରିଥିବା ବେଳେ ମୋବାଇଲକୁ ସହରରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ମୋବାଇଲ ଫୋନକୁ ଟ୍ରାକ୍ କରିବା  ପରେ ଉକ୍ତ ବ୍ୟକ୍ତି ଫାରୁକଙ୍କ ଠାରୁ ମୋବାଇଲ କିଣିଥିବା ଟାଉନ ପୁଲିସକୁ ସୂଚନା ଦେଇଥିଲେ। ସେଭଳି ଫାରୁକ୍ ଭାସ୍କରଙ୍କ ନିଖୋଜ ପରେ ନୂଆ ଅଟୋ କିଣିଥିବାରୁ ପୁଲିସ ପୁରୁଣା ଅଟୋ ସଂପର୍କରେ ଖୋଳତାଡ଼ କରିଥିଲେ। ଲମତାପୁଟରୁ ପୁରୁଣା ଅଟୋ ସଂପର୍କରେ ଜଣାପଡିଥିଲା। ସେହି ଅଟୋକୁ ବିକ୍ରି କରିଥିବା ଟଙ୍କା ଏବଂ ଚୋରି ଟଙ୍କାରେ ନୂଆ ‌ଅଟୋ କିଣିଥିବା ପୁଲିସକୁ ତଦନ୍ତ ବେଳେ ସୂଚନା ମିଳିଥିଲା। ପ୍ରଥମରେ ଟଙ୍କା ଗାଏବ ଏତଲା, ନିଖୋଜ ଏତଲା ପରେ ସଂଦେହରେ ଥିବା ଫାରୁକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଂଚ କରିବା ପରେ ପୁଲିସ ସୁରାକ୍ ପାଇଥିଲା। ତା ପରେ ପୁଲିସକୁ ଫାରୁକଙ୍କ ଉପରେ ସଂଦେହ ଅଧିକ ଦୃଢ଼ୀଭୁତ ହେବା ପରେ ତାକୁ ଥାନାକୁ ଆଣି ପଚାରାଉଚାରା କରିବାରେ ସେ ଦୋଷ ସ୍ବୀକାର କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ। ବୋରିଗୁମ୍ମା ଥାନା ଅଂଚଳରେ ହତ୍ୟା ହୋଇଥିବାରୁ ବୋରିଗୁମ୍ମା ଥାନା ପୁଲିସ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଟାଉନଥାନାରେ ନିଖୋଜ, କୋଟପାଡ଼ ଥାନାରେ ଅପମୃତ ଓ ବୋରିଗୁମ୍ମା ଥାନାରେ ହତ୍ୟା ମାମଲା ଅଭିଯୁକ୍ତଙ୍କ ନାଁରେ ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe