ଅଟୋ ଡ୍ରାଇଭର ପୌରାଧ୍ୟକ୍ଷ ପ୍ରାର୍ଥୀ

Advertisment
ଅଟୋ ଡ୍ରାଇଭର ପୌରାଧ୍ୟକ୍ଷ ପ୍ରାର୍ଥୀ

ରାଉରକେଲା : ପରିବା ବିକୁଥିଲେ। ଏବେ ଅଟୋ ଚଳାଇ ପରିବାର ପୋଷୁଛନ୍ତି। ଯାହା ରୋଜଗାର କରୁଛନ୍ତି ପିଲାଛୁ୍ଆଙ୍କୁ ଅଣ୍ଟୁନି। ଦୈନନ୍ଦିନ କଷ୍ଟ ଜୀବନ ଭିତରେ ପୌରାଧ୍ୟକ୍ଷ ହୋଇ ଲୋକଙ୍କ ସେବା କରିବାକୁ ମନ ବଳାଇଛନ୍ତି। ହାତରେ ଧନ ନାହିଁ, ମନରେ କିନ୍ତୁ ବିଶ୍ବାସ ଅଛି। ଆଦୌ ଭାଙ୍ଗି ପଡିନାହାନ୍ତି। ଭୋଟରଙ୍କ ମନ ଜିଣି ନିର୍ବାଚନୀ ବୈତରଣୀ ପାରି ହୋଇ ଲୋକଙ୍କ ସେବା କରିବାକୁ ବେଶ୍‌ ଆଶାବାଦୀ ସେ ।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ସେମିତି ଜଣେ ନିଆରା ପୌରାଧ୍ୟକ୍ଷ ପ୍ରାର୍ଥୀ ହେଉଛନ୍ତି ଅରବିନ୍ଦ ଜସ୍ବାଲ। ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୦ର ମିଶ୍ରି ଦଫେଇରେ ଅରବିନ୍ଦଙ୍କ ଘର। ଯେବେଠୁ ନାମାଙ୍କନ ଦାଖଲ କରିଛନ୍ତି, ସେବେଠୁ ଘରକୁ ଘରକୁ ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଯେଉଁ ଅଟୋରେ ଯାତ୍ରୀଙ୍କୁ ନେବା ଆଣିବା କରୁଥିଲେ, ସେହି ଅଟୋ ଏବେ ତାଙ୍କର ପ୍ରଚାର ଗାଡି। ପ୍ରଚାର ଗାଡ଼ିର ଡ୍ରାଇଭର ଆଉ କେହି ନୁହଁନ୍ତି ସେ ନିଜେ। ସକାଳ ହେବା ମା‌ତ୍ରେ ନିଜର କିଛି ସମର୍ଥକଙ୍କୁ ଧରି ବାହାରି ଯାଉଛନ୍ତି ପ୍ରଚାରକୁ। ଅଟୋରେ ସମର୍ଥକଙ୍କୁ ବସାଇ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ଯାଉଛନ୍ତି। ସେଠାରେ ପହଞ୍ଚି ଘରକୁ ଘର, ସାହିରୁ ସାହିକୁ ବୁଲୁଛନ୍ତି। ଗୋଟିଏ ହାତରେ ପାଇଥିବା ଚିହ୍ନ ’ଲଣ୍ଠନ’ ଓ ଅନ୍ୟ ହାତରେ କଳାଧଳା କିଛି ଲିଫ୍‌ଲେଟ୍‌ ଧରି ମା’ ମାଉସୀ, ମଉସା ଓ ଭାଇ ଭଉଣୀଙ୍କୁ ଭୋଟ ମାଗୁଛନ୍ତି। ଅନେକ ରାଜନୈତିକ ଦଳକୁ ବିଜୟୀ କରିଛନ୍ତି। ସେମାନଙ୍କ କାମ ଦେଖିଛନ୍ତି। ଥରେ ମ‌ୋତେ ସେବା କରିବାର ସୁଯୋଗ ଦିଅନ୍ତୁ ବୋଲି ଭୋଟରମାନଙ୍କୁ କହୁଛନ୍ତି। ସ୍ବଳ୍ପ ଅର୍ଥରେ ଅରବିନ୍ଦ କିଛି କଳାଧଳା ଲିଫ୍‌ଲେଟ୍‌ ଓ ଆଉ କିଛି ବ୍ୟାନର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି।

publive-image

ତେବେ ବୀରମିତ୍ରପୁର ପୌରପାଳିକାର ତ୍ରିମୁଖୀ ଲଢ଼େଇରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଅରବିନ୍ଦ ଭୋଟରଙ୍କ ମନ ଜିଣିପାରିବେ ବୋଲି ବିଶ୍ବାସ ରଖିଛନ୍ତି। ସେ କହିଛନ୍ତି, ବୀରମିତ୍ରପୁର ପୌରପାଳିକାରେ ବସବାସ କରୁଥିବା ଲୋକମାନେ ବର୍ଷ ବର୍ଷ ଧରି ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। ବସ୍‌ଷ୍ଟାଣ୍ଡ ଅଛି, ଶୌଚାଳୟ ନାହିଁ। ରାସ୍ତାଘାଟ ଅଧିକାଂଶ ସ୍ଥାନରେ ବିପର୍ଯ୍ୟସ୍ତ। କିଛି ବସ୍ତିରେ ଆଲୋକ ବ୍ୟବସ୍ଥା ନାହିଁ। ଏ ସଂକ୍ରାନ୍ତରେ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ଅଧିକାରୀ ତାଙ୍କ କଥାକୁ ସେତିକି ଗୁରୁତ୍ବ ଦେଇ ନାହାନ୍ତି। ଯାହା ମନକୁ ବେଶ୍‌ ବାଧିଥିଲା। ଏସବୁ ସମସ୍ୟା ସମାଧାନ ପାଇଁ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଅଟୋ ଚଳାଇ ପରିବାର ପ୍ରତିପୋଷଣ କରି ଯେଉଁ ୩୦ /୪୦ ହଜାର ଟଙ୍କା ବ୍ୟାଙ୍କରେ ଜମା ରଖିଥିଲି। ସେହି ପୁଞ୍ଜିକୁ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି। ମନରେ ଦୃଢ଼ ଆଶା ଅଛି, ନିଶ୍ଚିତ ଭାବେ ଭୋଟ ବିଜୟୀ ହେବି ବୋଲି କହିଛନ୍ତି ଅରବିନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe