ମେ’ରେ ସରୁଛି ବିକ୍ରମଦେବ କଲେଜର ସ୍ବୟଂଶାସିତ ମାନ୍ୟତା: ତଦାରଖ ପାଇଁ ଶେଷ ସପ୍ତାହରେ ଆସିବ ୟୁଜିସି ଟିମ୍

୫ବର୍ଷ ପରେ ବି ଆସିନି ନାକ୍ ଏକ୍ରିଡେସନ୍ ଟିମ୍ 

ମେ’ରେ ସରୁଛି ବିକ୍ରମଦେବ କଲେଜର ସ୍ବୟଂଶାସିତ ମାନ୍ୟତା: ତଦାରଖ ପାଇଁ ଶେଷ ସପ୍ତାହରେ ଆସିବ ୟୁଜିସି ଟିମ୍

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷାର ଅନ୍ୟତମ କାରଖାନା କୁହାଯାଉଥିବା ବିକ୍ରମଦେବ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ଏହି ମାସରେ ସରୁଛି। ୨୦୧୬ମେ ୧୬ତାରିଖରେ ଏହି ମାନ୍ୟତା ୟୁଜିସି ଟିମ୍ ଦେଇଥିଲେ। ୫ବର୍ଷ ଏହି ମାନ୍ୟତା ଆଉ ଅଳ୍ପ କେଇ ଦିନ ମଧ୍ୟରେ ସରିବ। ତେବେ କରୋନା ସଂକ୍ରମଣ ଭୟରେ ୟୁଜିସି ଟିମ୍ ଗସ୍ତ କରି ପାରି ନଥିଲେ। ତେବେ ଏହି ମାସର ଶେଷ ସପ୍ତାହରେ ୨୪ରୁ ୩ଦିନିଆ ଗସ୍ତରେ ୟୁଜିସି ଟିମ୍ ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର।

ଏହି ଟିମ୍ ଆସି ଯାଂଚ କରି ପୂର୍ବ ମାନ୍ୟତାକୁ ବୃଦ୍ଧି କରିବାକୁ ଅନୁମତି ଦେବା ପାଇଁ ୟୁଜିସି (ୟୁନଭରସିଟି ଗ୍ରାଣ୍ଟ କମିଶନ)ରେ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି। ୟୁଜିସି ପୁଣି ସ୍ବୟଂ ଶାସିତ ମାନ୍ୟତା ଦେବା ପରେ କଲେଜ ପକ୍ଷରୁ ୟୁଜିସିକୁ ନାକ ଏକ୍ରିଡେସନ୍ ଟିମ୍ ପଠାଇବା ପାଇଁ ଆବେଦନ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

ପ୍ରକାଶଯୋଗ୍ୟ ୨୦୧୩ ମସିହାରେ ନାକ ଟିମ୍ ଆସି କଲେଜକୁ ବି ମାନ୍ୟତା ଦେଇଥିଲା। ଏହା ୫ବର୍ଷ ପରେ ୨୦୧୮ରେ ଶେଷ ହୋଇଥିଲା। ଗତ ୫ବର୍ଷ ହେବ ନାକ୍ ଟିମ୍ ପଠାଇବା ପାଇଁ ୟୁଜିସି ନିକଟରେ ବାରମ୍ବାର କଲେଜ ପକ୍ଷରୁ ଆବେଦନ କରିବା ପରେ ବି ଟିମ୍ ଆସିନଥିଲା। ଏପରିକି କରୋନା ସଂକ୍ରମଣ ଭୟ ପରବର୍ତ୍ତୀ ସମୟରେ ଦେଖାଇ ଟିମ୍ ଯାଂଚ ପାଇଁ ଆସି ନଥିଲା। ଏବେ ସଂକ୍ରମଣ ଭୟ ନଥିବାରୁ ପ୍ରଥମରେ ୟୁଜିସି ଟିମ୍ ଆସିବା ପରେ ତୁରନ୍ତ ନାକ୍ ଟିମ୍ ପାଇଁ ଆବେଦନ କରାଯିବ ଏବଂ ନାକ୍ ଟିମ୍ ଆସିବାର ସମ୍ଭାବନା ବି ରହିଛି ବୋଲି ଅଧ୍ୟକ୍ଷ କହିଛନ୍ତି।

ଅପରପକ୍ଷରେ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ହୋଇଥିବାରୁଏହି ଦୁଇଟି ମାନ୍ୟତା ବି ରହିବା ଜରୁରୀ। ଏହି ମହାବିଦ୍ୟାଳୟରେ ଅବିଭକ୍ତ କୋରାପୁଟଜିଲ୍ଲାର ୫ହଜାର ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ସ୍ବୟଂ ଶାସିତ ମାନ୍ୟତା ସହ ନାକ୍ ମାନ୍ୟତା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ କର୍ମସଂସ୍ଥାନ ପାଇଁ କାମରେ ଲାଗିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe