ରୁଷ୍‌ ଇଂଜିନିୟରଙ୍କ ଶବ ବ୍ୟବଚ୍ଛେଦ

Advertisment

ଦୂତାବାସରୁ ସ୍ବୀକୃତିକୁ ଅପେକ୍ଷା, ବନ୍ଦର ହସ୍ପିଟାଲରେ ରହିବ ମୃତଦେହ

ଦୂତାବାସରୁ ସ୍ବୀକୃତିକୁ ଅପେକ୍ଷା, ବନ୍ଦର ହସ୍ପିଟାଲରେ ରହିବ ମୃତଦେହ

ରୁଷ୍‌ ଇଂଜିନିୟରଙ୍କ ଶବ ବ୍ୟବଚ୍ଛେଦ

paradipport.gov.in

ଜଗତସିଂହପୁର : ପାରାଦୀପ ବନ୍ଦରକୁ ପଣ୍ୟ କାରବାର ପାଇଁ ଆସିଥିବା ଏକ ଜାହାଜର କାର୍ଯ୍ୟରତ ରୁଷ୍‌ ନାଗରିକ (ମୁଖ୍ୟଯନ୍ତ୍ରୀ) ମିଲ୍ ୟାକୁବ୍ ସର୍ଜଇଙ୍କର ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯାଇଛି। କୁଜଙ୍ଗରେ ଶବ ବ୍ୟବଚ୍ଛେଦ ଶେଷ ହେବାପରେ ମୃତଦେହକୁ ପୁଣିଥରେ ପାରାଦୀପ ଅଣାଯାଇ ବନ୍ଦର ହସ୍ପିଟାଲରେ ସଂରକ୍ଷିତ ରଖାଯାଇଛି। ରୁଷ୍‌ ଦୂତାବାସର ସ୍ବୀକୃତି ନ ଆସିବା ପର୍ଯ୍ୟନ୍ତ ସେଠାରେ ମୃତଦେହ ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀ ସୂଚନା ଦେଇଛନ୍ତି। ଏହାସହ ଜାହାଜରେ ଥିବା ୨୨ ଜଣ କର୍ମଚାରୀଙ୍କୁ ମିଲ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି।

ଜାହାଜର ୨୨ କର୍ମଚାରୀଙ୍କ ବୟାନ ରେକର୍ଡ

ହସ୍ତଗତ ସୂଚନା ଅନୁସାରେ, ଦୀର୍ଘସମୟ ଧରି ମିଲ୍‌ଙ୍କ ମୃତଦେହ ଜାହାଜରେ ପଡ଼ିରହିଥିଲା। ରୁଷ୍‌ ଦୂତାବାସରୁ ସୂଚନା ଆସିବାପରେ ଗତକାଲି ରାତି ପ୍ରାୟ ୨ଟାରେ ସାମୁଦ୍ରିକ ଥାନା ପୁଲିସ ଓ ବନ୍ଦର ପ୍ରଶାସନର ବରି‌ଷ୍ଠ ଅଧିକାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବନ୍ଦର ହସ୍ପିଟାଲ୍‌କୁ ଆଣିଥିଲେ। ଆଜି ସେଠାରୁ ଦିନ ୯ଟା ୩୦ରେ କୁଜଙ୍ଗକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଦିନ ୧୨ଟା ୩୦ରେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଓ ସାମୁଦ୍ରିକ ଥାନା ଇନ୍ସପେକ୍ଟର ଲିଜାରାଣୀ ବିଶ୍ବାଳଙ୍କ ଉପସ୍ଥିତି‌ରେ ଦୁଇଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ଏହି ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯାଇଥିଲା।

ଏହାସହ ଭିସେରା ଟେଷ୍ଟ ପାଇଁ ମିଲ୍‌ଙ୍କ ମସ୍ତିଷ୍କ, ହୃଦୟ ଓ ଫୁସ୍‌ଫୁସ୍‌ ଆଦି ସଂଗ୍ରହ କରାଯାଇ ଭୁବନେଶ୍ବରସ୍ଥିତ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସାଗର କୁମାର ବେହେରାଙ୍କ ସୂଚନା ମୁତାବକ, ପ୍ରାଥମିକ ଯାଞ୍ଚ୍‌ରୁ ଏହା ଏକ ସ୍ବାଭାବିକ ମୃତ୍ୟୁ ବୋଲି ଜଣାପଡ଼ୁଛି।

ଅନ୍ୟପଟେ ମିଲ୍ ୟାକୁବ୍ ସର୍ଜଇଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପୁଲିସ ଉପଯୁକ୍ତ ଢଙ୍ଗରେ ଯେଭଳି ପ୍ରମାଣ ସଂଗ୍ରହ କରିବ, ଏ ନେଇ କ୍ରାଇମବ୍ରାଞ୍ଚ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣାର ଜିଲ୍ଲା ପୁଲିସ ଭିସେରା ସଂଗ୍ରହ, ବ୍ୟବଚ୍ଛେଦ ସମୟର ଭିଡିଓଗ୍ରାଫି, ସାକ୍ଷୀଙ୍କ ବୟାନ ସଂଗ୍ରହ, ପାରିପାର୍ଶ୍ବିକ ପରିସ୍ଥିତିରୁ ପ୍ରମାଣ, ପଞ୍ଚନାମା ଇତ୍ୟାଦିର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି କ୍ରାଇମବ୍ରାଞ୍ଚରେ ନିୟମିତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମସ୍ତ ବୈଷୟିକ ସହାୟତା ଜିଲ୍ଲା ପୁଲିସକୁ ଯୋଗାଇ ଦିଆଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe