୪ଶହ ସେବାୟତଙ୍କୁ ମିଳିବ ଆବାସ, ଆରମ୍ଭ ହେଲା ମହିପ୍ରକାଶ ମଠ ଜମି ଅଧିଗ୍ରହଣ

Advertisment

୩ ଏକର ଜାଗାରେ ହେବ ଗୃହ ନିର୍ମାଣ, ପ୍ରତି ସେବାୟତଙ୍କୁ ମିଳିବ ୬୫୦ ବର୍ଗଫୁଟର ଘର

୩ ଏକର ଜାଗାରେ ହେବ ଗୃହ ନିର୍ମାଣ, ପ୍ରତି ସେବାୟତଙ୍କୁ ମିଳିବ ୬୫୦ ବର୍ଗଫୁଟର ଘର

୪ଶହ ସେବାୟତଙ୍କୁ ମିଳିବ ଆବାସ, ଆରମ୍ଭ ହେଲା ମହିପ୍ରକାଶ ମଠ ଜମି ଅଧିଗ୍ରହଣ

ପୁରୀ : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଶ୍ରୀମନ୍ଦିରର ୪ଶହ ସେବାୟତଙ୍କୁ ଆବାସ ଯୋଜନାରେ ମିଳିବ ଘର। ପୁରୀ ହରଚଣ୍ଡୀସାହି ମୌଜାରେ ଥିବା ପ୍ରାୟ ୩ ଏକର ଜମିରେ ଏହି ଆବାସ ଯୋଜନା ଘର ନିର୍ମାଣ ହେବ। ଶୁକ୍ରବାରଠୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ଜାଗାର ମାପଚୁପ ଓ ସୀମା ଚିହ୍ନଟ ପାଇଁ ଗଛ ସବୁ ଜେସିବି ଜରିଆରେ କାଟି ସଫା କରାଯାଇଛି। ଅପ୍ରୀତିକର ପରିସ୍ଥିତି ଆଶଙ୍କା ଥିବାରୁ କଡ଼ା ସୁରକ୍ଷା ଭିତରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି।

୨୦୧୪-୧୫ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ସେବାୟତଙ୍କ ସାମାଜିକ, ଅର୍ଥନୈତିକ ଜନଗଣନା ତଥା ସର୍ବେକ୍ଷଣ ସରିବା ପରେ ସେବାୟତ ବାସଗୃହ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର୍‌ ଫର୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ପୁନର୍ବାର ସେବାୟତଙ୍କ ସାମାଜିକ-ଅର୍ଥନୈତିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ପରେ ଯେଉଁ ସେବାୟତମାନେ ଗରିବ ଓ ଆର୍ଥିକ ସ୍ୱଚ୍ଛଳ ନୁହଁନ୍ତି, ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ହରଚଣ୍ଡୀସାହି ଓ ମାଟିମଣ୍ଡପସାହି ମୌଜାରେ ଜମି ଚିହ୍ନଟ ହୋଇଥିଲା। ହରଚଣ୍ଡୀସାହି ମୌଜାରେ ଥିବା ଜମି(ପୂର୍ବରୁ ମହିପ୍ରକାଶ ମଠ ଜମି ଥିଲା)ରେ ସେବାୟତଙ୍କ ଗୃହ ନିର୍ମାଣ ପାଇଁ ସ୍ଥିର ହେବା ପରେ ଆଜିଠାରୁ ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ଏଠାରେ ୩ଟି ପ୍ଲଟ୍‌ର ପ୍ରାୟ ୩.୨୦ ଏକର ଜମି ରହିଛି। ଯେଉଁଥିରେ ୩୮‌ ଡେସିମାଲ୍‌ ଜାଗାରେ ପୋଖରୀ ଓ ୨ ଡେସିମାଲ୍‌ ଜାଗାରେ ଜଣେ ବ୍ୟକ୍ତି ଘର କରି ରହିଛନ୍ତି। ବାକି ଜମିରେ ବଗିଚା ରହିଛି। ଏଣୁ ସମ୍ପୂର୍ଣ୍ଣ ଜମିରୁ ଜବରଦଖଲ ଉଚ୍ଛେଦ ପରେ ପ୍ରକଳ୍ପ କାମ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜାଗାରେ ୪ଶହରୁ ୫ଶହ ସେବାୟତଙ୍କ ପାଇଁ ଘର ନିର୍ମାଣର ଯୋଜନା ରଖାଯାଇଛି। ପ୍ରତି ସେବାୟତଙ୍କୁ ୬୫୦ ବର୍ଗଫୁଟ ଜମିରେ ଘର କରି ଦେବାକୁ ଲକ୍ଷ୍ୟ ରଖାଯାଇଛି। ଜି+୩ ଡିଜାଇନ୍‌ରେ ଘର ନିର୍ମାଣ ହେବ। ଯେଉଁ ସେବାୟତ ବାସହୀନ, ଜମିହୀନ, ସେମାନଙ୍କୁ ଏହି ଘର ମିଳିବ। ଓବିସିସି ଏହି କାମ କରିବ। କିନ୍ତୁ କେଉଁଭଳି ଏହି ଘର ନିର୍ମାଣ ହେବ, ତାର ଡିଜାଇନ୍‌ ପ୍ରସ୍ତୁତ ହୋଇନଥିବା ଅଧିକାରୀଜଣକ କହିଛନ୍ତି। ସୂଚନାଯୋଗ୍ୟ, ନବକୃଷ୍ଣ ଚୌଧୁରୀ ସେଣ୍ଟର୍‌ ଫର୍‌ ଡେଭେଲେପମେଣ୍ଟ୍‌ ଷ୍ଟଡିଜ୍‌ ପକ୍ଷରୁ ସେବାୟତଙ୍କ ଯେଉଁ ସମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା, ସେଥିରେ ପ୍ରାୟ ୨୨୩୬ ସେବାୟତ ପରିବାରର ୯୫୫୮ଜଣ ସେବାୟତ ରହିଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe